ବାରିପଦା/ଉଦଳା-୧: ଜନବସତି ପାଖରେ ବୁଲୁଛି ବାଘ। ସପ୍ତାହେ ହେବ ମୟୂରଭଞ୍ଜ ଜିଲ୍ଲାର ଡୁକୁରା, କପ୍ତିପଦା ଓ ଉଦଳା ରେଞ୍ଜ୍ର ପୃଥକ ସ୍ଥାନରେ ବାଘ ପାଦଚିହ୍ନକୁ ନେଇ ଲୋକେ ଭୟଭୀତ ଅଛନ୍ତି। ଆଉ ଏମିତି ସମୟରେ ମଙ୍ଗଳବାର ରାତିରେ ଜଣଙ୍କ ଗୁହାଳରୁ କୌଣସି ଅଜଣା ବନ୍ୟଜନ୍ତୁ ଏକ ବାଛୁରୀକୁ ଝାମ୍ପି ନେବା ପରେ ବାଘ ବୁଲୁଥିବା ସନ୍ଦେହ ବଢ଼ିଛି। ହେଲେ ବନ ବିଭାଗ ବାଘର ଉପସ୍ଥିତି ନେଇ ସ୍ପଷ୍ଟ କରୁନି।
ଜନବସତି ପାଖରେ ମହାବଳ ବୁଲୁଥିବା ଅଭିଯୋଗ
କଲରାପତରିଆ ହୋଇଥାଇପାରେ: ବନ ବିଭାଗ
ସୂଚନା ମୁତାବକ ଉଦଳା ବ୍ଲକ୍ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତ ଚଡ଼ଦା ଗ୍ରାମର ଶଙ୍କର ମାରାଣ୍ଡିଙ୍କ ଗୁହାଳରୁ ମଙ୍ଗଳବାର ରାତିରେ ଏକ ବାଛୁରୀକୁ ଶିକାର କରିଛି କୌଣସି ବନ୍ୟଜନ୍ତୁ। ଶିକାରର ତରିକା ଓ ପାଦଚିହ୍ନ ଦେଖି ଏହା ଏକ ବାଘ ବୋଲି ଅନୁମାନ କରୁଛନ୍ତି ଅଞ୍ଚଳବାସୀ। ଗତ ୧୮ ତାରିଖ ଦିନ କପ୍ତିପଦା ବନାଞ୍ଚଳ ଅନ୍ତର୍ଗତ ଅସନବଣୀ ଗାଁ ପାଖରେ ବାଘର ପାଦଚିହ୍ନ ପଡ଼ିଥିବା ବେଳେ ସୋମବାର ଦିନ ଡୁକୁରା ରେଞ୍ଜ କରକଚିଆ ଗ୍ରାମ ନିକଟରେ ଏକ ବାଘ ବୁଲୁଥିବାର ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ଚଳିତ ମାସରେ ମହାରାଷ୍ଟ୍ରରୁ ଅଣାଯାଇଥିବା ୨ଟି ମହାବଳ ବାଘୁଣୀଙ୍କୁ ଶିମିଳିପାଳରେ ଛଡ଼ାଯାଇଛି। ତେଣୁ ମହାବଳ ବାଘ ହିଁ ବାଛୁରୀ ଶିକାର କରିଥିବାର ସ୍ଥାନୀୟ ଲୋକେ କହୁଛନ୍ତି। ଏ ସମ୍ପର୍କରେ ଆର୍ସିସିଏଫ ପ୍ରକାଶ ଚାନ୍ଦ ଗୋଗିନାନୀଙ୍କୁ ପଚାରିବାରୁ ସେ କହିଲେ; ଶିମିଳିପାଳରେ ଛଡ଼ା ଯାଇଥିବା ଦୁଇ ମହାବଳଙ୍କ ଲୋକେସନ୍ ଏହି ଅଞ୍ଚଳରେ ନାହିଁ। ତେଣୁ ଜନବସତି ପାଖରେ ମହାବଳ ବାଘ ବୁଲୁଥିବା ଖବର ସମ୍ପୂର୍ଣ୍ଣ ମିଛ। ତେବେ ବାଛୁରୀ ଶିକାର କଥା ସତ ହୋଇଥିବା ବେଳେ ଏହା ହେଟାବାଘ ଅଥବା କଲରାପତରିଆ ଦ୍ବାରା ହୋଇ ଥାଇପାରେ। ଏନେଇ ଅଧିକ ତଥ୍ୟ ସଂଗ୍ରହ କରୁଛୁ ଓ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ଡିଏଫ୍ଓ ଏ. ଉମା ମହେଶ ମହାବଳ ଦ୍ବାରା ବାଛୁରୀ ଶିକାର ଘଟଣାକୁ ଖଣ୍ଡନ କରିଛନ୍ତି।
Follow Us