ଆଜି ବିଶ୍ୱ ହସ୍ତୀ ଦିବସ: ଓଡ଼ିଶାରେ ନିବଂଶ କରିଦେବେ

କାଦୁଅରେ ଫସି ଛୁଆ ହାତୀ ମୃତ, ଆଠଗଡ଼ରେ ୩ ବର୍ଷରେ ୧୬ ମଲେଣି

ବଣୁଆ ହାତୀ ଗ୍ରାମାଭିମୁଖୀ, ଲୋକେ ଆତଙ୍କିତ

firstpost.com

କାମାକ୍ଷାନଗର/ ପର୍ଜଙ୍ଗ : ଆଜି ବିଶ୍ୱ ହସ୍ତୀ ଦିବସ! ଏହାର ଗୋଟିଏଦିନ ପୂର୍ବରୁ ଏକ ଅଭାବନୀୟ ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ଅନ୍ତର୍ଗତ କଙ୍କିଳି ଗ୍ରାମ ଦନାର ପୋଖରୀ ନିକଟ କାଦୁଅରୁ ଆଜି ସକାଳୁ ଏକ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘସମୟ ଧରି କାଦୁଅରେ ଫସି ବାହାରି ନ ପାରିବାରୁ ତାର ମୃତ୍ୟୁ ହୋଇଥିବା କୁହାଯାଉଛି। ହାତୀର ବୟସ ୩ରୁ ୪ ବର୍ଷ ହେବ। ପ୍ରଥମେ ବନବିଭାଗ ପକ୍ଷରୁ ଏହା ମାଈହାତୀ ବୋଲି କୁହାଯାଇଥିଲା। ପରେ ଏହା ଅଣ୍ଡିରା ହାତୀ ବୋଲି ଜଣାପଡ଼ିଛି। ଗତ ୯ତାରିଖ ଅପରାହ୍ନରେ ଏକ ୫ ଟିକିଆ ହାତୀପଲ ଦନାର ପୋଖରୀକୁ ପାଣି ପିଇବାକୁ ଯାଇ କାଦୁଅରେ ଫସି ଯାଇଥିଲେ। ଖବରପାଇ ବନ କର୍ମଚାରୀମାନେ ରାତିରେ ବାଣ ମାରି ହାତୀପଲକୁ ଜଙ୍ଗଲକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ୫ରୁ ୬ ଘଣ୍ଟା କାଦୁଅରେ ଫସି ରହିବାପରେ ହାତୀପଲ ନିକଟ ଜଙ୍ଗଲକୁ ପଳାଇ ଯାଇଥିଲେ। ଆଜି ଉକ୍ତ ପୋଖରୀଠାରୁ କିଛିମିଟର ଦୂର କାଦୁଅରେ ଏକ ଛୁଆ ହାତୀର ଶବ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ଖବରପାଇ ଘଟଣାସ୍ଥଳରେ ଢେଙ୍କାନାଳ ଡିଏଫ୍ଓ ପ୍ରକାଶ ଚନ୍ଦ୍ର ଗୋଗିନେନୀ, ପଶ୍ଚିମାଞ୍ଚଳ ରେଞ୍ଜର୍‌ ବନ ବିହାରୀ ସର୍ଦ୍ଦାର, ମୁକ୍ତାପଶି ଫରେଷ୍ଟର ପ୍ରଦୀପ୍ତ ଭଞ୍ଜ ପ୍ରମୁଖ ପହଞ୍ଚିଥିଲେ। ପ୍ରାଣୀ ଚିକିତ୍ସକ ଡା. ସୌମ୍ୟ ରଞ୍ଜନ ମିଶ୍ର ଛୁଆ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। କୃମିଜନିତ ରୋଗରେ ହାତୀଟି ପୀଡ଼ିତ ଥିଲା ବୋଲି ଜଣାପଡ଼ିଥିଲା। ଦୁର୍ବଳତାରୁ ଗତ ୯ ତାରିଖରେ ଏହି ଛୁ୍ଆ ହାତୀଟି ପୋଖରୀର କାଦୁଅରୁ ବାହାରି ପାରି ନଥିଲା ବୋଲି ଜଣାପଡ଼ିଛି।

ଏ ସଂପର୍କରେ ରେଞ୍ଜର ବନ ବିହାରୀ ସର୍ଦ୍ଦାରଙ୍କୁ ପଚାରିବାରୁ ସେ କହିଥିଲେ, ଅସୁସ୍ଥତା ଯୋଗୁଁ ହାତୀର ମୃତ୍ୟୁ ହୋଇଛି। ଅସୁସ୍ଥ ହାତୀର କାହିଁକି ଚିକିତ୍ସା କରାଗଲା ନାହିଁ ବୋଲି ପଚାରିବାରୁ ସେ କହିଲେ ଡାକ୍ତର କହିବା ପରେ ସେ ଜାଣିଲେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ଛୁଆ ହାତୀକୁ ସୁରକ୍ଷା ଦେବା ପାଇଁ ହାତୀପଲ ତାକୁ ଛାଡ଼ି ଯାଉ ନ ଥିଲେ। ପରେ ବନ କର୍ମଚାରୀମାନେ ରାତିରେ ବାଣ, ଲାଇଟ୍ ମାରି ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ତେବେ, ଏହି ଅଞ୍ଚଳରେ ହାତୀପଲ ଦୀର୍ଘଦିନ ଧରି ରହୁଛନ୍ତି। ହାତୀଟିର ମୃତ୍ୟୁ ହୋଇଥିବା ଜାଗା କୌଣସି ଅପହଞ୍ଚ ଅଞ୍ଚଳ ବି ନୁହେଁ। ରାସ୍ତାଠାରୁ ମାତ୍ର ୩ ଶହ ମିଟର ଦୂର ହୋଇଥିବାବେଳେ ବନ ବିଭାଗ କିପରି ଜାଣି ପାରିଲା ନାହିଁ ? ସେହିପରି ହାତୀ ଅସୁସ୍ଥ ଥିବା ଖବର ବନ ବିଭାଗ ପାଖରେ ଥିଲା କି ନାହିଁ? ଯଦି ଥିଲା, କାହିଁକି ଉପଯୁକ୍ତ ସମୟରେ ଚିକିତ୍ସା କଲେ ନାହିଁ ? ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏଥିସହିତ, ହାତୀ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ, ହାତୀ ସୁରକ୍ଷା ପାଇଁ ବିଭାଗ କେତେ ତତ୍ପର ତାହା ଏଥିରୁ ଜଣାପଡୁଛି।

publive-image

ଆଠଗଡ଼ରେ ୩ ବର୍ଷରେ ୧୬ ମଲେଣି

କଟକ : ଅଗଷ୍ଟ ୧୨ ବିଶ୍ବ ହସ୍ତୀ ଦିବସ। ହାତୀ ମୃତ୍ୟୁକୁ ନେଇ କିଛିଦିନ ଧରି ଚର୍ଚ୍ଚାରେ ରହିଥିବା ଆଠଗଡ଼ ବନଖଣ୍ଡରେ ଏକ ଉଦ୍‌ବେଗଜନକ ଚିତ୍ର ସାମ୍‌ନାକୁ ଆସିଛି। ଏଠାରେ ୩ବର୍ଷ‌ରେ ୧୬ଟି ହାତୀର ମୃତ୍ୟୁ ଘଟିଛି। କେତେବେଳେ ଶିକାରୀ ଗୁଳିରେ ତ ଆଉ କେତେବେଳେ ରେଳଧାରଣା, ବିଦ୍ୟୁତ୍‌ ଆଘାତରେ ଅବା ଖାତରେ ପଡ଼ି ଟଳିପଡୁଛନ୍ତି ଗଜରାଜ। ସେହିଭଳି, ମାଟିତଳୁ ୪ କଙ୍କାଳ ଉଦ୍ଧାର କରାଯାଇଛି। କଙ୍କାଳ ଜବତ ପରେ କେବେଠାରୁ ହାତୀକୁ ମାରି ପୋତିଦିଆଯାଇଛି, ସେ ସମ୍ପର୍କରେ ଜାଣିବା ଉଦ୍ଦେଶ୍ୟରେ ପରୀକ୍ଷଣ ପାଇଁ ପଠାଯାଉଥିଲେ ବି ତା’ର ରିପୋର୍ଟ ଆସୁନି। ଯାହାକି, ଅତ୍ୟନ୍ତ ଉଦ୍‌ବେଗଜନକ ବିଷୟରେ ପରିଣତ ହୋଇଛି। ଅନ୍ୟପକ୍ଷରେ, ସରକାର କେବଳ ଏସ୍‌ଆଇଟି ଟିମ୍‌ ଗଠନ କରି ନିଜ କାମ ସାରିଦେଉଛନ୍ତି। ମାତ୍ର, ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରୁନି।

ଆଠଗଡ଼ ବନଖଣ୍ଡକୁ ହାତୀଙ୍କ ସୁରକ୍ଷିତ ବାସସ୍ଥାନ ବୋଲି କୁହାଯାଇଥାଏ। ତେବେ, ଏହି ବନାଞ୍ଚଳ ଏବେ ହାତୀଙ୍କ ପାଇଁ ଅଭିଶାପ ପାଲଟିଛି। ବିଗତ ୩ବର୍ଷର ଘଟଣାରୁ ଏହା ଜଣାପଡ଼ିଛି। ୩ବର୍ଷ ଅର୍ଥାତ୍‌ ୨୦୧୯ରୁ ୨୦୨୨ ମସିହା ମଧ୍ୟରେ ୧୬ଟି ହାତୀଙ୍କର ମୃତ୍ୟୁ ଘଟିଥିବାବେଳେ ବଡ଼ମ୍ବାରୁ ୩ଟି ଓ ନରସିଂହପୁରରୁ ୨ଟି ହାତୀକଙ୍କାଳ ମାଟିତଳୁ ଉଦ୍ଧାର କରାଯାଇଛି। ତା’ସହିତ ଦୁଇଟି ଗୁଳିବିଦ୍ଧ ଦନ୍ତାହାତୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗତ ୪ମାସର ଚିତ୍ର ଆହୁରି ଚିନ୍ତାଜନକ। ଏହି ୪ମାସରେ ମାଟିତଳୁ ୪ ହାତୀ କଙ୍କାଳ ଉଦ୍ଧାର ହୋଇଥିବା ବେଳେ ୬ଟି ହାତୀଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ହାତୀ କଙ୍କାଳ ଓ ହାତୀ ଶିକାର ଘଟଣାରେ ୧୫ରୁ ଅଧିକ ବନକର୍ମଚାରୀ ଓ ଶିକାରୀଙ୍କୁ ଗିରଫ କରାଯାଇଛି। ଏପରିକି ଦୁଇମାସ ହେଲା ହାତୀ କଙ୍କାଳ ଜବତ ଘଟଣା‌ରେ ଜଣେ ଫରେଷ୍ଟର୍‌ଙ୍କୁ ଖୋଜି ପାଉନି ବନବିଭାଗ। ଯଦି ରେକର୍ଡ ଦେଖାଯାଏ, ୭ମାସରେ ୪ଜଣ ରେଞ୍ଜର୍‌ ନିଲମ୍ବିତ ହୋଇଥିବ ବେଳେ ଏବେ ଏମିତି ସ୍ଥିତି ଯେ, ଆଠଗଡ଼ ବନଖଣ୍ଡରେ ଅଧିକାରୀ ଓ କର୍ମଚାରୀ ମରୁଡି। ଯାହାର ବଦଳି ହେଉଛି, ତା ବଦଳରେ କେହି ଆସିବାକୁ ରାଜି ନୁହନ୍ତି ଏବଂ ପରେ ସେମାନଙ୍କ ବଦଳି ନିର୍ଦ୍ଦେଶନାମା ବାତିଲ୍‌ ହୋଇଯାଉଛି।

ଆଠଗଡ଼ ବନଖଣ୍ଡରେ ରହିଛି ଖୁଣ୍ଟୁଣୀ, ଆଠଗଡ଼, ବଡମ୍ବା ଓ ନରସିଂହପୁର(ଇଷ୍ଟ) ଓ ନରସିଂହପୁର(ୱେଷ୍ଟ) ରେଞ୍ଜ। ସେହି ୫ଟି ରେଞ୍ଜରୁ ୩ଟିରେ ରେଞ୍ଜର୍‌ ପଦ ଖାଲି। ଡିଏଫ୍‌ଓଙ୍କ ଚିଠି ସତ୍ତ୍ବେ ଖାଲିଥିବା ପଦ ପୂରଣ ହୋଇପାରୁନି। ଆଠଗଡ଼ ବନଖଣ୍ଡ ହାତୀଙ୍କ ସୁରକ୍ଷିତ ଯାତାୟାତ ପାଇଁ (ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲ) ହାତୀ ଏହି ବନଖଣ୍ଡ ଦେଇ ପାରି ହୋଇଥାନ୍ତି ଓ ମହାନଦୀ ମଧ୍ୟ ପାରି ହୋଇଥାନ୍ତି। ସେସବୁ ଦୃଷ୍ଟିରୁ ଆଠଗଡ଼ ବନଖଣ୍ଡର ଜଙ୍ଗଲ ହାତୀଙ୍କ ପାଇଁ ଗୁରୁତ୍ବ ବଦହନ କରୁଥିବା‌ବେଳେ ଏବେ ଏହି ବନଖଣ୍ଡ ହାତୀ ମୃତ୍ୟୁର ଉପତ୍ୟକା ପାଲଟିଛି।

ପ୍ରଶ୍ନଉଠୁଛି, ସବୁ ଚଢ଼ଉ ଓ ଗିରଫଦାରୀ ପରେ ବି ହାତୀକୁ ଗୁଳି ମାରୁଛି କିଏ? ମୁଖ୍ୟ କର୍ପଟଦାର ପାଖରେ କାହିଁକି ପହଞ୍ଚି ପାରୁନି ବନବିଭାଗ? ଏହିସବୁ ପ୍ରଶ୍ନ ସାଧାରଣରେ ଯେତିକି ଆନ୍ଦୋଳିତ କରୁଛି, ହାତୀଙ୍କ ମୃତ୍ୟୁ ସେତିକି ଉଦ୍‌ବେଗଜନକ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe