ଅଟେଇ ଜଙ୍ଗଲରୁ ମିଳିଲା ବାଘ ପାଦଚିହ୍ନ

Advertisment
ଅଟେଇ ଜଙ୍ଗଲରୁ ମିଳିଲା ବାଘ ପାଦଚିହ୍ନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ବାଘ ଘୂରି ବୁଲୁଥିବା ଚର୍ଚ୍ଚା ହେଉଛି। ଦୁଇଦିନ ତଳେ ବାଘଟି ଏକ ବାର୍‌ହାକୁ ମାରିଥିଲା। ମୃତ ବାର୍‌ହାର ଆଜି ବ୍ୟବଚ୍ଛେଦ କରାଯାଇଛି। ସେହିପରି ରୋହିଣୀଦୁମା ଗ୍ରାମର ଅନନ୍ତ ମାଝୀଙ୍କ ମୃତଦେହ ଜଙ୍ଗଲ ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲା। ବାଘ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଘର ଉପସ୍ଥିତି ଜାଣିବା ପାଇଁ ଗତକାଲି ବନ ବିଭାଗ ପକ୍ଷରୁ ଜଙ୍ଗଲରେ କ୍ୟାମେରା ଲଗାଯାଇଛି। ଏଥିରୁ ବାଘର ପାଦଚିହ୍ନ ଠାବ ହୋଇଛି। ଏ ସମ୍ପର୍କରେ କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କୁ ପଚାରିବାରୁ, ବାଘ ପାଦଚିହ୍ନ ମିଳିଥିବା କଥାକୁ ସେ ସ୍ୱୀକାର କରିଛନ୍ତି। ଏହି ପାଦଚିହ୍ନର ଲମ୍ବ ୧୪ ଇଞ୍ଚ ବୋଲି ସେ କହିଛନ୍ତି। ପାଦଚିହ୍ନ ମହାବଳ ନାଁ କଲରାପତରିଆ ବାଘର ସେନେଇ ଅନୁଧ୍ୟାନ କରାଯାଉଥିବା ସେ କହିଛନ୍ତି। ବାଘକୁ ଠାବ କରିବା ପାଇଁ ଜଙ୍ଗଲରେ କ୍ୟାମେରା ଲଗାଯାଇଛି। ସପ୍ତାହେ ଅନୁଧ୍ୟାନ କରିବା ପରେ ସଠିକ୍‌ ସୂଚନା ମିଳିପାରିବ ବୋଲି ଡିଏଫ୍‌ଓ କହିଛନ୍ତି। ୧୪ ଇଞ୍ଚର ପାଦଚିହ୍ନ ମହାବଳ ବାଘର ବୋଲି ସନ୍ଦେହ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ଚାଲି ଆସିଥିବା ଅନୁମାନ କରାଯାଉଛି।

ବାଘ ଭୟରେ ସନ୍ଧ୍ୟା ହେଲେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ଅନ୍ୟପକ୍ଷ‌ରେ ଅନନ୍ତଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ  ରେସାଏ ମାଝୀ ଘଟଗାଁ ଥାନାରେ ଅଭିଯୋଗ କରିଛନ୍ତି। ବନ୍ୟଜନ୍ତୁ ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ଘଟଗାଁ ଥାନାରେ କେସ୍‌ ନମ୍ବର ୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ଅରାଜି ହୋଇଥିଲେ। ବାଘ ଆକ୍ରମଣରେ ଅନନ୍ତଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିବା ସହ ବାଘକୁ ଠାବ କରିବା ଦାବିରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାଘ ଆକ୍ରମଣରେ ଅନନ୍ତଙ୍କ ମୃତ୍ୟୁ ଅଭିଯୋଗକୁ ରେଞ୍ଜର ଅସ୍ବୀକାର କରିବାରୁ ଶତାଧିକ ଲୋକେ ତାଙ୍କୁ ଘେରାଉ କରିଥିଲେ। ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe