ଓଡ଼ଗାଁ : ଜଙ୍ଗଲରୁ କଲରାପତରିଆ ବାଘ ଶିକାର କରି ଫଟୋ ଉଠାଇବା ମହଙ୍ଗା ପଡ଼ିଛି। ଏହି ଫଟୋ ବନ ବିଭାଗ ହାତରେ ଲାଗିବାପରେ ଶିକାରୀଙ୍କୁ ଧରିବାକୁ ବନ ବିଭାଗ ସବୁଆଡ଼େ ଜାଲ ବିଛାଇଥିଲା। ଦୀର୍ଘ ୫ ବର୍ଷ ପରେ ଗତକାଲି ଜଣେ ଶିକାରୀକୁ କାବୁ କରିବାରେ ବନ ବିଭାଗ ସଫଳ ହୋଇଛି। ଗିରଫ ଶିକାରୀ ହେଲେ, ସଂଜୟ ସ୍ବାଇଁ। ତା’ଠାରୁ କଲରା ପତରିଆ ଛାଲ ଜବତ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୧୭ ମସିହାରେ ନୟାଗଡ଼ ଜିଲ୍ଲା ପଞ୍ଚିରିଡ଼ା ବନାଞ୍ଚଳର ବାଣୀଝରୀ ସଂରକ୍ଷିତ ଜଙ୍ଗଲରେ ଚାରିରୁ ପାଞ୍ଚଜଣ ଶିକାରୀ ଏକ କଲରାପତରିଆ ବାଘକୁ ଶିକାର କରିଥିଲେ। ଶରଣକୁଳ ଥାନା ଗୋଡ଼ିପଲ୍ଲୀ ଗ୍ରାମର ସଂଜୟ କୁମାର ସ୍ବାଇଁ, ଚଡ଼େୟାପଲ୍ଲୀ ଗ୍ରାମର ପପୁ ନାୟକ ଏବଂ ଅନ୍ୟ ସହଯୋଗୀମାନେ ମିଶି ବାଘକୁ ଶିକାର କରିବାପରେ ବାଘ ସହିତ ବିଭିନ୍ନ ଫଟୋ ଉଠାଇ ପୋଷ୍ଟ୍ କରିଥିଲେ। ଏହି ଖବର ବନ ବିଭାଗ ଜାଣିବାପରେ ଶିକାରୀକୁ କାବୁ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର, ବନ ବିଭାଗ ସ୍କାନର୍ରେ ଶିକାରୀ ଥିବା ଜାଣିବା ପରେ ବନ ବିଭାଗ ଓ ଶିକାରୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିଲା। ପପୁ ନାୟକଙ୍କର କିଛିଦିନ ତଳେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଏହାର ମାଷ୍ଟର ମାଇଣ୍ତ ସଂଜୟ ସ୍ବାଇଁ ବନ ବିଭାଗ ସ୍କାନର୍ରେ ଥିଲେ। ଗତ ୭ ତାରିଖ ଦିନ ସଂଜୟ ଘରେ ଥିବା ଖବର ପାଇ ପଞ୍ଚିରିଡ଼ା ରେଞ୍ଜର, ଫରେଷ୍ଟର ସୁମନ୍ତ ପରିଡ଼ା ଏବଂ କର୍ମଚାରୀମାନେ ଚଢ଼ଉ କରିଥିଲେ। କିନ୍ତୁ, ସେ ଅତି ଚତୁରତାର ସହ ଖସି ଯାଇଥିଲେ। ଗତକାଲି ଖବର ପାଇ ବନ କର୍ମଚାରୀମାନେ ଗୋଡ଼ିପଲ୍ଲୀ ଗ୍ରାମରେ ଚଢ଼ଉ କରି ସଂଜୟଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛନ୍ତି।
ଆଜି ବନ ବିଭାଗ ଅଧିକାରୀମାନେ ସଂଜୟଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିଥିଲେ ମଧ୍ୟ ଅଭିଯୁକ୍ତ ମୁହଁ ଖୋଲିନଥିଲା। କେବଳ ଏହି ଘଟଣାରେ ମୃତ ପପୁ ନାୟକଙ୍କ ସଂପୃକ୍ତି ଥିବା କହିଥିଲା। କଲରାପତରିଆ ଶିକାର କରିବା ଘଟଣାରେ ବନବିଭାଗ ସଂଜୟ ସ୍ବାଇଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତା’ର ଖୋଳତାଡ଼ କରୁଛି ବନ ବିଭାଗ। ପୂର୍ବରୁ ନୟାଗଡ଼ ଜିଲ୍ଲାର ରଣପୁର, ଦଶପଲ୍ଲା ଏବଂ ଗଣିଆ ବନାଞ୍ଚଳର ବିଭିନ୍ନ ଘଞ୍ଚ ଜଙ୍ଗଲରେ ବାଘ, ହାତୀଙ୍କୁ ଶିକାର କରି ଶିକାରୀମାନେ ଏସ୍ଟିଏଫ୍ ହାତରେ ଧରା ପଡ଼ିଥିବା ସ୍ପଷ୍ଟ ହୋଇଛି। ଉଚ୍ଚପଦସ୍ଥ ଅଧିକାରୀଙ୍କ ଯୋଗୁ ଶିକାରୀଙ୍କୁ ଧରିବା ସମ୍ଭବ ହୋଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।
Follow Us