Advertisment

ଆଜି ବିଶ୍ବ ବାଇସାଇକେଲ୍‌ ଦିବସ: ଫିଟ୍‌ନେସ୍‌ ଓ ପରିବେଶ ସୁରକ୍ଷା ପାଇଁ ବଢ଼ୁଛି ଆଦର

Advertisment

ସଚେତନତା ସୃଷ୍ଟି କରୁଛି ସାଇକେଲ୍‌ କ୍ଲବ୍‌

ସଚେତନତା ସୃଷ୍ଟି କରୁଛି ସାଇକେଲ୍‌ କ୍ଲବ୍‌

ଆଜି ବିଶ୍ବ ବାଇସାଇକେଲ୍‌ ଦିବସ: ଫିଟ୍‌ନେସ୍‌ ଓ ପରିବେଶ ସୁରକ୍ଷା ପାଇଁ ବଢ଼ୁଛି ଆଦର

ରାନୀ ନାୟକ

ଭୁବନେଶ୍ବର: ଦିନଥିଲା ଶୂନଗାଡ଼ି ବା ସାଇକେଲ ପରିବହନର ବଡ଼ ମାଧ୍ୟମ ଥିଲା। ଲୋକେ କୌଣସି ସ୍ଥାନକୁ ଯାତାୟାତ ପାଇଁ ସାଇକେଲ ଉପରେ ଭରସା କରୁଥିଲେ। ସେହି ସମୟରେ ସାଇକେଲ ଆବଶ୍ୟକତା ଅଧିକ ଥିଲା। ହେଲେ ଏବେ ବ୍ୟକ୍ତିଗତ ଯାତାୟାତ ପାଇଁ କାର୍‌ ଓ ବାଇକ୍‌ ରାସ୍ତାକୁ କବ୍‌ଜା କରି ନେଇଛନ୍ତି। ତାହାରି ଭିତରେ କିଛି ହାତଗଣତି ସାଇକେଲ ଗଡ଼ୁଛି ସତ, କିନ୍ତୁ ତାହା ଯାତାୟାତର ଜରୁରୀ ମାଧ୍ୟମ ହୋଇ ରହିନାହିଁ। ସ୍ବାସ୍ଥ୍ୟ ସଚେତନ ଲୋକେ ଫିଟ୍‌ନେସ୍‌ ଓ ପରିବେଶ ସୁରକ୍ଷାକୁ ନଜରରେ ରଖି ସାଇକେଲ ବ୍ୟବହାର କରୁଛନ୍ତି। ଗତ କିଛି ବର୍ଷ ହେଲା ସାଇକେଲ ମାନିଆ ଦେଖାଦେଇଛି। ସକାଳୁ ସକାଳୁ ରାଜଧାନୀର ବହୁ ରାସ୍ତାରେ ଲୋକମାନେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ସେଲିବ୍ରେଟି, ରାଜନେତା ଓ ବହୁ ଉଚ୍ଚପଦସ୍ଥ ଅଧିକାରୀ ନିୟମିତ ସାଇକେଲ ଚଳାଇବାର ଦେଖିବାକୁ ମିଳୁଛି। ସହରର ବିଭିନ୍ନ ସ୍ଥାନରେ ସାଇକେଲ କ୍ଲବ୍‌ମାନ ମଧ୍ୟ ଗଠନ ହେଲାଣି।

ରାଜଧାନୀବାସୀଙ୍କର ସାଇକେଲ ଚଳାଇବା ପ୍ରତି ଆଗ୍ରହ ଦେଖି ସହରରେ ବିଭିନ୍ନ ସାଇକେଲ ଦୋକାନ ଖୋଲିବାରେ ଲାଗିଛି। ୫ହଜାର ଟଙ୍କାରୁ ଆରମ୍ଭ କରି ସାଢ଼େ ୮ଲକ୍ଷ ଟଙ୍କାର ସାଇକେଲ୍‌ ବଜାରରେ ଉପଲବ୍ଧ ହେଉଛି। ହିରୋ, ବିଏସ୍‌ଏ, ଟାଟା, ଫାୟାର ଫକ୍ସ, ନାଇନ୍‌ ୱାନ୍‌, ରାଲେ, ହରକୁଲେସ୍‌ ଆଦି ବ୍ରାଣ୍ଡର ସାଇକେଲ୍‌ ୫ହଜାରରୁ ନେଇ ୨୫ ହଜାର ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି ସ୍କୁଟ୍‌, ଟ୍ରେକ୍‌, ଜେଣ୍ଟ, ମେରିଡା, ପଲିଗନ୍‌, ଜାଭା ଆଦି ସାଇକେଲର ଦାମ୍‌ ୫୦ ହଜାରରୁ ନେଇ ୮ଲକ୍ଷଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ଲୁଇସ୍‌ ରୋଡ୍‌ରେ ଥିବା ‘ସାଇକେଲ୍‌ ଇନ୍‌ ସିଟିର’ର ବ୍ୟବସାୟୀ ବାରିଶ ଖାନ୍‌ କହିଛନ୍ତି। ଲୋକଙ୍କ ସାଇକେଲ୍‌ ପ୍ରତି ଆଗ୍ରହ ବଢ଼ୁଥିବାବେଳେ ବିଏମ୍‌ସି ପକ୍ଷରୁ ଯୋଜନାବଦ୍ଧ ଭାବେ ପ୍ରୋତ୍ସାହନ ଦେବାପାଇଁ ସେଭଳି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି।

ସହର ମଧ୍ୟରେ ଲୋକଙ୍କ ଯାତାୟାତ ପାଇଁ ‘ମୋ ସାଇକେଲ୍‌’ ଯୋଜନା ଆରମ୍ଭ ହୋଇଥିଲା। ସ୍ମାର୍ଟସିଟିରେ ଏହି ଯୋଜନାଟି କିଛିଦିନ ବ୍ୟବସ୍ଥିତ ଢଙ୍ଗରେ ଚାଲିଲା। ତା’ପରେ ତାହା କେଉଁଠି ପଡ଼ିଲା ତା’ର ଠିକଣା କେହି ପାଇଲେ ନାହିଁ। ମୋ ସାଇକେଲର ଷ୍ଟାଣ୍ଡ ଗୁଡ଼ିକ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ରହିଲା। ସପ୍ତାହକୁ ଥରେ ବିଏମ୍‌ସିର ସବୁ କର୍ମଚାରୀ ସାଇକେଲରେ ଅଫିସ୍‌ ଆସିବେ ବୋଲି ୨୦୧୯ ମସିହାରେ କର୍ତ୍ତୃପକ୍ଷ ଏକ ନିୟମ କରିଥିଲେ। ନିର୍ଦ୍ଦେଶ ଥିଲା ସହରବାସୀଙ୍କୁ ସଚେତନ କରିବା ଓ ପରିବେଶ ପ୍ରଦୂଷଣ କମ୍‌ କରିବା। ପ୍ରଥମେ କିଛି ସପ୍ତାହ ଠିକ୍‌ ଚାଲିଲା ତା’ପରେ ଏହି ନିୟମକୁ ବିଏମ୍‌ସି କର୍ମଚାରୀ ଫୁ’ କରିଦେଲେ। କର୍ତ୍ତୃପକ୍ଷ ମଧ୍ୟ ନିରବ ରହିଗଲେ। ଏବେ ସେହି ସାଇକେଲ ସବୁ ପୁରୁଣା ବିଏମ୍‌ସି କାର୍ଯ୍ୟାଳୟରେ ଖତ ଖାଉଛି।

ସେହିପରି ନିରାପଦରେ ସାଇକେଲ ଚଳାଇବାପାଇଁ ସବୁ ମୁଖ୍ୟ ରାସ୍ତାରେ ଫୁଟ୍‌ପାଥ୍‌ ସହ ସ୍ବତନ୍ତ୍ର ସାଇକେଲ ଟ୍ରାକ୍‌ ରଖିବା ବାଧ୍ୟତାମୂଳକ କରାଯାଇଥିଲା। ସବୁ ରାସ୍ତାରେ ରଙ୍ଗବୋଳି ସାଇକେଲ୍‌ ଟ୍ରାକ୍‌କୁ ଚିହ୍ନଟ କରାଯାଇଛି। ୩୦ କିଲୋମିଟରରୁ ଅଧିକ ଲମ୍ବା ଟ୍ରାକ୍‌ ତିଆରି ହୋଇଛି। କିନ୍ତୁ ଦୁଃଖର ବିଷୟ ଅଧିକାଂଶ ସାଇକେଲ ଟ୍ରାକକୁ ଗାଡ଼ି ପାର୍କିଂ ପାଇଁ ବିଏମ୍‌ସି ଦେଇଦେଇଛି। ଆଉ କେଉଁଠି କିଛି ଉଠାଦୋକାନୀ କବ୍‌ଜା କରିନେଇଛନ୍ତି। ସାଇକେଲ ଚଳାଇବା ପାଇଁ ଧ୍ୟାର୍ଯ୍ୟ ହୋଇଥିବା ଟ୍ରାକରେ ସାଇକେଲ ଚଳାଇବା ବଦଳରେ ଗାଡ଼ି ଚଳାଯାଉଛି। ତେଣୁ ଅନେକଙ୍କର ସାଇକେଲ ପ୍ରତି ଆଗ୍ରହ ବଢ଼ୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନଥିବାରୁ ରାସ୍ତାରେ ସାଇକେଲ ଚଲାଇବାକୁ ଭୟ କରୁଛନ୍ତି।

ସହରବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରାଜଧାନୀରେ ‘ଭୁବନେଶ୍ବର ସାଇକେଲିଂ ଆଣ୍ଡ ଆଡଭେନ୍‌ଚର୍‌ କ୍ଲବ୍‌’ ଗଠନ ହୋଇଛି। ଏହା ମାଧ୍ୟମରେ ଲୋକଙ୍କୁ ଏକଜୁଟ୍‌ କରି ପ୍ରତିବର୍ଷ ବିଭିନ୍ନ ସ୍ଥାନକୁ ସାଇକେଲ୍‌ ଯାତ୍ରା କରାଯାଉଛି। ଏହି କ୍ଲବ୍‌ର ସମ୍ପାଦକ ଅଜୟ ନନ୍ଦଙ୍କ କହିବା କଥା ଏହା ଦ୍ବାରା ରାଜଧାନୀରେ ଲୋକେ ସାଇକେଲ ସଂସ୍କୃତି ଉପରେ ଜାଣିବା ସହ ସାଇକେଲ ଚାଳନାର ଉପକାରିତା ବିଷୟରେ ଅବଗତ ହେଉଛନ୍ତି। ଅନେକ ସମୟରେ ତାଙ୍କ ଟିମ୍‌ ସାଇକେଲ୍‌ ବିଭିନ୍ନ ସ୍ଥାନକୁ ମଧ୍ୟ ଯାତ୍ରା କରୁଛନ୍ତି। ଏହା ବ୍ୟତିତ ଅଜୟ ପ୍ରତିବର୍ଷ ମେ’ ମାସ ଦ୍ବିତୀୟ ରବିବାରରେ ‘ଭୁବନେଶ୍ବର-ପୁରୀ-କୋଣାର୍କ-ଭୁବନେଶ୍ବର’ ନାମରେ ସନ୍ଧ୍ୟା ୭ଟାରୁ ରାତ୍ରିକାଳୀନ ସାଇକେଲିଂ କାର୍ଯ୍ୟକ୍ରମ କରୁଛନ୍ତି। ସେହିପରି ‘ରେନର୍ସ ଆଣ୍ଡ ରନର୍ସ’ କ୍ଲବ୍‌ ସଭାପତି ବ୍ରଜେନ୍ଦୁ ଦାସ କହିଛନ୍ତି ସାଇକେଲ୍‌ ଚଲାଇ ନିଜକୁ ସୁସ୍ଥ ରଖିବା ତଥା ପରିବେଶର ସୁରକ୍ଷାର ବାର୍ତ୍ତା ନେଇ ୧୪ ମାର୍ଚ୍ଚ ୨୦୨୧ ମସିହାରେ କ୍ଲବ୍‌ ଗଠନ ହୋଇଥିଲା। ବିଭିନ୍ନ ବର୍ଗର ଲୋକ ଯଥା ଅବସରପ୍ରାପ୍ତ ସେନା ଅଧିକାରୀ, ପ୍ରଶାସକ, ଡାକ୍ତର, ଇଞ୍ଜିନିୟର, ସରକାରୀ ଅଧିକାରୀ, ବ୍ୟବସାୟୀ ଏବଂ ଛାତ୍ର ଏହି କ୍ଲବର ସଦସ୍ୟ ଅଟନ୍ତି। କ୍ଲବର ସଦସ୍ୟମାନେ ସମୁଦ୍ର ପତନଠାରୁ ୧୩ହଜାର ମିଟର ଉଚ୍ଚରେ ଆସାମର ଭୈରବ କୁଣ୍ଡଠାରୁ ଅରୁଣାଚଳ ପ୍ରଦେଶର ତୱାଙ୍ଗ ପର୍ପ୍ୟନ୍ତ ଓ ହିମାଚଳ ପ୍ରଦେଶର ମନାଲିଠାରୁ ଲଦାଖର ଖାରଦୁଙ୍ଗଲ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe