Image Courtesy of India Today
ଝାରସୁଗୁଡ଼ା: ଝାରସୁଗୁଡ଼ା ନିକଟ ବଡ଼ମାଲ ଥାନା ନିକଟ ବିଜୁ ଏକ୍ସପ୍ରେସ ୱେରେ ବୁଧବାର ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଦୁଇ ଜୀବନ ନେଇଛି। ଦୁର୍ଘଟଣାରେ ଦୁଇ ଭାଇ-ଭଉଣୀ ଆଖି ବୁଜିଛନ୍ତି। ଆସନ୍ତା ୩ ତାରିଖ ଦିନ ଭାଇ ଜିଉଁତିଆ ଓଷା ପାଇଁ ଭାଇ ରୂପେଶ ତାଙ୍କ ଭଉଣୀ ଅଞ୍ଜଳିଙ୍କୁ ଶାଶୂଘରୁ ନେଇ ତାଙ୍କ ଘରକୁ ଆସୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।
ବଡ଼ମାଲ ଥାନା ଅଧିକାରୀ ଅମିତାଭ ପଣ୍ଡାଙ୍କ ସୂଚନା ଅନୁଯାୟୀ, ବ୍ରଜରାଜନଗର ଛୁଆଲିବେର୍ଣ୍ଣା ଗ୍ରାମର ରୂପେଶ ସାହୁ(୨୫) ତାଙ୍କ ଭଉଣୀ ଅଞ୍ଜଳି ପ୍ରଧାନ(୨୮)ଙ୍କୁ ଯୁଯୁମୁରା ବସିଆପଡ଼ା ଶାଶୂଘରୁ ନେଇ ନିଜ ଘରକୁ ବାଇକ (ଓଡି ୨୩ ଏଚ୍ ୯୨୪୮)ରେ ଆସୁଥିଲେ। ସକାଳ ୮.୪୫ମି.ରେ ବସନ୍ତବିହାର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟିପର (ଓଡି୧୪ ଏକ୍ସ୧୮୦୧) ସହିତ ଧକ୍କା ହୋଇଥିଲା। ପୁଲିସ ଓ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସେଠାରେ ଭଉଣୀ ଅଞ୍ଜଳିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଭାଇ ରୂପେଶଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଭାଇ ରୂପେଶଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ପୁଲିସ ଉଭୟ ଗାଡ଼ିକୁ ଜବତ କରି ଭଉଣୀର ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଭାଇର ମୃତଦେହ ବୁର୍ଲାରେ ଥିବା ଜଣାପଡ଼ିଛି।
Follow Us