ଯନ୍ତାରେ ବାଘ, ଗାଁରେ ବୁଲୁଛି ବାଘୁଣୀ: ଆତଙ୍କିତ ଗ୍ରାମବାସୀ

ରାମେଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଯନ୍ତାରେ ବାଘ, ଗାଁରେ ବୁଲୁଛି ବାଘୁଣୀ: ଆତଙ୍କିତ ଗ୍ରାମବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୋଦୋପାଲି ଗାଁରୁ ଶନିବାର ରାତିରେ ଧରାପଡ଼ିଥିବା ମଣିଷଖିଆ ବାଘ (କଲରାପତରିଆ) ଏବେ ବନ ବିଭାଗ ଅଫିସ ପରିସରରେ ଯନ୍ତା ଭିତରେ ରହିଛି। ଅନ୍ୟପକ୍ଷରେ ଗାଁ ଚାରିପଟେ ଏକ ବାଘୁଣୀ (କଲରାପତରିଆ) ପଇଁତରା ମାରୁଛି। ଧରାପଡ଼ିଥିବା ବାଘଟି ଅଣ୍ଡିରା ହୋଇଥିବା ବେଳେ ଗାଁ ଚାରିପଟେ ଘୂରି ବୁଲୁଥିବା ବାଘ ମାଈ ବୋଲି ବନ ବିଭାଗ ପାଦଚିହ୍ନରୁ ଚିହ୍ନଟ କରିଛି। ଧରମବନ୍ଧା ଥାନା ସିଲିଆରିବାହାର ଗାଁର ରାମେଶ୍ରୀ ମାଝୀଙ୍କୁ ଶୁକ୍ରବାର ବାଘ ଝାମ୍ପି ନେଇ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ରବିବାର ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ରାମେଶ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଡିଏଫ୍‌ଓ ସୁଶୀଲ ତ୍ରିପାଠୀ ସୂଚନା ଦେଇଛନ୍ତି। ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ଅବସ୍ଥାରେ ଶେଷକୃତ୍ୟ କରାଯାଇଥିଲା। ମଣିଷଖିଆ କଲରାପତରିଆ ଶନିବାର ରାତିରେ ବନ ବିଭାଗର ଯନ୍ତାରେ ପଡ଼ିଥିଲା। ରାତି ପ୍ରାୟ ୩ଟାରେ ଯନ୍ତାରେ ପଡ଼ିଥିବା ବାଘକୁ ନୂଆପଡ଼ା ରେଞ୍ଜ ଅଫିସ୍‌ରେ ରଖାଯାଇଛି।

ରବିବାର ବାଘର ସ୍ବାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ ପ୍ରାଣୀ ଚିକିତ୍ସା ବିଭାଗ ଉପନିର୍ଦେଶକ କେ. ପାର୍ଥ ସାରଥି ଦୋରା, ଏଲ୍‌ଆଇ ବବଲୁ ଖାନ ଓ ସୁଧାଂଶୁ ବାରିକ ପହଞ୍ଚିଥିଲେ। ସେମାନେ ବାଘର ଚିକିତ୍ସା କରିଥିବା ବେଳେ ବାଘଟି ସୁସ୍ଥ ଥିବାରୁ ମାଂସ ଖାଇବାକୁ ଦିଆଯାଇଥିଲା। ଯନ୍ତାରେ ପଡ଼ିଥିବା ଅଣ୍ଡିରା ବାଘର ବୟସ ୫ରୁ ୬ ବର୍ଷ ହୋଇଥିବା ଜଣାଯାଇଛି। ବାଘକୁ ଏଠାରେ ୨ ଦିନ ରଖିବା ପରେ ଭୁବନେଶ୍ବର ମୁଖ୍ୟ ବନ ସଂରକ୍ଷକ (ସିସିଏଫ୍‌)ଙ୍କ ନିର୍ଦ୍ଦେଶକ୍ରମେ ତାକୁ କେଉଁଠାରେ ଛଡ଼ାଯିବ ତାହା ନିଷ୍ପତ୍ତି ହେବ।
ସେହିପରି କୋଦୋପାଲି ଗ୍ରାମରେ ଶନିବାର ରାତିରେ ମଣିଷଖିଆ କଲରାପତରିଆ ଯନ୍ତାରେ ପଡ଼ିବା ପରେ ଭରୁଆମୁଣ୍ଡା ଓ ଧରମବନ୍ଧା ପଞ୍ଚାୟତବାସୀ କିଛିଟା ଆଶ୍ବସ୍ତ ହୋଇଥିଲେ। ରବିବାର ସେହି ଗ୍ରାମରେ ଆଉ ଏକ କଲରାପତରିଆ ଦେଖିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଗାଁ ପାଖରେ କଲରାପତରିଆର ପାଦଚିହ୍ନ ଦେଖିବାକୁ ମିଳିଛି। ତେବେ ଏହା ବାଘୁଣୀର ପାଦଚିହ୍ନ ବୋଲି କୁହାଯାଉଛି। ବାଘକୁ ବାଘୁଣୀ ଖୋଜୁଥିବା ଅନୁମାନ କରାଯାଉଛି। ରେଞ୍ଜର୍‌, ଫରେଷ୍ଟର୍‌ ଓ ଫରେଷ୍ଟଗାର୍ଡ ପହଞ୍ଚି ଗାଁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଗାଁ ଚାରିପଟେ ଜଗି ରହିଛନ୍ତି। ଆଉ ଯେମିତି କୌଣସି ଅଘଟଣ ନହେବ ସେଥିପାଇଁ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କ ଘରଘର ବୁଲି ସଚେତନ କରାଯାଉଛି। ଗାଁରେ ଛୋଟ ପିଲାଙ୍କୁ ବାହାରକୁ ନଛାଡ଼ିବା ପାଇଁ ବାପାମା’ଙ୍କୁ ପରାମର୍ଶ ଦେଉଛନ୍ତି। ସଂଧ୍ୟା ପରେ କୌଣସି ଜରୁରୀ କାମ ପାଇଁ ଗଲେ ୪ରୁ ୫ଜଣ ଲୋକ ଠେଙ୍ଗାବାଡ଼ି ଧରି ଯିବାକୁ ପରାମର୍ଶ ଦେଇଛନ୍ତି। ତେବେ ଗାଁ ଚାରିପଟେ ବୁଲୁଥିବା କଲରାପତରିଆକୁ ମଧ୍ୟ ବନ ବିଭାଗ ତୁରନ୍ତ ଯନ୍ତା ଲଗାଇ ଧରିବା ସହ ଗ୍ରାମବାସୀଙ୍କୁ ସୁରକ୍ଷା ଦେବାକୁ ଦାବି ହେଉଛି।

ଆଜି ଗାଁରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, ବ୍ଲକ୍‌ ଅଧିକାରୀ ଓ ବନ ବିଭାଗ ପହଞ୍ଚି ଏକ ସଭା କରି ଲୋକମାନଙ୍କୁ ସଚେତତ କରିଛନ୍ତି। ଶନିବାର ରାତିରେ ଜିରାଖନ ସାହୁଙ୍କ ଘରେ ବାଘ ପଶିଥିବା ବେଳେ ବାଘକୁ ଧରିବା ପାଇଁ ଲୋକମାନେ ଶ୍ରୀ ସାହୁଙ୍କ ଘରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି। ତେଣୁ ଜରିଖନଙ୍କୁ କ୍ଷତିପୂରଣ ଦେବାକୁ ବନ ବିଭାଗ ଡିଏଫ୍‌ଓ ଶ୍ରୀ ତ୍ରିପାଠୀ ଓ ସୁନାବେଡ଼ା ବନ୍ୟପ୍ରାଣୀ ଡିଏଫ୍‌ଓ ମହାଦେବ ବୁଡ଼େକଙ୍କ ନିକଟରେ ଧରମବନ୍ଧା ସରପଞ୍ଚ ଭୁନେଶ୍ରୀ ଦଣ୍ଡସେନା ଦାବି କରିଥିଲେ। ନୂଆପଡ଼ା ବିଡିଓ ବିପିନ ଦୀପ ପହଞ୍ଚି ଶ୍ରୀ ସାହୁଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe