୬ରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା: ୪୨° ଉପରେ ୧୫ ସହର

Advertisment

ବୌଦ୍ଧ ଓ ନୂଆପଡ଼ା ଉତ୍ତପ୍ତ ସହର

ବୌଦ୍ଧ ଓ ନୂଆପଡ଼ା ଉତ୍ତପ୍ତ ସହର

୬ରେ ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା: ୪୨° ଉପରେ ୧୫ ସହର

ଭୁବନେଶ୍ୱର: ଲଗାତାର ଗ୍ରୀଷ୍ମ ପ୍ରବାହ ଯୋଗୁ ପ୍ରବଳ ଗରମ ଅନୁଭୂତ ହେଉଛି। ଆଜି ବି ୧୫ ସହରର ତାପମାତ୍ରା ୪୨° ଉପରେ ରହିଥିବା ବେଳେ ୨୫ ସହରର ତାପମାତ୍ରା ୪୦° ଉପରେ ରହିଛି। ବୌଦ୍ଧ ଓ ନୂଆପଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪° ରେକର୍ଡ କରାଯାଇଛି। ଆସନ୍ତା ୬ରୁ ୯ ତାରିଖ ମଧ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ କମ୍‌ ରହିବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। କାଳବୈଶାଖୀ ସହ ପାଗ ମେଘୁଆ ରହିବା ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ୩°ରୁ ୫° ପର୍ଯ୍ୟନ୍ତ ତାପମାତ୍ରା କମିବା ଆକଳନ କରାଯାଇଛି। ତେବେ ଆସନ୍ତାକାଲି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୬ ତାରିଖରେ ୧୯ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟାରେ ରହିପାରେ ବୋଲି କହିଛି ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି। ଏହି ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି।
ଅପରପକ୍ଷରେ ଆଜି ଟିଟିଲାଗଡ଼ରେ ତାପମାତ୍ରା ୪୩.୮° ଥିବା ବେଳେ ବଲାଙ୍ଗୀରରେ ୪୩.୭°, ଭବାନୀପାଟଣା ଓ ନୟାଗଡ଼ରେ ୪୩°, ଝାରସୁଗୁଡ଼ାରେ ୪୨.୭°, ମାଲକାନଗିରିରେ ୪୨.୬°, ସମ୍ବଲପୁର ଓ ତାଳଚେରରେ ୪୨.୫°, କେନ୍ଦୁଝରରେ ୪୨.୪°, ହୀରାକୁଦରେ ୪୨.୩°, ବାରିପଦାରେ ୪୨.୨°, ଅନୁଗୁଳରେ ୪୨.୧°, ସୁନ୍ଦରଗଡ଼ରେ ୪୨° ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୩୯.୭° ରେକର୍ଡ କରାଯାଇଥିବା ବେଳେ କଟକରେ ତାପମାତ୍ରା ୩୯° ରହିଛି। ଟ୍ବିନ୍‌ ସିଟିରେ ପୂର୍ବ ଦିନ ଅପେକ୍ଷା ତାପମାତ୍ରା ହ୍ରାସ ପାଇଛି। ଏହାସହିତ ବିଭିନ୍ନ ଉପକୂଳ ଜିଲ୍ଲାରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି। ବରଗଡ଼, କେନ୍ଦ୍ରାପଡ଼ା, ଛତ୍ରପୁର ପ୍ରଭୃତି ସ୍ଥାନରେ ୪୦°ରୁ କମ୍‌ ରହିଥିବା ବେଳେ ପୁରୀ, ପାରାଦୀପ ଓ ଗୋପାଳପୁରରେ ୩୫°ରୁ କମ୍‌ ତାପମାତ୍ରା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ଆଜି ସନ୍ଧ୍ୟାରେ କୁହାଯାଇଛି ଯେ ଆସନ୍ତାକାଲି ଉତ୍ତର ଓଡ଼ିଶା ସମୁଦ୍ର ଉପକୂଳ ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବା ଲାଗି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe