ଚିକିଟି : ଚିକିଟି ଜମିଦାରୀର ଶେଷ ରାଜା ସଚ୍ଚିଦାନନ୍ଦ ରାଜେନ୍ଦ୍ର ନାରାୟଣ ଦେବ(୯୬)ଙ୍କ ଆଜି ଭୋର୍ରେ ଚିକିଟି ରାଜବାଟିରେ ପରଲୋକ ହୋଇଯାଇଛି। ଖବର ଶୁଣି ତିରୁପତି ଗସ୍ତରେ ଥିବା ଚିକିଟି ରାଜ ପରିବାରର ବୋହୁ ତଥା ବିଧାୟିକା ଉଷାଦେବୀ ଆସି ପହଁଞ୍ଚିଥିଲେ। ଚିକିଟି ରାଜ ପରିବାରର ତ୍ରିଗୁଣାତୀତ ଦେବ, ଦୁଗାର୍ପ୍ରସାଦ ଦେବ, ଶ୍ରୀରୂପ ଦେବଙ୍କ ଉପସ୍ଥିତିରେ ଚିକିଟିର ଶେଷ ରାଜାଙ୍କୁ ହଜାର ହଜାର ଜନତାଙ୍କ ଗହଣରେ ବାଜା ବାଜଣା ସହ ବଜାର ଛକ ସ୍ଥିତ ରାଜ ଶ୍ମଶାନକୁ ନିଆ ଯାଇଥିଲା। ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଶେଷକୃତ୍ୟ ନିମନ୍ତେ ରାଜାଙ୍କ ମର ଶରୀରକୁ ପୁରୀ ସ୍ବର୍ଗଦ୍ବାର ନିଆ ଯାଇଥିଲା। ସଚ୍ଚିଦାନନ୍ଦ ରାଜେନ୍ଦ୍ର ନାରାୟଣ ଦେବ ୧୯୨୩ ମସିହା ଅକ୍ଟୋବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୩୪ ମସିହାରେ ତାଙ୍କ ପିତା ଗୌରଚନ୍ଦ୍ର ରାଜେନ୍ଦ୍ର ନାରାୟଣ ଦେବଙ୍କ ମୃତ୍ୟୁ ପରେ ମାତ୍ର ୧୧ ବର୍ଷ ବୟସରେ ସେ ଚିକିଟି ରାଜଗାଦିରେ ଆସୀନ ହୋଇଥିଲେ। ୧୯୭୧ ଏବଂ ୧୯୭୪ ମସିହାରେ ଓଡ଼ିଶା ବିଧାନସଭାର ସଦସ୍ୟ ଭାବେ ଚିକିଟି ନିବାର୍ଚନମଣ୍ତଳୀରୁ କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିଲେ।
ଚିକିଟି ଜମିଦାରୀର ଶେଷ ରାଜା ରାଜେନ୍ଦ୍ର ନାରାୟଣ ଦେବଙ୍କ ପରଲୋକ
Advertisment
Follow Us