ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ: ଗଞ୍ଜାମରୁ ଶିଙ୍ଗ, ଚମଡ଼ା ଚାଲାଣ

Advertisment

ବିପଦରେ ବନ୍ୟଜନ୍ତୁ

ବିପଦରେ ବନ୍ୟଜନ୍ତୁ

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ: ଗଞ୍ଜାମରୁ ଶିଙ୍ଗ, ଚମଡ଼ା ଚାଲାଣ

ବ୍ରହ୍ମପୁର: ଆସନ୍ତାକାଲି ବିଶ୍ବ ବନ୍ୟପ୍ରାଣୀ ଦିବସ। ଉକ୍ତ ଦିନ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଥାଏ। ତେବେ ଯେ ପର୍ଯ୍ୟନ୍ତ ଶିକାରୀ ଓ ମାଫିଆଙ୍କ ଉପରେ ରୋକ ଲଗାଯାଇ ପାରି ନାହିଁ, ସେ ପର୍ଯ୍ୟନ୍ତ ବନ୍ୟଜନ୍ତୁ ସୁରକ୍ଷିତ ନୁହନ୍ତି। ବିଶେଷ କରି ଗଞ୍ଜାମ ଜିଲ୍ଲାରେ ବନ୍ୟଜନ୍ତୁଙ୍କ ପାଇଁ ବଡ଼ ବିପଦ ହୋଇଛନ୍ତି ଶିକାରୀ। ଶିକାରୀମାନେ ବନ୍ୟଜନ୍ତୁଙ୍କୁ ଶିକାର କରି ଲୁଚାଛପାରେ ଶିଙ୍ଗ, ଚମଡ଼ା ଚାଲାଣ କରୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ବନ୍ୟଜନ୍ତୁ ଶିଙ୍ଗ, ଚମଡ଼ା ଓ ହାତୀଦାନ୍ତର ଚାହିଦା ରହିଛି। ଏହି କାରବାରରେ ମୋଟା ଅଙ୍କର ଲାଭ ମଧ୍ୟ ମଳୁଛି। ଏଣୁ ମାଫିଆ ଓ ଶିକାରୀମାନେ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରି ତାହା ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି।

ଗତ ଜାନୁଆରି ୫ତାରିଖରେ ଗୋଳନ୍ଥରା ଥାନା ପୁଲିସ ଏଭଳି ଏକ କାରବାର ପର୍ଦ୍ଦାଫାସ୍‌ କରିଥିଲା। ଟାମଣା ଜଙ୍ଗଲରେ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୨ଟି ଶିକାରୀ ବନ୍ଧୁକ, ଖପୁରୀ ଥିବା ଦୁଇଟି ହରିଣ ଶିଙ୍ଗ ଜବତ କରିଥିଲା। ସେହିପରି ୧୨୫ଟି ଗୁଳି, ୨ଶହ ଖୋକା, ୧୦କେଜି ସ୍ପ୍ରିଣ୍ଟର୍‌, ୨ଶହ ଗ୍ରାମ ଗନ ପାଉଡ଼ର୍‌ ଓ ସ୍ପ୍ରିଣ୍ଟର୍ ତିଆରି ସାମଗ୍ରୀ ଜବତ ହୋଇଥିଲା। ଏହି ଅଭିଯୁକ୍ତମାନେ ଟାମଣା ଡନ୍‌ କୁନା ବେହେରାର ସହଯୋଗୀ ବୋଲି ପୁଲିସ ଜାଣିବାକୁ ପାଇଥିଲା। କୁନା ଗୋଳନ୍ଥରା, ଦିଗପହଣ୍ଡି ଓ ସଦର ଥାନା ଇଲାକାର ବିଭିନ୍ନ ଘଞ୍ଚ ଜଙ୍ଗଲରେ ରହି ବନ୍ୟଜନ୍ତୁ ଶିକାର କରି ବାହାର ରାଜ୍ୟକୁ ଚାଲାଣ କରିଥାଏ। ସେହିପରି ଗତ ଫେବ୍ରୁଆରି ୫ରେ କଟକରେ ବାଘଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗର ଟିମ୍‌ ସେଠାରେ ଚଢ଼ଉ କରି ୫ଜଣଙ୍କୁ କାବୁ କରିଥିଲା। ସେମାନଙ୍କୁ ଜେରା କରିବା ପରେ ଦିଗପହଣ୍ଡି ଅଞ୍ଚଳର ଘଞ୍ଚ ଜଙ୍ଗଲରୁ ଏହି କଲରାପତରିଆ ବାଘର ଶିକାର ହୋଇଥିବା ଜଣାପଡ଼ିଥିଲା। ଗଞ୍ଜାମ ଜିଲ୍ଲାର ଜଣେ ଶିକାରୀ କଲରାପତରିଆର ଶିକାର କରିବା ପରେ ତା’ର ଛାଲ ଜଣେ ଏଜେଣ୍ଟ୍‌ଙ୍କ ଜରିଆରେ ବେପାରୀକୁ ଦେଇଥିଲା। ଏପରିକି ବନ ବିଭାଗର ଟିମ୍‌ ଦିଗପହଣ୍ଡିରେ ବାଘ ଶିକାରର ସିନ୍‌ ରିକ୍ରିଏସନ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe