Dainik Bhaskar
ଅନୁଗୁଳ : ବାଘୁଣୀ ‘ସୁନ୍ଦରୀ’ ପୁଣି ବନ୍ଦୀ ହୋଇଛି। ସାତକୋଶିଆରୁ ନିଜ ଜନ୍ମମାଟି ମଧ୍ୟପ୍ରଦେଶକୁ ଫେରିଯିବା ପରେ ତାକୁ ପୁଣିଥରେ ମୁକ୍ତ ଜଙ୍ଗଲରେ ଛାଡ଼ିବା ପାଇଁ ଉଦ୍ୟମ କରାଯାଇଥିଲା। ବାଘୁଣୀ ସେଠାରେ ଯଦିଓ ନିଜର ଶିକାର ପ୍ରବୃତ୍ତି ଫେରି ପାଇଥିଲା, କିନ୍ତୁ ତା’ଠାରୁ ମଣିଷ ପ୍ରୀତି ଛାଡ଼ୁ ନଥିଲା। ସବୁବେଳେ ଜନବସତି ଆଡ଼କୁ ମୁହାଁଉଥିଲା। ତେଣୁ, ‘ସୁନ୍ଦରୀ’କୁ ଖୋଲା ଜଙ୍ଗଲରେ ଛାଡ଼ିବା ବିପଜ୍ଜନକ ଦର୍ଶାଇ ଗଲା ସପ୍ତାହରେ ତାକୁ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଭୋପାଳସ୍ଥିତ ବନବିହାର ନ୍ୟାସ୍ନାଲ୍ ପାର୍କକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ୨୦୧୮ରେ ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବା ଲାଗି ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ସୁନ୍ଦରୀକୁ ଅଣାଯାଇଥିଲା। କିନ୍ତୁ, ଆରମ୍ଭରୁ ଖଳନାୟିକା ସାଜିଲା ଏ ବାଘୁଣୀ। ସାତକୋଶିଆ ଜଙ୍ଗଲରେ ଛଡ଼ାଯିବାର କେଇଟା ଦିନ ମଧ୍ୟରେ ବାଘୁଣୀ ମୁହାଁଇଲା ଜନବସତିକୁ। ଅଭୟାରଣ୍ୟ ନିକଟସ୍ଥ ହାତୀବାରି ଗାଁର ଜଣେ ମହିଳା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ବାଘୁଣୀ ତାଙ୍କୁ ଟାଣି ନେଇଥିଲା। ଏ ମହିଳା ଥିଲେ ‘ସୁନ୍ଦରୀ’ର ପ୍ରଥମ ମଣିଷ ଶିକାର। ଏ ଘଟଣା ସାତକୋଶିଆ ବନବାସୀଙ୍କ ମଧ୍ୟରେ ତୀବ୍ର ବେଗରେ ଖେଳିଯାଇଥିଲା। ବାଘୁଣୀକୁ ନେଇ ସେତେବେଳେ ଠିଆ ହୋଇଥିଲା ବଡ଼ ପ୍ରସଙ୍ଗ। ବାଘୁଣୀକୁ ନେଇ ତୀବ୍ର ବିରୋଧୀ ଥିବା ଲୋକେ ବନ ବିଭାଗ ବୋଟ୍ଠାରୁ ଆରମ୍ଭ କରି ଅଫିସ୍ କାର୍ଯ୍ୟାଳୟ ଯାଏ ପୋଡ଼ି ଦେଇଥିଲେ। ବାଘୁଣୀକୁ ଫେରାଇ ନେବାକୁ ଜନଆନ୍ଦୋଳନ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ, ବନ ବିଭାଗ ବାଘୁଣୀ ଉପରେ ନଜର ରଖି ଜଙ୍ଗଲ ଭିତରକୁ ପଠାଇବାକୁ ଉଦ୍ୟମ କରିଥିଲା।
image source-the hinduକିନ୍ତୁ, ଥରେ ମଣିଷ ରକ୍ତ ଚାଖିଥିବା ବାଘୁଣୀ ଦିନ କେଇଟା ପରେ ଦ୍ବିତୀୟ ମଣିଷ ଶିକାର କରିଥିଲା। ଟାଇଁସିର ଜଣେ ଚାଷୀ ନାଳ ନିକଟକୁ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ବାଘୁଣୀ ତାଙ୍କୁ ଟେକି ନେଇଥିଲା। ଏହି ଦ୍ବିତୀୟ ଶିକାର ଘଟଣା ପରେ ବାଘୁଣୀ ବିରୋଧରେ ଜନ ଆକ୍ରୋଶ ଆହୁରି ତୀବ୍ର ହୋଇଥିଲା। ଜାତୀୟ ରାଜପଥ ଅବରୋଧଠାରୁ ଆରମ୍ଭ କରି ପୁଲିସ ସହିତ ଲୋକଙ୍କ ସଂଘର୍ଷ ହୋଇଥିଲା। ଏମିତିକି, ଉତ୍ତ୍ୟକ୍ତ ଜନତା ପୁଲିସର ଗାଡ଼ି ବି ପୋଡ଼ି ଦେଇଥିଲେ। ସେ ସମୟରେ ‘ସୁନ୍ଦରୀ’ ପ୍ରସଙ୍ଗ ରାଜ୍ୟର ଏକ ପ୍ରମୁଖ ପ୍ରସଙ୍ଗ ହୋଇ ଠିଆ ହୋଇଥିଲା।
ଏହାପରେ ସୁନ୍ଦରୀକୁ ଖୋଲା ଜଙ୍ଗଲରେ ଛାଡ଼ିବା ପରିବର୍ତ୍ତେ ବନ୍ଦୀ କରାଯାଇ ସାତକୋଶିଆର ଏନ୍କ୍ଲୋଜର ଭିତରେ ଛଡ଼ାଗଲା। ଦୀର୍ଘ ଦୁଇବର୍ଷ କାଳ ବନ୍ଦୀ ଜୀବନଯାପନକୁ ନେଇ ଭୋପାଳ ହାଇକୋର୍ଟରେ ମାମଲା ରୁଜୁ ହେଲା। କୋର୍ଟ ସୁନ୍ଦରୀକୁ ସାତକୋଶିଆରୁ ଜନ୍ମମାଟିକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କାହ୍ନା ବ୍ୟାଘ୍ର ପ୍ରକଳ୍ପର ଘୋରେଲା ରି-ୱାଇଲ୍ଡିଂ ସେଣ୍ଟରରେ ରଖି ତାର ପଶୁ ପ୍ରବୃତ୍ତିକୁ ଫେରାଇ ଆଣିବା ପରେ ଖୋଲା ଜଙ୍ଗଲରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ମାର୍ଚ୍ଚ ୨୪ତାରିଖରେ ସୁନ୍ଦରୀ ସାତକୋଶିଆରୁ ନିଜ ଜନ୍ମମାଟିକୁ ଫେରି ଯାଇଥିଲା। ସେଠାରେ ତା’ର ପଶୁ ପ୍ରବୃତ୍ତି ଫେରାଇ ଆଣି ପୁଣି ଜଙ୍ଗଲକୁ ଛାଡ଼ିବାକୁ ଯୋଜନା ହୋଇଥିଲା। ବାଘୁଣୀ ସେଠାରେ ପ୍ରାୟ ବର୍ଷେ କାଳ ରହିଲା ପରେ ବି ସୁଧୁରିଲା ନାହିଁ। ମଣିଷ ଗନ୍ଧ ବାଜିଲେ, ଜନବସତି ଆଡ଼କୁ ସେ ମୁହାଁଉଥିବା ଜଣାପଡ଼ିଥିଲା। ମଣିଷଖିଆ ସୁନ୍ଦରୀକୁ ମୁକ୍ତ ଜଙ୍ଗଲରେ ଛାଡ଼ିବା ସୁରକ୍ଷିତ ନୁହେଁ ବୋଲି ବିଚାର କରି ତାକୁ ଗଲା ସପ୍ତାହରେ ମଧ୍ୟପ୍ରଦେଶର ଭୋପାଳସ୍ଥିତ ବନ ବିହାର ଜାତୀୟ ଉଦ୍ୟାନକୁ ପଠାଇ ଦିଆଯାଇଛି।
Follow Us