ଗଜପତିରେ ବୁଲୁଛି ମହାବଳ; ୩ ବ୍ଲକର ଗ୍ରାମବାସୀ ଆତଙ୍କିତ

ଗଜପତିରେ ବୁଲୁଛି ମହାବଳ; ୩ ବ୍ଲକର ଗ୍ରାମବାସୀ ଆତଙ୍କିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଦେବଗିରି ବନାଞ୍ଚଳରେ ବୁଲୁଛି ମହାବଳ। ସଞ୍ଜ ନଇଁଲେ ଶିକାର ପାଇଁ ଆଖପାଖ ଗାଁ ମୁହାଁ ହେଉଛି। ଗଲା ମାସରେ ଦୁଇଟି ଏବଂ ଗତ ମଙ୍ଗଳବାର ଗୋଟିଏ ଗାଈ ଝାମ୍ପି ନେଇ ଖଶଇ ସାରିଲାଣି। ଆଜି ସକାଳୁ କୁମୁଲୁସିଂ ପଞ୍ଚାୟତର ଅଁଳାବର ଗ୍ରାମ ନିକଟରେ ମହାବଳର ପାଦଚିହ୍ନ ପୁଣି ଦେଖିବାକୁ ମିଳିଛି। ଏଥିରୁ ମହାବଳଟି ଅଁଳାବର ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ହିଁ ଘୂରି ବୁଲୁଥିବା ସ୍ପଷ୍ଟ ହୋଇଛି। ଏଥିପାଇଁ ଆଖପାଖ ତିନିଟି ବ୍ଲକ ରାୟଗଡ଼, ନୂଆଗଡ଼ ଏବଂ ଗୁମ୍ମାର ସମସ୍ତ ଗ୍ରାମବାସୀଙ୍କୁ ବନବିଭାଗ ସତର୍କ କରାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଏବଂ ସଭା କରାଯାଇ ଅଁଳାବର, ତଳସୁରଙ୍ଗୀ, ଯାଙ୍ଗଲ, କିମ୍ବୁଲ, ବାରୋଇ, ଖଜୁରୀପଦା, କୁମୁଲୁ ସିଂ, ପଦାସାହି, ରାଜିବୁଲ, ଝିଲାସାହି, ବୋରିଅଲ୍ ପ୍ରଭୃତି ଅଞ୍ଚଳରେ ସତର୍କ ସୂଚନା ଦିଆଯାଇଛି। ବାଘଟି ଦେବଗିରି ବନାଞ୍ଚଳରେ ରହିଥିବାରୁ ରାତ୍ର ସମୟରେ ବାହାରକୁ ନବାରିବା ପାଇଁ ବନବିଭାଗ ସୂଚନା ଜାରି କରିଛି। ଏହାସହ ବାଘର ଗତିବିଧି ଜାଣିବା ପାଇଁ ବନ କର୍ମଚାରୀ ପଇଁତରା ମାରୁଥିବା ନେଇ ସୂଚନା ଦିଆଯାଇଛି।

ପ୍ରକାଶ ଥାଉକି ଗତ ସୋମବାର ଅଁଳାବର ଗ୍ରାମର ରୁଷାନ ଶବରଙ୍କ ଗାଈକୁ ମାରି ଖାଇବା ପରେ ବନ ବିଭାଗ ତରଫରୁ ଟ୍ରାପ କ୍ୟାମେରା ଲଗାଯିବା ସହ ମହାବଳ ଏହି ଅଞ୍ଚଳରେ ବୁଲୁଥିବା ନେଇ ସତର୍କ କରାଯାଇଥିଲା । ଏହି ଘଟଣାରେ ବନ ବିଭାଗ ପକ୍ଷରୁ ମୃତ ଗାଈର ମାଲିକଙ୍କୁ  ଅନୁକମ୍ପାମୂଳକ ୩୭,୫୦୦ ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe