ବଳି ପଡିଲା ମାନବିକତା, ମାନସିକ ଭିନ୍ନକ୍ଷମଙ୍କୁ ଜୋରଜବରଦସ୍ତ ବିବାହ କରି ସୁଟିଂ କଲେ ଟିକଟକ ଭିଡିଓ

Advertisment
ବଳି ପଡିଲା ମାନବିକତା, ମାନସିକ ଭିନ୍ନକ୍ଷମଙ୍କୁ ଜୋରଜବରଦସ୍ତ ବିବାହ କରି ସୁଟିଂ କଲେ ଟିକଟକ ଭିଡିଓ

ବାହାନଗା(ପ୍ରମୋଦ କୁମାର ଶିଅଳ) ମଣିଷ ପଣିଆ ହଜିଗଲାଣି! କାହାର ବିବଶତା ଓ ଅଜ୍ଞତା ପ୍ରତି ଯେପରି କିଛି ଲୋକଙ୍କର ସମବେଦନା ହିଁ ନାହିଁ। ସମ୍ବେଦନହୀନ ସଭ୍ୟ ମଣିଷମାନେ ସେମାନଙ୍କ ଚାରିପାଖରେ ଦୟନୀୟ ଜୀବନ ବଂଚୁଥିବା ଅସହାୟ ମଣିଷମାନଙ୍କ ପ୍ରତି କଦର୍ଯ୍ୟ ବ୍ୟବହାର କରି ଅସଭ୍ୟତାର ପରି‌ଚୟ ଦେଉଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଗୋପାଳପୁର ବଜାରରେ। ଏଠାରେ ଦୁଇଜଣ ମାନସିକ ଭିନ୍ନକ୍ଷମଙ୍କୁ ସ୍ଥାନୀୟ କିଛି ଲୋକ ଜବରଦସ୍ତ ବିବାହ କରାଇବା ସହ ବଜାର ବୁଲାଇଛନ୍ତି। ଯାହା ମାନବିକ ଅଧିକାରକୁ ନେଇ ପ୍ରଶ୍ନ ଉଠାଇଛି। କେବଳ ଭିଡିଓ କରିନାହାଁନ୍ତି ବରଂ ଟିକଟକ ଭିଡିଓ ମଧ୍ୟ ସୁଟିଂ କରି ଭାଇରଲ କରିଛନ୍ତି |

publive-image

ସୂଚନା ଅନୁସାରେ; ଗୋପାଳପୁର ବଜାରରେ ଆଜିକୁ ୪୦ ବର୍ଷ ଧରି ଜଣେ ବୟସ୍କ ମାନସିକ ଓ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ରହୁଛନ୍ତି। ସେ ବିଭିନ୍ନ ଦୋକାନରେ କାମ କରି ପେଟ ପୋଷନ୍ତି। ସେହିପରି କିଛିଦିନ ତଳେ ବଜାରରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ସେ ବଜାରରେ ମାଗିଯାଚି ଯାହା ମିଳେ, ସେଥିରେ ଚଳନ୍ତି। ତେବେ ମଙ୍ଗଳବାର ସକାଳେ କିଛି ଲୋକ ସେମାନଙ୍କୁ ଧରି ସର୍ବସମ୍ମୁଖରେ ବିବାହ କରାଇଦେଇଥିଲେ। ପରେ ଉଭୟଙ୍କୁ ଧରି ବଜାର ବୁଲାଇଥିଲେ। ଏମିତି କି କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରି ମଜା ନେଇଥିଲେ।

ତେବେ ଆଶ୍ଚର୍ଯ୍ୟର କଥା; ଏହି ଅମାନବୀୟ ଘଟଣାକୁ ‌କେହି ବାରଣ ମଧ୍ୟ କରିନଥିଲେ। ଯାହା ମାନବ ଅଧିକାର ବିରୋଧୀ ବୋଲି ଅନେକ ବୁଦ୍ଧିଜୀବୀ କହିବା ସହ ଯେଉଁମାନେ ଏପରି କାମ କରିଛନ୍ତି, ସେମାନଙ୍କ ବିରୋଧରେ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି କହିଛନ୍ତି। ଏ ବାବଦରେ ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ବାରିକଙ୍କୁ ପଚରାଯାଇଥିଲା। ସେ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ସେହିପରି ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନଙ୍କ ମତାମତ ନେବାରୁ ସେ ଏହାକୁ ନିନ୍ଦା କରିବା ସହ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe