କଟକ : ଆଜି ବିଶ୍ବ ହେପାଟାଇଟିସ୍ ଦିବସ। ହେପାଟାଇଟିସ୍ ‘ବି’ ରୋଗ ଏଡ୍ସଠାରୁ ବି ଭୟଙ୍କର। ଯଦି ପରିସଂଖ୍ୟାନ ଦେଖାଯାଏ ତାହେଲେ ଭାରତରେ ୪ରୁ ୭ ପ୍ରତିଶତ ଓ ଓଡିଶାରେ ୩ରୁ ୪ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ଆମେରିକା ଭଳି ଉନ୍ନତ ଦେଶରେ ୧ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଦିନକୁ ଦିନ ଏହି ରେଗର ଭୟାବହତା ଓ ଏହା ପରବର୍ତ୍ତୀ ସମୟରେ ଲିଭର ସୋରାସିସ୍ ଓ ଲିଭର କ୍ୟାନସର୍ ଭଳି ରୋଗ ସୃଷ୍ଟି କରିଥାଏ। ଏହାର ନିରାକରଣ ତଥା ଉନ୍ନତମାନର ଚିକିତ୍ସା ପାଇଁ ରାଜ୍ୟରେ କଟକ ବଡ଼ଡାକ୍ତରଖାନାରେ ଜାତୀୟ ସ୍ବାସ୍ଥ୍ୟ ମିସନ ଯୋଜନାରେ ଜାତୀୟ ହେପାଟାଇଟିସ୍ କଂଟ୍ରୋଲ ପ୍ରୋଗ୍ରାମ କାର୍ଯ୍ୟକାରୀ କରାଯାଉଛି। ଏସ୍ସିବିରୁ ରାଜ୍ୟର ୩୦ଟି ଜିଲ୍ଲାର ଚିକିତ୍ସକଙ୍କୁ ତାଲିମ୍ ଦିଆଯିବା ସହ ଏହି ରୋଗ ସଂପର୍କରେ ସଚେତନ କରାଯାଉଛି। ତେବେ, ଏସ୍ସିବିରେ ସପ୍ତାହକୁ ହେପାଟାଇଟିସ୍ ବି ରୁ ସୋରାସିସ୍ ଓ ଲିଭର କ୍ୟାନ୍ସର ଯୋଗୁଁ ୫ରୁ ୭ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟୁଛି।
ପ୍ରତିବର୍ଷ ଜୁଲାଇ ୨୮ ତାରିଖକୁ ବିଶ୍ବ ହେପାଟାଇଟିସ୍ ଦିବସଭାବେ ପାଳନ କରାଯାଇଥାଏ। ହେପାଟାଇଟିସ୍ ‘ବି’ ପ୍ରଥମେ ଅଷ୍ଟ୍ରେଲିଆର ଆଦିବାସୀ ଜନଜାତିଙ୍କ ପାଖରୁ ଚିହ୍ନଟ କରାଯାଇଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ ଏହା ସବୁଆଡେ ଦେଖିବାକୁ ମିଳିଲା। ଏସ୍ସିବିରେ ଜାତୀୟ ହେପାଟାଇଟିସ୍ କଂଟ୍ରୋଲ ପ୍ରୋଗ୍ରାମ ମାଧ୍ୟମରେ ପ୍ରତି ମାସରେ ୧୧ଶହ ରୋଗୀ ମାଗଣା ଔଷଧ ନେଉଥିବା ବେଳେ ମାସକୁ ଦେଢ ଶହରୁ ଦୁଇ ଶହ ରୋଗୀ ହେପାଟାଇଟିସ୍ ‘ବି’ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବା ଜଣାପଡିଛି। ଏହି ରୋଗର ଚିକତ୍ସା ପାଇଁ ରାଜ୍ୟରେ ଏସ୍ସିବିକୁ ନୋଡାଲ ସେଣ୍ଟର ଭାବେ ଚୟନ କରାଯାଇଛି। ରୋଗୀ ଠିକଣା ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଓ ଔଷଧ ଗ୍ରହଣ କଲେ ଏହାର ଭୟାବହତା ଦୂର ହେବ ବୋଲି ଏସ୍ସିବି ହେପାଟୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଉମେଶ ପାତ୍ର ପରାମର୍ଶ ଦେଇଛନ୍ତି।
Follow Us