ଭୁବନେଶ୍ବର : ବଙ୍ଗୋପ ସାଗରର ତିତ୍ଲି ଏବଂ ଆରବ ମହାସାଗରରେ ‘ଲୁବାନ୍’ ଭୀଷଣ ବାତ୍ୟା ଏକାସାଙ୍ଗରେ ସୃଷ୍ଟି ହେବା ଅତି ବିରଳ ଘଟଣା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ବର୍ଣ୍ଣନା କରିଛି। କିନ୍ତୁ ଅତୀତରେ ଯେତେସଂଖ୍ୟକ ଏହି ଧରଣର ବାତ୍ୟା ହୋଇଛି ତିତ୍ଲି ପ୍ରଭାବରେ ମୃତାହତଙ୍କ ସଂଖ୍ୟା ଯଥେଷ୍ଟ କମ୍ ଥିଲା ବୋଲି ଆଇଏମ୍ଡି ବୟାନ ଦେଇଛି। ଫଳରେ ରାଜ୍ୟରେ ଅଧିକ ସଂଖ୍ୟକ ମୃତାହତକୁ ନେଇ ବିରୋଧୀ ସରକାରଙ୍କ ବାତ୍ୟା ମୁକାବିଲା ଉପରେ ଯେଉଁ ପ୍ରଶ୍ନ ଉଠାଇଛି ଆଇଏମ୍ଡିର ବୟାନ ପରେ ତାହା ଏକ ଭିନ୍ନମୋଡ଼ ନେବାର ସମ୍ଭାବନା ସୃଷ୍ଟି ହୋଇଛି।
ଉଭୟ ଭୀଷଣ ବାତ୍ୟା ତିତ୍ଲି ଓ ଲୁବାନ୍ ଉପରେ ବିଶେଷ୍ଲଣାତ୍ମକ ବୟାନ ରଖିଛି ଆଇଏମ୍ଡି। ଏ ନେଇ ଉପଗ୍ରହ ଚିତ୍ର ଜରିଆରେ ଯୁକ୍ତି ଉପସ୍ଥାପନ କରାଯାଇଛି। ଗତ ଅକ୍ଟୋବର ୭ରୁ ୧୩ ତାରିଖ ମଧ୍ୟରେ ତିତଲି ବାତ୍ୟା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ତାଣ୍ଡବଲୀଳା ରଚିଥିଲା। ବାତ୍ୟା ତିତଲି ପଲାସା ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ବେଳକୁ ଏହାର ଘଣ୍ଟା ପିଛା ବେଗ ୧୪୦ରୁ ୧୫୦ କି.ମି. ଏବଂ ସର୍ବାଧିକ ୧୬୫ କି.ମି. ରହିଥିଲା। ସେ ପଟେ ଲୁବାନ୍ ବାତ୍ୟା ୟେମେନ୍ ଓ ଓମାନ୍ ଅତିକ୍ରମ କରିବା ବେଳେ ତା’ର ଗତି ଥିଲା ଘଣ୍ଟାକୁ ୭୦ରୁ ୮୦ କି.ମି. ଏବଂ ସର୍ବାଧିକ ବେଗ ଥିଲା ୯୦ କି.ମି.। ତିତଲି ବାତ୍ୟା ଅତ୍ୟନ୍ତ ଦ୍ରୁତ ଗତିରେ ଘନୀଭୂତ ହେଉଥିବା ବେଳେ ଲୁବାନ୍ ଘନୀଭୂତ ହେବା ସାଙ୍ଗକୁ ଦୁର୍ବଳ ହେବା ଆରମ୍ଭ ହୋଇଯାଇଥିଲା।
ଅନ୍ୟପକ୍ଷରେ ବାତ୍ୟା ତିତ୍ଲି ହେଉ ବା ଲୁବାନ୍ ସଂପର୍କରେ ଆଇଏମ୍ଡି ଆଗୁଆ ସୂଚନା ଦେଇଥିବା ଦାବି କରିଛି। ଗତ ୮ ତାରିଖରେ ଲଘୁଚାପ ସୃଷ୍ଟି ହେବା ସଂପକର୍ରେ ତିନିଦିନ ପୂର୍ବରୁ ପୂର୍ବାନୁମାନ କରିଥିଲା। ସେହିପରି ତିତ୍ଲି ୧୧ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ୪୮ ଘଣ୍ଟା ପୂର୍ବରୁ ମଧ୍ୟ କହିଥିଲା। ଲୁବାନ୍ ବାତ୍ୟା କ୍ଷେତ୍ରରେ ଅନୁରୂପ ଭାବେ ପୂର୍ବାନୁମାନ କରିଥିଲା ବୋଲି ଉଲ୍ଲେଖ କରିଛି ଆଇଏମ୍ଡି।
Follow Us