Met Weather
ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଢ଼େଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର।
ସାଟେଲାଇଟ୍ ଚିତ୍ର ଓ ଡପ୍ଲର ରାଡାର ସୂଚନାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏହି ସତର୍କ ସୂଚନାରେ କୁହାଯାଇଛି ଯେ ରାଜ୍ୟର ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ଏହି ସମୟ ମଧ୍ୟରେ ଏହି ସମସ୍ତ ସ୍ଥାନରେ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ଜାରି ସତର୍କ ସୂଚନାରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
Met Weatherଏଥିସହ ରାଜଧାନୀ ଭୁବନେଶ୍ୱର ସମେତ କଟକର ଆକାଶ ମେଘୁଆ ରହିବା ସହ ସନ୍ଧ୍ୟାରୁ ରାତି ମଧ୍ୟରେ କାଳବୈଶାଖୀ ଜନିତ ଅସରାଏ ଦୁଇ ଅସରା ବର୍ଷା ହେବାର ସମ୍ଭାବନା ରହିଥିବା ମଧ୍ୟ ଏହି ସତର୍କ ସୂଚନାରେ କୁହାଯାଇଛି।
ଗତକାଲି (ବୁଧବାର) ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରି ସେଲସିୟସ ଟିଟଲାଗଡ଼ ଠାରେ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୯.୨ ଡିଗ୍ରି ସେଲସିୟସ କଟକ ଠାରେ ରେକର୍ଡ କରା ଯାଇଥିଲା।
Follow Us