ଆଜି ଅଁଳା ନବମୀ : ବିନା ଭକ୍ତରେ ହେବ ଦେବ ନୀତି, ମନ୍ଦିର ପାଖରେ ୧୪୪ ଧାରା

Advertisment
ଆଜି ଅଁଳା ନବମୀ : ବିନା ଭକ୍ତରେ ହେବ ଦେବ ନୀତି, ମନ୍ଦିର ପାଖରେ ୧୪୪ ଧାରା

YouTube

ସାକ୍ଷୀଗୋପାଳ : ପବିତ୍ର ଅଁଳା ନବମୀ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ କୋଭିଡ୍‌ କଟକଣା ଭିତରେ କିଭଳି ନୀତି ଅନୁଷ୍ଠିତ ହେବ, ସେ ନେଇ ମନ୍ଦିର କର୍ତ୍ତୃପକ୍ଷ ଓ ପ୍ରଶାସନ ଗତ ସପ୍ତାହରେ ବୈଠକ କରିଥିଲେ। ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ବିନା ଭକ୍ତରେ ମନ୍ଦିରରେ ଦେବ ନୀତି ଅନୁଷ୍ଠିତ ହେବ।

ପବିତ୍ର ଅଁଳା ନବମୀ ଓ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଏହି ଦିନ ଅର୍ଥାତ କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥାଏ। ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଥାଏ। ନିର୍ମିତ ବ୍ୟାରିକେଡ୍‌ ମଧ୍ୟରେ ପ୍ରାୟ ୨ କିଲୋମିଟର ଲମ୍ବା ଧାଡ଼ିରେ ଦୀର୍ଘ ତିନି ଚାରି ଘଣ୍ଟା ଧରି ଅପେକ୍ଷା କରି ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନେ ମା’ଙ୍କ ପାଦ ଦର୍ଶନ କରିଥାନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥାଏ। ତେବେ ଚଳିତବର୍ଷ କୋଭିଡ୍‌ କଟକଣା ଦୃଷ୍ଟିରୁ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ପ୍ରତିବର୍ଷ ଭଳି ଏଥର ଜନ ସମାଗମ ହେବନାହିଁ। ଇତିହାସରେ ପ୍ରଥମ କରି ବିନା ଭକ୍ତରେ ଅଁଳା ନବମୀ ଓ ପାଦ ଦର୍ଶନ ଅନୁଷ୍ଠିତ ହେଉଥିବା କୁହାଯାଉଛି। ଚଳିତବର୍ଷ କୋଭିଡ୍‌ କଟକଣା ଯୋଗୁଁ ପ୍ରଶାସନ ତରଫରୁ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ କରା ଯାଇଥିବାବେଳେ ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଦେବନୀତି ପାରମ୍ପରିକ ରୀତିରେ ଅନୁଷ୍ଠିତ ହେବ। ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କର ଓଡ଼ିଆଣୀ ବେଶ ଓ ଠାକୁର ଶ୍ରୀଶ୍ରୀ ଗୋପାଳ ଜୀଉଙ୍କର ନଟବର ବେଶ ଅନୁଷ୍ଠିତ ହେବ। ମାତ୍ର ଭକ୍ତ ମାନେ ଦର୍ଶନରୁ ବଞ୍ଚିତ ହେବେ।

ଅନ୍ୟପକ୍ଷରେ ଅଁଳା ନବମୀର ଅବ୍ୟବହିତ ପୂର୍ବରୁ ମନ୍ଦିର ପରିସରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ସନ୍ଧ୍ୟାରେ ସାକ୍ଷୀଗୋପାଳ ମନ୍ଦିର ରଙ୍ଗବେରଙ୍ଗ ଆଲୋକରେ ଝଲସି ଉଠୁଛି। ନିୟନ୍ତ୍ରିତ ବଜାର କମିଟି ତରଫରୁ ମନ୍ଦିର ଚାରିପଟ ଓ ସାକ୍ଷୀଗୋପାଳ ବଜାର ମଧ୍ୟ ସଫା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe