‘ବାଘ ଲମ୍ଫ ମାରିବାରୁ ମାରିଦେଲି’

ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

ଖଜୁରୀପଡ଼ା : ଜଙ୍ଗଲକୁ ଯାଇଥିଲି। ଏହି ସମୟରେ ଏକ କଲରାପତରିଆ ବାଘ ହଠାତ୍ ମୋ ଉପରକୁ ଲମ୍ଫ ମାରିଥିଲା। ଜୀବନ ବଞ୍ଚାଇବାକୁ ଯାଇ ଏହି ସମୟରେ ମୋ ପାଖରେ ଥିବା ଦେଶୀ ବନ୍ଧୁକରୁ ବାଘ ଉପରକୁ ଗୁଳି ଚଳାଇଥିଲି। ବାଘଟି ମରିଗଲା। କନ୍ଧମାଳ ଜିଲ୍ଲାରେ ବାଘ ଶିକାର ମାମଲାରେ ଗିରଫ ଅଭିଯୁକ୍ତ ଆଜି ବନ ବିଭାଗ କର୍ମଚାରୀଙ୍କୁ ଏହା କହିବା ସହ ବନ୍ଧୁକ ଓ ବାଘ ଛାଲ ଲୁଚାଇ ରଖିଥିବା ଜାଗାକୁ ନେଇ ବନ ବିଭାଗ କର୍ମଚାରୀଙ୍କୁ ଦେଖାଇଛି।

ଫୁଲବାଣୀ ସଦର ଥାନା କୁଟିବାରି ଗାଁର କବିଚନ୍ଦ୍ର କହଁର (୫୦) ଏକ ବାଘ ଶିକାର କରିଥିବା ନେଇ କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପା ବନ ବିଭାଗ ରେଞ୍ଜର ଶିଶିର କୁମାର ଝାଙ୍କର ଖବର ପାଇଥିଲେ। ଶ୍ରୀ ଝାଙ୍କର ଗୁରୁବାର କୁଟିବାରି ଗାଁରେ କବିଚନ୍ଦ୍ରଙ୍କ ଘରେ ଚଢ଼ଉ କରିଥିଲେ। ତଲାସି ବେଳେ ଅଭିଯୁକ୍ତଙ୍କ ଘରୁ ଏକ ଟାଙ୍ଗିଆ, ଗନ୍ ପାଉଡର୍‌ ଓ ସୀସା ଗୁଳି ମିଳିଥିଲା। କିନ୍ତୁ ବନ୍ଧୁକ କି ବାଘ ଛାଲ ମିଳି ନଥିଲା। କବିଚନ୍ଦ୍ରକୁ ଅଧିକ ପଚରାଉଚରା ପରେ ସେ ଗତ ମାସ ୧୯ ତାରିଖରେ ଏକ କଲରାପତରିଆ ବାଘ ଶିକାର କରିଥିବା ସ୍ବୀକାର କରିଥିଲା। ବାଘ ଛାଲକୁ ଗାଁ ନିକଟସ୍ଥ ଚାଷ ଜମିରେ ଲୁଚାଇ ରଖିଥିବା କହିଥିଲା। ଅଭିଯୁକ୍ତର ସୂଚନା ଅଧାରରେ ବନ କର୍ମଚାରୀ ଏକ ବୁଦା ମୂଳରୁ ପଲିଥିନ୍ ଜରିରେ ଗୁଡ଼ାହୋଇ ଲୁଚାଇ ରଖାଯାଇଥିବା ବାଘ ଛାଲକୁ ଜବତ କରିଥିଲା। ଏଥି ସହ ଅନ୍ୟ ଏକ ସ୍ଥାନରୁ ଲୁଚାଇ ରଖାଯାଇଥିବା ଏକ ଦେଶୀ ବନ୍ଧୁକକୁ ମଧ୍ୟ ବନ ବିଭାଗ ଜବତ କରିଥିଲା।

ଏହି ମାମଲାରେ ଶିକାରୀ କବିଚନ୍ଦ୍ରକୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ବାଘଛାଲ କାରବାରକୁ ନେଇ ଏବେ ଅନ୍ତଃରାଜ୍ୟ ମାଫିଆ କାର୍ଯ୍ୟ କରୁଥିବା ବେଳେ କବିଚନ୍ଦ୍ର ସହ କାହାର ସମ୍ପର୍କ ରହିଛି କି ନାହିଁ ସେ ନେଇ ତଦନ୍ତ ଚାଲିଥିବା ବନବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe