ଫୁଲବାଣୀ: ଗତ ଫେବ୍ରୁଆରି ୨୭ରେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ପରେ ନିର୍ମମ ଭାବେ ଛୁରିରେ ତାଙ୍କ ଗଳାକୁ କାଟି ହତ୍ୟା କରାଯାଇଥିଲା। ପରେ ଶବକୁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଏକମାସ ପରେ ସୋରଡ଼ା ଥାନା ଗାଜଲବାଡ଼ି ଜଙ୍ଗଲରୁ ତାଙ୍କ ଗଳିତ ଶବ ମିଳିଥିବା ବେଳେ ଏହି ଜଘନ୍ୟ କାଣ୍ଡରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଆଜି ଏଆଇସିସିର ଫ୍ୟାକ୍ଟ୍ ଫାଇଣ୍ଡି ଟିମ୍ ଆଜି କନ୍ଧମାଳ ଜିଲ୍ଲା ଆସି ମାମଲାର ତଦନ୍ତର ଅଗ୍ରଗତି ନେଇ ଅନୁଧ୍ୟାନ କରିଛନ୍ତି।
ଚାର୍ଜସିଟ୍ ଦାଖଲ ହୋଇ ନଥିବାରୁ ଅସନ୍ତୋଷ
ମୃତକଙ୍କ ପରିବାରକୁ ଭେଟିଲେ
ଜିଲ୍ଲା ପ୍ରଶାସନ ସହ ଆଲୋଚନା
ବରିଷ୍ଠ ସାଂସଦ ଦୀପା ଦାସମୁନ୍ସିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍ରେ ସାଂସଦ ରଞ୍ଜିତ ରଞ୍ଜନଙ୍କ ସମେତ ପ୍ରଣିତୀ ସିନ୍ଦେ, ସାଂସଦ ଜ୍ୟୋତିମଣି ଓ ଶୋଭା ଓଝା ପ୍ରମୁଖ ସାମିଲ ହୋଇଥିଲେ। ଟିମ୍ ସଦସ୍ୟଗଣ ମୃତକଙ୍କ ଗ୍ରାମକୁ ଯାଇ ତାଙ୍କ ପରିବାରବର୍ଗ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଉଚିତ ନ୍ୟାୟ ପ୍ରଦାନ ଦାବି କରିଛନ୍ତି। ତେବେ ଏଭଳି ସମ୍ବେଦନଶୀଳ ଘଟଣାରେ ତଦନ୍ତରେ ଶିଥିଳତା ଏବଂ ଚାର୍ଜସିଟ୍ ଦାଖଲରେ ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ସାଂସଦ ରଞ୍ଜିତ ରଞ୍ଜନ ଦାବି କରିଛନ୍ତି। ରାଜ୍ୟ ସରକାର ଓ ପୁଲିସ ଏଥିପ୍ରତି ସମ୍ବେଦନଶୀଳ ହେବାକୁ ଶ୍ରୀମତୀ ରଞ୍ଜନ କହିଛନ୍ତି। ପରେ ଟିମ୍ ସଦସ୍ୟମାନେ ଫୁଲବାଣୀ ସର୍କିଟ୍ ହାଉସରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଏସ୍ପି ହରୀଶ ବିସିଙ୍କ ସହ ବହୁ ସମୟ ଧରି ଆଲୋଚନା କରିଥିଲେ। କନ୍ଧମାଳ ଏସ୍ପି ହରୀଶ ବିସି କହିଛନ୍ତି, କମିଟି ସମ୍ମୁଖରେ ସମସ୍ତ ତଥ୍ୟ ରଖାଯାଇଥିଲା। ତଦନ୍ତକୁ ନେଇ ସଦସ୍ୟମାନେ ସନ୍ତୋଷ ପ୍ରକଟ କରିଛନ୍ତି। ସେହିପରି ଟିମ୍ ସହ ଯାଇଥିବା ଘୁ.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଦୋଷୀଙ୍କୁ ଫାଶୀଦଣ୍ଡ ଦାବି କରିଛନ୍ତି। ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ ସାନଖେମୁଣ୍ଡି ବିଧାୟକ ତଥା କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରଭାରୀ ରମେଶ ଜେନା, କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଚନ୍ଦ୍ରଶେଖର ପରିଡ଼ା ଓ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ସାମିଲ ହୋଇଥିଲେ।
Follow Us