ନୂଆପଡ଼ା ହଳଦୀ ଜଙ୍ଗଲରେ ପୁଣି ୩ କଲରାପତରିଆ ବାଘ

Advertisment

ଭୟରେ ପଦାକୁ ବାହାରୁ ନାହାନ୍ତି ଗ୍ରାମବାସୀ

ଭୟରେ ପଦାକୁ ବାହାରୁ ନାହାନ୍ତି ଗ୍ରାମବାସୀ

ନୂଆପଡ଼ା ହଳଦୀ ଜଙ୍ଗଲରେ ପୁଣି ୩ କଲରାପତରିଆ ବାଘ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ୪ ବର୍ଷ ପରେ ହଳଦୀ ଗାଁରେ ପୁଣି ବାଘ ଆତଙ୍କ। ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ଜଙ୍ଗଲସ୍ଥିତ ଶୀତଳା ମନ୍ଦିର ପାଖ ଚଟାଣ ଉପରେ ସୋମବାର ୩ଟି ବାଘ ବୁଲୁଥିବା ଗ୍ରାମବାସୀ ଦେଖିଛନ୍ତି। ଏହାର ଚିତ୍ର ବି ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି। ଗାଁ ପାଖରେ ପୁଣି ୩ଟି ବାଘ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଭୟରେ ଆଉ ପଦାକୁ ବାହାରୁ ନାହାନ୍ତି। ନୂଆପଡ଼ା ଓ ଖରିଆର ରୋଡ଼ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି। ବନ ବିଭାଗ କର୍ମଚାରୀ ହଳଦୀ ଜଙ୍ଗଲ ଚାରିପଟେ ପଇଁତରା ମାରୁଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ସୋମବାର ହଳଦୀ ଗ୍ରାମବାସୀ ସକାଳେ ପାଖରେ ଥିବା ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଗ୍ରାମର ଅନିଲ ଜଗତ, ଭିକ ସାହୁ ହଳଦୀ ଜଙ୍ଗଲର ଶୀତଳା ମନ୍ଦିର ଚଟାଣଠାରେ ୩ଟି ବାଘ ବସିଥିବା ଦେଖିବାକୁ ପାଇଥିଲେ। ପରେ ୨ଟି କଳାରାପତରିଆ ବାଘ ଚଟାଣରୁ ପଳାଇ ଯାଇଥିଲେ ଏବଂ ଗୋଟିଏ ବାଘର ଫଟୋ ଗ୍ରାମବାସୀ ଉଠାଇଥିଲେ। ହଳଦୀ ଗ୍ରାମକୁ ବାଘ ଆସିବା ଖବର ମିଳିବା ପରେ ହଳଦୀ ତଥା ଆଖପାଖ ଗାଁର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘ ଭୟରେ ଚାଷୀମାନେ ନିଜ ଚାଷଜମିକୁ ଯିବା ବନ୍ଦ କରିଥିଲେ। ଦିନ ସାରା ନିଜ ପିଲା ଛୁଆମାନଙ୍କୁ ଘରୁ ଛାଡ଼ି ନଥିଲେ। ଗାଈ, ଛେଳିମାନଙ୍କୁ ମଧ୍ୟ ଚରିବାକୁ ଛାଡ଼ି ନଥିଲେ। ଅନ୍ୟପଟେ ବନବିଭାଗ ସଜାଗ ରହି ଲୋକଙ୍କୁ ସନ୍ଧ୍ୟାରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାର ଜୁଲାଇ ୨୫ ତାରିଖ ହଳଦୀ ଗାଁରେ ୪ ବର୍ଷର ଶିଶୁକୁ ମା’ କୋଳରୁ ଝାମ୍ପି ନେଇଥିଲା ବାଘ। ବନ ବିଭାଗ ବାଘକୁ ଧରିବା ଅଭିଯାନ ଆରମ୍ଭ କରିଥିଲା। ହଳଦୀ ଜଙ୍ଗଲରେ ଯନ୍ତା ଲଗାଯାଇଥିଲା। ୧୫ ଅଗଷ୍ଟରେ ଯନ୍ତାରେ ଏକ ଅଣ୍ଡିରା ବାଘ ପଡ଼ିଥିଲା। ଏହାକୁ ବନବିଭାଗ ଧରି ନନ୍ଦନକାନନକୁ ପଠାଇଥିଲା। ପରେ ହଳଦୀ ଗାଁର ଦୁଇଜଣଙ୍କୁ ରାତି ଆସୁଥିବା ବେଳେ ବାଘ ଆକ୍ରମଣ କରିଥିଲା। ବାଘକୁ ଦେଖି ପୁଣି ବନବିଭାଗ ଜଙ୍ଗଲରେ ଯନ୍ତା ବସାଇଥିଲା। ୩୦ ଅକ୍ଟୋବର ୨୦୧୭ରେ ପୁଣି ଏକ ମାଈବାଘ ଯନ୍ତାରେ ପଡ଼ିଥିଲା। ଏହି ବାଘକୁ ମଧ୍ୟ ବନବିଭାଗ ନନ୍ଦନକାନନ୍ଦ ପଠାଇଥିଲା। ଏହା ପରେ ଗ୍ରାମବାସୀ ଗାଁର ସୁରକ୍ଷା ପାଇଁ ଜଙ୍ଗଲ ଚାରିପଟେ ତାରଜାଲି ଦେବାକୁ ଜିଲ୍ଲାପାଳ ଓ ବନବିଭାଗକୁ ଦାବି କରିଥିଲେ। ଜିଲ୍ଲା ପ୍ରଶାସନ ଗାଁ ଲୋକଙ୍କୁ ବାଘରୁ ସୁରକ୍ଷା ଦେବା ପାଇଁ ତାରଜାଲି ବାଡ଼ା ଦେଇଥିଲା। ସେହିଦିନଠାରୁ ବାଘ ଆତଙ୍କ କମିଥିଲା। ସୋମବାର ପୁଣି ବାଘ ଆତଙ୍କ ଦେଖାଦେଇଛି। ଏହା ଉପରେ ଖରିଆର ରୋଡ଼ ରେଞ୍ଜର ନିରଞ୍ଜନ ମାଝୀ କହିଛନ୍ତି ଯେ, ଗତ ରାତିରେ ମଧ୍ୟ ଆମ କର୍ମଚାରୀ ବାଘକୁ ଦେଖିଛନ୍ତି। ସକାଳେ ହଳଦୀ ଗ୍ରାମବାସୀ ବାଘକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ସହ ଜଙ୍ଗଲରେ ଥିବା ବାଘକୁ ମଧ୍ୟ ସୁରକ୍ଷା ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe