ପୁଣି ବାଘଚମଡ଼ା ଜବତ, ୮ ଗିରଫ

Advertisment
ପୁଣି ବାଘଚମଡ଼ା ଜବତ, ୮ ଗିରଫ

ବାରିପଦା/ଝାରପୋଖରିଆ/କଳାବାଡ଼ିଆ : ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ବନ ବିଭାଗ ହାତ ଟେକି ଦେଇଥିବାବେଳେ ଶିକାରୀମାନେ ନିର୍ବିଘ୍ନରେ ଅଭୟାରଣ୍ୟରୁ ହାତୀ, ବାଘ ଆଦି ବନ୍ୟଜନ୍ତୁ ଶିକାର କରୁଛନ୍ତି। ଦୁଇ ମାସରେ ୨ଟି ହାତୀ ଶିକାର ହୋଇଥିବା ବେ‌ଳେ ୨ଟି ବାଘ ଛାଲ ଜବତ ହେଲାଣି। ଗତକାଲି ପୁଣି ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ବନ ବିଭାଗ ଏ ବାବଦରେ ଅନ୍ଧାରରେ ଥିବା ବେଳେ ମୟୂରଭଞ୍ଜ ପୁଲିସ ଏକ ଢାବାରେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି।

ଝାରପୋଖରିଆ ଥାନା ୪୯ ନଂବର ଜାତୀୟ ରାଜପଥର କତରାଠାରେ ଥିବା ଟାୱାର ଢାବାରେ ଗତକାଲି ବିଳମ୍ବିତ ରାତିରେ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏ ସଂକ୍ରାନ୍ତରେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରିଷିକେଶ ଦ୍ୟାନଦେଓ ଖିଲାରୀଙ୍କୁ ଜଣାଇଥି‌ଲେ। ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଉକ୍ତ ଢାବାରେ ଚଢ଼ଉ କରି ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବିଶୋଇ ଥାନା ଅନ୍ଧାରିଝରି ଗ୍ରାମର ଗୋବିନ୍ଦଚନ୍ଦ୍ର ହେମ୍ବ୍ରମ୍‌ (୪୧), ବାଙ୍ଗିରିପୋଷି ଥାନା ଲାଦରିଆ ଗ୍ରାମର ଶରତଚନ୍ଦ୍ର ହେମ୍ବ୍ରମ୍‌ (୩୫), ବୁଢ଼ିଖମାରୀ ଗ୍ରାମର ଅଜିତ ମହାନ୍ତ (୨୨), ଗୋଲମୁଣ୍ଡାକଣ୍ଟା ଗ୍ରାମର ସୁଧୀର ଦିଗାର (୫୫), ଲେମ୍ବୁ ଦିଗାର (୨୬), ବାରିପଦା ସଦର ଥାନା ବାଜରାତୁଣ୍ଡିର ଗୋବର୍ଦ୍ଧନ ମହାନ୍ତ (୪୦) ଓ ଝାରପୋଖରିଆ ଥାନା ଦନାଦର ଅଞ୍ଚଳର ଲକ୍ଷ୍ମୀ ଦେହୁରୀ (୪୦)। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ବାଘଟି ଶିମିଳିପାଳରୁ ଶିକାର ହୋଇଥିବା‌ ଓ ଏଥିରେ ବନ ବିଭାଗର କିଛି ତଳିଆ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ଶ୍ରୀ ଖିଲାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe