ଆଜି କୁମାର ପୂର୍ଣ୍ଣମୀ, ଚନ୍ଦ୍ରଗ୍ରହଣ: ରାତି ୧ଟା ୪ରେ ଗ୍ରହଣ ସ୍ପର୍ଶ, ୨ଟା ୨୪ରେ ସର୍ବମୋକ୍ଷ

ଦିନ ୪ଟା ୪ରୁ ପାକ ନିଷେଧ

ଆଜି କୁମାର ପୂର୍ଣ୍ଣମୀ, ଚନ୍ଦ୍ରଗ୍ରହଣ: ରାତି ୧ଟା ୪ରେ ଗ୍ରହଣ ସ୍ପର୍ଶ, ୨ଟା ୨୪ରେ ସର୍ବମୋକ୍ଷ

Mid-day

ପୁରୀ: ଅକ୍ଟୋବର ୨୮ ତାରିଖ ଶନିବାର କୁମାର ପୂର୍ଣ୍ଣିମା। କୁମାର ପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଏହିଦିନ ପୁରୀକୁ ରାତି ୧ ଘଣ୍ଟା ୪ ମିନିଟ୍‌ ୫୫ ସେକେଣ୍ଡ୍‌ରେ ଗ୍ରହଣ ସ୍ପର୍ଶ କରୁଛି। ରାତି ୨ ଘଣ୍ଟା ୨୪ ମିନିଟ୍‌ ୨ ସେକେଣ୍ଡ୍‌ରେ ସର୍ବମୋକ୍ଷ(ଗ୍ରହଣ ଛାଡ଼ିବ) ହେଉଛି। ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ୍‌ ୭ ସେକେଣ୍ଡ୍‌। ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ଣ ୪ ଘଣ୍ଟା ୪ ମିନିଟ୍‌ ୫୫ ସେକେଣ୍ଡ୍‌ରୁ ପାକତ୍ୟାଗ ସହ ଦେବ ନୀତି ନିଷେଧ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଆଜି ବିଳମ୍ବିତ ରାତିରୁ ଆସନ୍ତାକାଲିର ନୀତିକାନ୍ତି ଆରମ୍ଭ ହୋଇଛି।

ସେପଟେ କୁମାର ପୂର୍ଣ୍ଣିମାରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ବିଜେ କରିବେ। ମଧ୍ୟାହ୍ନଧୂପ ପରେ ଅର୍ଥାତ୍‌ ପ୍ରାୟ ୧୨ଟା ପରେ ଚଉଦୋଳରେ ବିଜେ ପର୍ବ ଆରମ୍ଭ ହେବ। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ଶ୍ରୀମନ୍ଦିରରୁ ବାହାରି ଚକ୍ରରାଜ ସୁଦର୍ଶନ ମାର୍କଣ୍ଡେୟ, ଅଙ୍ଗିରା, ଭୃଗୁ ଓ କଣ୍ଡ ଆଦି ଚାରି ଆଶ୍ରମ ବିଜେ କରିବେ। ଗ୍ରହଣ ଥିବାରୁ ପୂଜାର୍ଚ୍ଚନା ହେବନି, କେବଳ ସର୍ପମଣୋହୀ ନୀତି ସଂପନ୍ନ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପାଳିଆ ସେବକଙ୍କର ସହଯୋଗ ଲୋଡ଼ିଛି।

ଅନ୍ୟପଟେ ଏହି ଚନ୍ଦ୍ରଗ୍ରହଣ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ପୂର୍ବାଷଢ଼ା ଧନିଷ୍ଠା ନକ୍ଷତ୍ର ଜନ୍ମିତ ବ୍ୟକ୍ତି ପାଇଁ ଅଶୁଭ ଥିବାବେଳେ ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନ ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ଫଳଦାୟକ ବୋଲି କହିଛନ୍ତି ଜ୍ୟୋତିର୍ବିଦ୍‌ ହରିଶଙ୍କର ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି, ଗ୍ରହଣ ସମୟରେ ଦାନ, ଜପ ଓ ତପ କଲେ, ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶ ହେବା ମାତ୍ରେ ନୀତି ଆରମ୍ଭ ହୋଇଥାଏ।

ଏହା ଶ୍ରୀମନ୍ଦିରର ସ୍ୱତନ୍ତ୍ରତା। ଚନ୍ଦ୍ରଗ୍ରହଣ ପାଇଁ ଭୋର ୪ଟା ୧୫ରେ ଅବକାଶ ପରେ ସାଢ଼େ ୪ଟାରୁ ସାଢ଼େ ୫ଟା ଭିତରେ ମହାପ୍ରଭୁ ରାଈଦାମୋଦର ବେଶରେ ଦର୍ଶନ ଦେବେ। ସକାଳ ୫ଟାରେ ରୋଷହୋମ ପରେ ଅନ୍ୟାନ୍ୟ ନୀତି ବଢ଼ିବ। ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ସକାଳ ଧୂପ, ୮ଟାରୁ ସାଢ଼େ ୮ଟା ଭିତରେ ବାଳଧୂପ ଓ ୮ଟା ୧୦ରେ ଭୋଗମଣ୍ଡପ ଉଠିବ। ପୂର୍ବାହ୍ଣ ୧୦ଟାରେ ଭୋଗମଣ୍ଡପ ଶେଷ ହେବ। ପୂର୍ବାହ୍ଣ ସାଢ଼େ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟାହ୍ନ ଧୂପ, ଦକ୍ଷିଣି ଘର ଭୋଗ ପରେ ଅପରାହ୍ଣ ସାଢ଼େ ଗୋଟାଏରେ ମା’ ଲକ୍ଷ୍ମୀ ଓ ସରସ୍ବତୀ ଖଟ ଶେଜ ଘରକୁ ବିଜେ କରିବେ। ସନ୍ଧ୍ୟା ୬ଟାରେ ସୁଦର୍ଶନ ଦେବଙ୍କ ବାହୁଡ଼ା ବିଜେ ପରେ ରାତି ୭ଟାରେ ତଡ଼ପ ଉତ୍ତରି ଲାଗି, ରାତି ସାଢ଼େ ଗୋଟାଏରେ ମଇଲମ, ରାତି ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ। ରାତି ସାଢ଼େ ୨ଟାରେ ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା, ବେଶ ଶେଷ ପରେ ଭୋର ସାଢ଼େ ୪ଟାରେ ଆଳତି, ୪ଟା ୫୦ରେ ଫଳ ସମର୍ପଣ, ୫ଟାରେ ମାଧବ ଲକ୍ଷ୍ମୀ ମନ୍ଦିରକୁ ବିଜେ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe