ବିକାଶ ପାଇଁ ବିପଦରେ ବାଘ ବଂଶ! ଜଙ୍ଗଲ ଦେଇ ଯିବ ବାଇପାସ୍‌

Advertisment

ସମସ୍ୟାକୁ ଏଡ଼ାଇବା ପାଇଁ ମାଷ୍ଟରପ୍ଲାନ ଜରୁରୀ

ସମସ୍ୟାକୁ ଏଡ଼ାଇବା ପାଇଁ ମାଷ୍ଟରପ୍ଲାନ ଜରୁରୀ

ବିକାଶ ପାଇଁ ବିପଦରେ ବାଘ ବଂଶ! ଜଙ୍ଗଲ ଦେଇ ଯିବ ବାଇପାସ୍‌

ବଲାଙ୍ଗୀର: ବଲାଙ୍ଗୀର ସହରର ପାରିପାର୍ଶ୍ବିକ ବିକାଶ ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି। ସହରବାସୀଙ୍କୁ ସଡ଼କ ଦୁର୍ଘଟଣାରୁ ବଞ୍ଚାଇବା ବହୁଦିନର ଦାବି ପୂରଣ ସ୍ବରୂପ ବାଇପାସ୍‌ କାମ ଚାଲିଛି। କିଛିଦିନ ପରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ମାତ୍ର, ବାଇପାସ୍‌ ସକାଶେ ବାଘ ବଂଶ ସଙ୍କଟରେ ପଡ଼ିବା ଆଶଙ୍କା ଉପୁଜିଛି। ଏହାର ନିରାକରଣ ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ  ରିବେଶବିତ୍‌ମାନେ ଦାବି କରିଛନ୍ତି।

ବାଇପାସ୍‌ ପାଇଁ ଇଡ୍‌କୋ ୫.୩୫୦ କିମି, ପୂର୍ତ୍ତ ବିଭାଗ ୬କିମି ଓ ଏନ୍‌ଏଚ୍‌ ବିଭାଗ ୧୨କିମି ରାସ୍ତା ନିର୍ମାଣ କରିବ ବୋଲି ପ୍ରସ୍ତାବିତ ହୋଇଥିଲା। ଇଡ୍‌କୋ ପକ୍ଷରୁ ବଲାଙ୍ଗୀର-ସମ୍ବଲପୁର ରାଜପଥ ମାଧିଆପାଲିରୁ ଲର୍କିପାଲି ସୋଲାରପ୍ଲାଣ୍ଟ ଯାଏଁ ୫.୩୫୦କିମି ରାସ୍ତା ପାଇଁ ପ୍ରଥମେ ଟେଣ୍ଡର ବାହାରିଥିଲା। ୯.୮୩ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ କାମ ସରିଥିଲା। ତେବେ ଇଡ୍‌କୋ ଯେତେ ରାସ୍ତା ତିଆରି କରିଛି, ସେହି ରାସ୍ତା ବଲାଙ୍ଗୀର-ପାଟଣାଗଡ଼ ରାସ୍ତାକୁ ସଂଯୋଗ କରିନାହିଁ। ଇଡ୍‌କୋ ଯେଉଁ ସ୍ଥାନରୁ କାମ ସାରିଛି, ସେଠାରୁ ତଥା ସଦାଇପାଲି, ଚାନ୍ଦଲିପାହାଡ଼, ଲର୍କିପାଲି ଦେଇ ପାଟଣାଗଡ଼ ରାସ୍ତା ଏବଂ ସେଠାରୁ ଲୋୟର ସୁକତେଲ୍‌ କାର୍ଯ୍ୟାଳୟ ଦେଇ ସ୍ପୋର୍ଟସ କମ୍ପ୍ଲେକ୍ସ ରାସ୍ତାରୁ ଟିଟିଲାଗଡ଼ ରାସ୍ତାକୁ ଯୋଡ଼ିବାକୁ ଯୋଜନା ରହିଛି। ପୂର୍ତ୍ତ ବିଭାଗ ଏହି ବଳକା ୬କିମି ରାସ୍ତା କାମ କରିବାର ନିଷ୍ପତ୍ତି ହୋଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପ୍ରସ୍ତାବିତ ରାସ୍ତାରେ ୫ ହେକ୍ଟର ଜଙ୍ଗଲ ଜମି, କିଛି ଗ୍ରାମର ଜମି ରହିଛି। ଯେଉଁ ଜଙ୍ଗଲ ଭିତର ଦେଇ ବାଇପାସ୍‌ ରାସ୍ତା ଯିବ, ସେଠାରେ କଲରାପତରିଆଙ୍କ ବସତି ରହିଛି। ବଲାଙ୍ଗୀର ରେଞ୍ଜରେ ୨୦୨୦ ମସିହାରେ ହୋଇଥିବା ଗଣତି ବେଳେ ୪ଟି ବାଘ ଏହି ଅଞ୍ଚଳରେ ଦେଖାଯାଇଥିଲା। ଚଳିତବର୍ଷ ବି କଲରାପତରିଆଙ୍କ ଚଳପ୍ରଚଳ ଦେଖାଯାଇଛି। ଉକ୍ତ ଜଙ୍ଗଲଗୁଡ଼ିକରେ ବାର୍‌ହା, ମୟୂର ଏବଂ ମାଙ୍କଡ଼ ବିପୁଳ ସଂଖ୍ୟାରେ ରହିଛନ୍ତି। ପର୍ଯ୍ୟାପ୍ତ ଶିକାର ଉପଲବ୍ଧ ଥିବାରୁ ବାଘ ବଂଶ ବଢ଼ିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି। ଆଗକୁ ବାଇପାସ୍‌ କାର୍ଯ୍ୟକ୍ଷମ ହେଲେ ଟ୍ରାଫିକ୍‌ ବଢ଼ିବ। ଏଭଳି ସ୍ଥିତିରେ ଶିକାର ଅନ୍ବେଷଣରେ କଲରାପତରିଆମାନେ ରାସ୍ତା ଅତିକ୍ରମ କରିବେ। ତାଙ୍କୁ ସୁରକ୍ଷାଦେବା ଏକ ବଡ଼ ଚାଲେଞ୍ଜ ଭାବେ ଉଭା ହେବ। ଏଥିସକାଶେ ଏବେଠୁ ମାଷ୍ଟରପ୍ଲାନ୍‌ ହେବା ଜରୁରି ବୋଲି ବନ୍ୟପ୍ରାଣୀ ଗବେଷକମାନେ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe