ଆଜି ସୁନାବେଶ: ସୁନାରେ ଛାଉଣି ହେବେ ଦାରୁବ୍ରହ୍ମ, ସନ୍ଧ୍ୟା ୫ଟାରୁ ବେଶ ଆରମ୍ଭ, ରାତି ୧୧ଟା ମଧ୍ୟରେ ଓଲାଗି

ମହଣ ମହଣ ସୁନାରେ ଛାଉଣି ହେବେ ଦାରୁବ୍ରହ୍ମ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ। ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଛନ୍ତି।

suna besa

Photograph: (Lucky India Hotels)

ପୁରୀ: ମହଣ ମହଣ ସୁନାରେ ଛାଉଣି ହେବେ ଦାରୁବ୍ରହ୍ମ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ। ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଛନ୍ତି। ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିବେ ଜଗତାଧିପତି। ଆପାଦ ମସ୍ତକ ସୁନାରେ ସଜେଇ ହୋଇ ମହାପ୍ରଭୁ ରାଜବେଶରେ ଦର୍ଶନ ଦେଉଥିବାରୁ, ଏହି ବେଶ ସଂଦର୍ଶନ ପାଇଁ ବହୁ ଭକ୍ତ ଉତ୍କଣ୍ଠାରେ ପ୍ରତୀକ୍ଷା କରିଛନ୍ତି। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଓ ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେବେ।।

ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି (ଖୋଲା ହେବ) ହେବ। ନୀତିକାନ୍ତି ସଅଳ ହେଲେ, ଅପରାହ୍ଣରୁ ସୁନାବେଶ ଦର୍ଶନର ସୁଯୋଗ ପାଇପାରିବେ ଭକ୍ତ। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଉଛି। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ଦର୍ଶନ ପାଇଁ ପ୍ରବେଶ କରିବେ। ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରିବେ। ନିର୍ଘଣ୍ଟ ନୀତି ଅନୁଯାୟୀ, ରବିବାର ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ଭିତରେ ଶେଷ ହେବ। ରାତି ୧୦ଟାରୁ ୧୧ଟା ଭିତରେ ସୁନାବେଶ ମଇଲମ(ଖୋଲାଯିବ) ହେବ। ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ରାତି ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ କରିବେ। ଭୋର ୪ଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe