ଆଜି ରସଗୋଲା ଦିବସ: ଜିଆଇ ମାନ୍ୟତା ପରେ ଶୋଇଗଲେ କି ସରକାର!

Advertisment
ଦୀପାବଳିରେ ବିଏମ୍‌ସିର ସ୍ୱତନ୍ତ୍ର ପଦକ୍ଷେପ: ପ୍ରମୁଖ ମିଠା ଦୋକାନରେ ଖାଦ୍ୟ ଯାଂଚ୍ ସ୍କ୍ୱାର୍ଡର ଚଢ଼ଉ

୨ ବର୍ଷ ପରେ ବି ଯୋଜନାରେ ‘ରସଗୋଲା କ୍ଲଷ୍ଟର’
ପ୍ରସ୍ତାବିତ କ୍ଲଷ୍ଟର୍‌ କେବଳ ଜାଗା ଚିହ୍ନଟରେ ସୀମିତ
ଜାତୀୟସ୍ତରରେ ପାହାଳ ‌ରସଗୋଲାର ବ୍ରାଣ୍ଡିଂ ବିଳମ୍ବିତ

ଭୁବନେଶ୍ବର : ପଶ୍ଚିମବଙ୍ଗ ରସଗୋଲା ଜିଆଇ ମାନ୍ୟତା ପାଇବା ପରେ ଚେଇଁ ଉଠିଥିଲା ଆମ ଓଡ଼ିଆ ପ୍ରାଣ। ରସଗୋଲା ଯେ ଓଡ଼ିଶାର, ଏଥିପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ହେଲା। ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ଏହାପରେ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା ଏବଂ ୨୦୧୯ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା। ଆଉ ଆମ ଓଡ଼ିଆଙ୍କ ଛାତି କୁଣ୍ଢେମୋଟ ହୋଇଗଲା। ତେବେ ସେତିକିରେ ବୋଧେ ସରିଗଲା ଆମ ରସଗୋଲା ପ୍ରେମ। ୟା ଭିତରେ ରସଗୋଲା ଜିଆଇ ମାନ୍ୟତା ପାଇବ‌ାର ୨ ବର୍ଷ ବିତିଗଲାଣି। କିନ୍ତୁ ଭୁବନେଶ୍ବର ସହର ଭିତରେ ‘ରସଗୋଲା ହବ୍’ ଓ ପାହାଳରେ ‘ରସଗୋଲା କ୍ଲଷ୍ଟର’ ହେବା ଯୋଜନା ଯୋଜନାରେ ରହିଗଲା। କ୍ଲଷ୍ଟର ପାଇଁ କେବଳ ଜାଗା ଚିହ୍ନଟ ହୋଇଛି ସିନା; କିନ୍ତୁ ୨ ବର୍ଷ ପରେ ବି ଇଟା ଖଣ୍ଡେ ପଡ଼ି ପାରିଲା ନାହିଁ।

publive-image Telegraph India

ସାଧାରଣତଃ ଜିଆଇ ମାନ୍ୟତା ପାଇବା ପରେ ଏହାର ବୈଧତା ୧୦ ବର୍ଷ ରହେ। ଅର୍ଥାତ ୨୦୨୯ ଯାଏ ଓଡ଼ିଶା ରସଗୋଲାର ଜିଆଇ ମାନ୍ୟତା ବୈଧ ରହିବ। କିନ୍ତୁ ଏହି ୧୦ ବର୍ଷରୁ ୨ ବର୍ଷ ବିତି ଯାଇଥିଲେ ବି ପାହାଳ ରସଗୋଲାକୁ ‌ସର୍ବଭାରତୀୟସ୍ତରରେ ଏକ ବିଶେଷ ପରିଚିତି ବା ବ୍ରାଣ୍ଡ କରିବାରେ ଆମେ ପାଦେ ବି ଆଗକୁ ଯାଇପାରିଲୁନାହିଁ। ଏଥିପାଇଁ କେବଳ ଜାଗା ଚିହ୍ନଟ ହୋଇଥିବା ବେଳେ ଏହାର ହସ୍ତାନ୍ତର, କ୍ଲଷ୍ଟର ପ୍ରତିଷ୍ଠା, ରସଗୋଲାର ଆଧୁନିକ ପ୍ରସ୍ତୁତି, ପ୍ୟାକେଜିଂ ଓ ବ୍ରାଣ୍ଡିଂ ଆଦି କେବେ ହେବ, ସେନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ମାତ୍ର ଉତ୍ତର ଦେବାକୁ କେହି ନାହାନ୍ତି। ଏନେଇ ପାହାଳ ରସଗୋଲା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତିର ସଭାପତି ଅକ୍ଷୟ କୁମାର ଲେଙ୍କା କହିଛନ୍ତି ଯେ ପାହାଳରେ ରସଗୋଲା କ୍ଲଷ୍ଟର ପଇଁ ଇଡ୍‌କୋ ପକ୍ଷରୁ ଜାଗା ଚିହ୍ନଟ କରାଯାଇଥିବା ବେଳେ ନାମ ପଞ୍ଜୀକରଣ ବି ହୋଇସାରିଛି। ଏହାର ଅଧିକାର ହସ୍ତାନ୍ତର ପାଇଁ ସମିତି ପକ୍ଷରୁ ସୋମବାରଠାରୁ ପ୍ରକ୍ରିୟା ଆରମ୍ଭ ହେବ।

ଉଲ୍ଲେଖଯୋଗ୍ୟ ଯେ ୨୦୨୦ ଡିସେମ୍ବର ୧୨ ତାରିଖରେ ‘ରସଗୋଲା କ୍ଲଷ୍ଟର’ ଯୋ‌ଜନା କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର ପାହାଳରେ କମନ୍‌ ଫେସିଲିଟି ସେଣ୍ଟର (ସିଏଫ୍‌ସି) ନିମନ୍ତେ ଦେଢ଼ ଏକର ଜାଗା ଯୋଗାଇ ଦେଇଥିଲେ। ମିଠା କାରିଗରମାନଙ୍କୁ ସଂଗଠିତ କରି ସେମାନଙ୍କ ବିକାଶ ଦିଗରେ ଏହି କ୍ଲଷ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ। ପାହାଳର ୮୪ ଜଣ ମିଠା କାରିଗର ଏହି କ୍ଲଷ୍ଟର ଜରିଆରେ ଉପକୃତ ହେବେ। ଅତ୍ୟାଧୁନିକ ଉପାୟରେ ମିଠା ପ୍ରସ୍ତୁତି ସହ ରାଜ୍ୟ ଓ ଦେଶ ବାହାରକୁ ମିଠା ପଠାଇ ଅଧିକ ରୋଜଗାରକ୍ଷମ ହେବେ। ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବା ବେଳେ ପାହାଳ ରସଗୋଲାକୁ ଦେଶ ଓ ରାଜ୍ୟ ବାହାରେ ବ୍ରାଣ୍ଡିଂ କରିବାରେ ଏହା ସହାୟକ ହେବ। ପାହାଳର ଶତାଧିକ ରସଗୋଲା ବ୍ୟବସାୟୀଙ୍କୁ ଏଭଳି ଅନେକ ଆଶା ଦିଆଯାଇଥିଲା। ମାତ୍ର ଏଯାଏ ସେମାନଙ୍କ ଆ‌ଶା ପୂରଣ ହୋଇପାରି ନାହିଁ।

publive-image YouTube

ରସଗୋଲା କ୍ଲଷ୍ଟର୍ ପାଇଁ ୧୦ କୋଟିର ଯୋଜନା
ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଓ କଟକସ୍ଥିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ସହଯୋଗରେ ଏହି କ୍ଲଷ୍ଟର ସ୍ଥାପନ ହେବ। ଏଥିପାଇଁ ମୋଟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ବ୍ୟୟ ହେବାକୁ ଥିବା ଖର୍ଚ ବାବଦ ଟଙ୍କାରୁ ୭ କୋଟି ଟଙ୍କା ଭାରତ ସରକାର, ୨ କୋଟି ଟଙ୍କା ରାଜ୍ୟ ସରକାର ଓ ୧ କୋଟି ଟଙ୍କା ମିଠା କାରିଗରମାନେ ବହନ କରିବେ। ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ହେବ। ଏହାର ଡାଏଗ୍ନୋଷ୍ଟିକ୍‌ ଷ୍ଟଡି ପ୍ରସ୍ତୁତ କରି ଅନୁମୋଦନ ପାଇଁ ଭାରତ ସରକାରଙ୍କୁ ପଠାଇ ଦିଆଯାଇଛି। କମନ୍‌ ଫେସିଲିଟି ସେଣ୍ଟର ମଧ୍ୟରେ ରସଗୋଲା, ଛେନାପୋଡ଼, ଛେନାଗଜା ଓ କ୍ଷୀରରୁ ଛେନା ପ୍ରସ୍ତୁତି ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ପ୍ୟାକେଜିଂ, ଷ୍ଟୋରେଜ୍‌, ଟେଷ୍ଟିଂ ଲାବରୋଟାରି ଓ ଗୋଦାମ ରହିବ। ଫଳରେ ମିଠା କାରିଗରମାନେ ଅଧିକ ଉତ୍ପାଦନ ସହ ଏହାକୁ ରାଜ୍ୟ ଓ ଦେଶ ବାହାରକୁ ପଠାଇ ଭଲ ରୋଜଗାର କରିପାରିବେ ବୋଲି ଯୋଜନା ହୋଇଛି। ତେବେ ଆସନ୍ତା ୮ ବର୍ଷ ଭିତରେ ଏ ସବୁ କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।

publive-image pakwangali.in

ରସଗୋଲା ଦିବସରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର
ଶ୍ରୀମନ୍ଦିର ପରମ୍ପରାରେ ‘ନୀଳାଦ୍ରି ବିଜେ’ରେ ରସଗୋଲା ଭୋଗ ହୋଇଥାଏ। ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥା’ନ୍ତି। ଏଣୁ ଓଡ଼ିଶାରେ ରସଗୋଲାକୁ ଅଧିକ ପ୍ରଚାରପ୍ରସାର ଓ ଲୋକପ୍ରିୟ କରିବାକୁ କିଛି ବର୍ଷ ହେଲା ଏହି ଦିନକୁ ‘ରସଗୋଲା ଦିବସ’ ଭାବେ ପାଳନ କରାଯାଇ ଆସୁଛି। ‘ଆମ ପାହାଳ ରସଗୋଲା ଫାଉଣ୍ଡେସନ୍‌’ ପକ୍ଷରୁ ପ୍ରତିବର୍ଷ ଏହି ରସଗୋଲା ଦିବସରେ ବଡ଼ ଧରଣର କାର୍ଯ୍ୟକ୍ରମର ଆୟୋଜନ କରି ରସଗୋଲା ବାଣ୍ଟିଥା’ନ୍ତି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଫାଉଣ୍ଡେସନ୍‌ ପକ୍ଷରୁ ରସଗୋଲା ବଣ୍ଟନ କାର୍ଯ୍ୟକ୍ରମ ବଦଳରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ ହେବ ବୋଲି କୁହାଯାଇଛି। ପାହାଳର ୮୪ ଜଣ ବ୍ୟବସାୟୀ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe