ଆଜି ରାକ୍ଷୀ ପୂର୍ଣ୍ଣିମା, ଏଥର ବେପାର ମାନ୍ଦା

Advertisment
ଆଜି ରାକ୍ଷୀ ପୂର୍ଣ୍ଣିମା, ଏଥର ବେପାର ମାନ୍ଦା

ସମ୍ବଲପୁର : ଗୁରୁବାର ରାକ୍ଷୀ ପୂର୍ଣ୍ଣିମା। ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଭଲପାଇବା ଓ ବନ୍ଧୁତ୍ୱକୁ ଦୃଢ଼ କରିବାର ପର୍ବ। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ ଓ ଭାଇର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥାଏ। ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ତା ସହିତ ଭଉଣୀକୁ ଖୁସି କରିବା ପାଇଁ କିଛି ଉପହାର ବି ଦେଇଥାଏ। ରାକ୍ଷୀକୁ ବ୍ୟବସାୟୀମାନେ ମଧ୍ୟ ଚାହିଁ ରହିଥାନ୍ତି। ସମ୍ବଲପୁର ସହରରେ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ରାକ୍ଷୀ ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରେ ଦୋକାନ ଖୋଲିଥିଲେ। କିନ୍ତୁ ଚଳିତବର୍ଷ ଆଶାନୁରୂପ ବ୍ୟାବସାୟ ହେଉନଥିବା ବ୍ୟବସାୟୀମାନେ କହିଛନ୍ତି। ଗୋଲବଜାରରେ ବ୍ୟବସାୟୀମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବା ଦେଖିବାକୁ ମିଳିଥିଲା। କିଏ ୫୦% ରିହାତି ଡାକି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଏ ଗୋଟିଏରେ ଗୋଟିଏ ମାଗଣା ବୋଲି କହି ଗ୍ରାହକଙ୍କୁ ଡାକୁଥିଲା।

publive-image

ଚଳିତବର୍ଷ ବଜାରରେ ଛୋଟ ପିଲାଙ୍କ ପାଇଁ ସବୁଠାରୁ ଅଧିକ ପ୍ରକାରର ରାକ୍ଷୀ ଉପଲବ୍ଧ ଥିଲା। କାର୍ଟୁନ୍‌ ରାକ୍ଷୀ(ଡୋରେମନ୍‌, ବାଲ୍‌ ହନୁମାନ, ଲିଟିଲ କ୍ରିଷ୍ଣା, ସ୍ପାଇଡର୍‌ମ୍ୟାନ୍‌, ସୁପରମ୍ୟାନ୍‌), ପବ୍‌ଜି ରାକ୍ଷୀ, ଲାଇଟ୍‌ ରାକ୍ଷୀ ଆଦିର ଚାହିଦା ସବୁଠାରୁ ଅଧିକ ରହିଥିଲା। ଏହି ରାକ୍ଷୀର ଦର ୨୦ ଟଙ୍କାରୁ ଆରମ୍ଭ ହୋଇ ୮୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା। କଡ଼ା ରାକ୍ଷୀ, ଫୁଲ ରାକ୍ଷୀ, ବକ୍ସ ରାକ୍ଷୀ, ଷ୍ଟୋନ୍‌ ଓ ମାଳି ରାକ୍ଷୀର ମଧ୍ୟ ଚାହିଦା ରହିଥିବା ବେଳେ ଝିଅଙ୍କ ପାଇଁ ଚୁଡ୍‌ ରାକ୍ଷୀ ବଜାରରେ ବିକ୍ରି ହୋଇଥିଲା। ରାକ୍ଷୀ ପାଇଁ ଉପହାର ଦୋକାନରେ ବି ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ଚକୋଲେଟ୍‌ର ସେଲିବ୍ରେସନ୍‌ ପ୍ୟାକ୍‌ ଠାରୁ ଡ୍ରେସ୍‌ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଦୋକାନରେ ଭିଡ ଲାଗିଥିଲା। ଅନ୍‌ଲାଇନ୍‌ରେ ମଧ୍ୟ ଅନେକ ରାକ୍ଷୀ ମଗାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe