ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ, ପାଣିରେ ପଡ଼ିଲା ପରିଷଦ ପାଣ୍ଠି

ଜାରିଂ ମେଡିକାଲ୍‌ କଲେଜର ୧୦ କୋଟି ଟଙ୍କା ଓ ୨୫ ଏକର ଜମି ଖତଖାଉଛି

ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ, ପାଣିରେ ପଡ଼ିଲା ପରିଷଦ ପାଣ୍ଠି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଜାରିଂଠାରେ ଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜ ସ୍ଥାପନ କରିବାରେ ପୂର୍ବତନ ଧର୍ମଗଡ଼ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ମୁଖ୍ୟ ଭୂମିକା ରହିଥିଲା। ସେଲଭାମ୍‌ ଚେରିଟେବୁଲ୍‌ ଟ୍ରଷ୍ଟର ମାଲିକ ସର୍ଦ୍ଦାର ଏସ୍‌. ରାଜା ଓ ପାଣ୍ଡିଆନ ଉଭୟ ତାମିଲନାଡ଼ୁ ରାଜ୍ୟର ବାସିନ୍ଦା ହୋଇଥିବା ଯୋଗୁଁ ଏହି ସିଙ୍ଗିଲ୍‌ ଟେଣ୍ଡର ଦଳବତ୍ତର ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ବର୍ତ୍ତମାନ ତୃତୀୟ ମହଲାର ସୁରକ୍ଷା ଯୋଗୁଁ ସରକାରୀ କଳ, ପ୍ରଶାସନ କିମ୍ବା ରାଜ୍ୟ ସରକାର ଜାରିଂ ମେଡିକାଲ କଲେଜ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଆଇଆର୍‌ବି ବାଟାଲିଅନ୍‌ର ଆଶ୍ରୟସ୍ଥଳୀ ପାଲଟିଛି। ରାଜ୍ୟ ସରକାରଙ୍କ ଡବ୍ଲୁଓଡିସି ପାଣ୍ଠିରୁ ୧୦ କୋଟି ଟଙ୍କା ଅନୁଦାନ ଓ ୨୫ ଏକର ଜାଗା ମାଗଣାରେ ଦିଆଯାଇଥିବାବେଳେ ଏହା କାମରେ ଆସୁନଥିବା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଜାରିଂଠାରେ ମେଡିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ଟେଣ୍ଡର ଆହ୍ବାନ କରି ଘରୋଇ ସଂସ୍ଥା ଓ ଡବ୍ଲୁଓଡିସି ଦ୍ବାରା ପିପିପି ମୋଡ୍‌ରେ ଏହାର ସ୍ଥାପନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୦୪ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାମିଲନାଡ଼ୁ ରାଜ୍ୟର ସେଲଭାମ ଚେରିଟେବୁଲ ଟ୍ରଷ୍ଟ ଜଣେ ମାତ୍ର ଘରୋଇ ସଂସ୍ଥା ଭାବେ ଟେଣ୍ଡର ପକାଇଥିଲା। ସେତେବେଳେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ପାଣ୍ଡିଆନ ଅବସ୍ଥାପିତ ଥିଲେ। ଜଣେ ମାତ୍ର ସଂସ୍ଥା ଟେଣ୍ଡର ପକାଇଥିବା ଯୋଗୁଁ ଟେଣ୍ଡରକୁ ବାତିଲ କରାଯାଇଥିଲା। ପାଣ୍ଡିଆନଙ୍କ ତାମିଲ ପ୍ରୀତି ଯୋଗୁଁ ତାଙ୍କ ପରୋକ୍ଷ ସମର୍ଥନରେ ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା ଓ ପରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରି ରାଜ୍ୟ ସରକାରଙ୍କୁ ମେଡିକାଲ କଲେଜ ସ୍ଥାପନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରାଯାଇଥିଲା।

ଶେଷରେ ରାଜ୍ୟ ସରକାର ବାଧ୍ୟ ହୋଇ ଜଣେ ମାତ୍ର ଘରୋଇ ସଂସ୍ଥାକୁ କ୍ୟାବିନେଟ ମୋହର ଦେବାକୁ ଏକ ରକମ ବାଧ୍ୟ ହୋଇଥିଲେ। ଫଳରେ ‌ସେଲଭମ ଚେରିଟେବୁଲ ଟ୍ରଷ୍ଟର ମୁଖ୍ୟ ଡ. ଏସ.ଏ. ସର୍ଦ୍ଦାର ରାଜା ଓ ଡବ୍ଲୁଓଡିସି ମଧ୍ୟରେ ୨୦୧୪ ଫେବ୍ରୁଆରି ୨୮ ତାରିଖରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ଜଣେ ମାତ୍ର ଘରୋଇ ସଂସ୍ଥାକୁ ଡବ୍ଲୁଓଡିସି ପକ୍ଷରୁ ୧୦ କୋଟି ଟଙ୍କା ଓ ୨୫ ଏକର ଜମି ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ଚୁକ୍ତି କରିଥିଲେ। ୧୦ କୋଟି ଟଙ୍କାରେ ଟ୍ରଷ୍ଟ ପକ୍ଷରୁ ମେଡିକାଲ କଲେଜ ନିର୍ମାଣ କରାଯାଇଥିଲା। ପାଣ୍ଡିଆନ ୨୫ ଏକର ଜମି ଓ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ପୂରାଦମ୍‌ରେ ଲାଗିଥିଲେ। ଚୁକ୍ତି ଅନୁଯାୟୀ ୫ ବର୍ଷ ମଧ୍ୟରେ ଚୁକ୍ତି ଖିଲାପ୍‌ କଲେ ସଂସ୍ଥା ସହ ଏମଓୟୁ ବାତିଲ ହେବ ବୋଲି ଉଲ୍ଲେଖ ରହିଥିଲା। ୨୦୦୯ ମସିହା ସୁଦ୍ଧା ଚୁକ୍ତିନାମା ଅନୁଯାୟୀ ହସ୍ପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ମଧ୍ୟ ଘରୋଇ ସଂସ୍ଥା ବିଫଳ ହୋଇଥିଲା।

କିନ୍ତୁ ପାଣ୍ଡିଆନଙ୍କ ଆଶୀର୍ବାଦ ଯୋଗୁଁ ତୃତୀୟ ମହଲାରୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେଇ ଏମଓୟୁ ବାତିଲ କରିବା ତ ଦୂରର କଥା ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ମଧ୍ୟ ଖେଳ ହୋଇଥିଲା। ଆବଶ୍ୟକ ପ୍ରଫେସର ପଦବି ଓ ଆନୁଷଂଗିକ ଭିତ୍ତିଭୂମି ଅଭାବ ସତ୍ତ୍ବେ ୨୦୧୩ –୧୪ରେ ୧୦୦ ସିଟ ପାଇଁ ଏମ୍‌ସିଆଇର ଅନୁମୋଦନ ଲାଭ କରିଥିଲା। ୨୦୧୪–୧୫ରେ ଏମ୍‌ସିଆଇ ଏହି ଅନୁମତିକୁ ବାତିଲ କରିଥିଲା। ଫଳରେ ଟ୍ରଷ୍ଟ ପକ୍ଷରୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବା ପରେ ୨୦୧୪–୧୫ ମସିହାରେ ୩୦ ଜଣ ଛାତ୍ର ନାମ ଲେଖାଇଥିଲେ। ସମୁଦାୟ ୧୩୦ ଜଣ ଛାତ୍ରଛାତ୍ରୀ ମେଡିକାଲ କଲେଜ ବନ୍ଦ ହେବା ଯୋଗୁଁ ଅଡ଼ୁଆରେ ପଡ଼ିଥିଲେ। ପାଣ୍ଡିଆନଙ୍କ ହସ୍ତକ୍ଷେପ ଯୋଗୁଁ ଏହି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମେଡିକାଲ କଲେଜରେ ଥଇଥାନ କରାଯାଇଥିଲା।

କିନ୍ତୁ ରାଜ୍ୟ ସରକାର ସେଲଭାମ ଚାରିଟେବୁଲ ଟ୍ରଷ୍ଟ ବିରୋଧରେ କୈାଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ଏପରିକି ଏମଓୟୁ ବାତିଲ ନକରିବା ପଛରେ ପାଣ୍ଡିଆନଙ୍କ ପ୍ରଚ୍ଛଦ ଭୂମିକା ରହିଥିଲା। ପାଣ୍ଡିଆନଙ୍କ ଯୋଗୁଁ ସରକାରରେ ଥିବା ରାଜନେତା କିମ୍ବା ପ୍ରଶାସନ ଟ୍ରଷ୍ଟ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ପାଇଁ ସାହାସ କରି ନଥିଲେ। ମାମଲା ସୁପ୍ରିମକୋର୍ଟରେ ପଡ଼ିରହିଥିବା ଆଳ ଦେଖାଇ ଟ୍ରଷ୍ଟ ବିରୋଧରେ କୈାଣସି ପଦକ୍ଷେପ ନେଉ ନଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ନାମକୁ ମାତ୍ର ଏହି କ୍ୟାମ୍ପସ୍‌ରେ ଆଇଆର୍‌ବି ବାଟାଲିଅନଙ୍କୁ ଆଶ୍ରୟ ଦିଆଯାଇଥିବାବେଳେ ଜିଲ୍ଲାବାସୀଙ୍କ କୈାଣସି କାମରେ ଆସିପାରୁ ନାହିଁ। ମୂଲ୍ୟବାନ ୨୫ ଏକର ଜମି ଓ ଡବ୍ଲୁଓଡିସି ପାଣ୍ଠିରେ ନିର୍ମିତ ହୋଇଥିବା ମେଡିକାଲ କଲେଜ କ୍ୟାମ୍ପସର ବ୍ୟବହାର ପାଇଁ କୈାଣସି ପଦକ୍ଷେପ ନନେବା ପଛରେ ପାଣ୍ଡିଆନଙ୍କ ମୁଖ୍ୟ ଭୂମିକା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe