ଆଜି ପଖାଳ ଦିବସ: ମହକିବ ଓଡ଼ିଆ ପଖାଳ କଂସାର ବାସ୍ନା

Advertisment
ଆଜି ପଖାଳ ଦିବସ: ମହକିବ ଓଡ଼ିଆ ପଖାଳ କଂସାର ବାସ୍ନା

ରାଉରକେଲା: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଓଡ଼ିଆ ସଂସ୍କୃତି  ଓ ପରମ୍ପରା ସହିତ ପଖାଳ ବେଶ୍‌ ଜଡ଼ିତ। ମହାପ୍ରଭୁ ଜଗନ୍ନାଥଙ୍କଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ  ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ। ତେଣୁ ପ୍ରତିବର୍ଷ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ କରାଯାଏ। ଏଥିପାଇଁ ଓଡ଼ିଆଙ୍କ ଘରେ ପଖାଳ ଦିବସ ପାଳନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ପୂର୍ବରୁ ବାସି ପଖାଳ ସହିତ ଓଲି ପିଆଜ ଓ କଞ୍ଚା ଲଙ୍କାର ସ୍ବାଦ କିଛି ନିଆରା ଥିଲା। ଏବେ କିନ୍ତୁ ପଖାଳ କଂସା ପାଖରେ ଓଲି ପିଆଜ ସେତେଟା ନାହିଁ। ତା’ସ୍ଥାନରେ ବଢ଼ିଯାଇଛି ବିଭିନ୍ନ ଭେଜ୍‌ ଓ ନନ୍‌ଭେଜ୍‌ ଆଇଟମ୍‌।

କହିବାକୁ ଗଲେ ଓଡ଼ିଆ ଘରର ପଖାଳ ଆଜି କେବଳ ଓଡ଼ିଶାରେ ସୀମିତ ହୋଇ ରହିନି। ଦେଶ ଓ ବିଦେଶରେ ମଧ୍ୟ ପଖାଳ ଚାହିଦା କାହିଁରେ କ’ଣ। ରାସ୍ତାକଡର ଝୁମ୍ପୁଡି ହୋଟେଲ ଠାରୁ ଆରମ୍ଭ କରି ପଞ୍ଚ ତାରକା ହୋଟେଲର ମେନୁରେ ପଖାଳ ସ୍ଥାନ ପାଇସାରିଛି। ଆଜି ପଖାଳ ଦିବସ ଚାହିଦା ଦୃଷ୍ଟିରୁ  ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ସ୍ବତନ୍ତ୍ର ଆଇଟମ୍‌ ପ୍ରସ୍ତୁତ ହୋଇଛି। ଓଡ଼ିଆଙ୍କ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଧନୀ ହେଉ କି ଗରିବ ପଖାଳ ଦିବସକୁ ପାଳନ କରିବା ପାଇଁ ସହରବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି। ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ପ୍ରାୟ ସମସ୍ତଙ୍କ ଘରେ ପଖାଳ ପ୍ରସ୍ତୁତି ହେଉଥିଲେ ଆଜି ଦିନରେ ପଖାଳର ସ୍ବତନ୍ତ୍ର ଆୟୋଜନ ହୋଇଥାଏ। ସହରର ପାନ୍ଥନିବାସ ଠାରୁ ଆରମ୍ଭ କରି ସହରର ବଡ ହୋ‌‌ଟେଲରେ ବିଭିନ୍ନ ପଖାଳ ଦିବସ ପାଳନ ହେବାକୁ ଯାଉଛି। କେବଳ ହୋଟେଲ, ରେସ୍ତୋରାଁ ନୁହେଁ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ ହେବାକୁ ଯାଉଛି।

ବାସି ପଖାଳ, ସଜ ପଖାଳ, ଦହି ପଖାଳ, ଝିରା ଛୁଙ୍କ ଦିଆ ପଖାଳ, ଆମ୍ବ କସି ପଖାଳ ଆଦି କେତେ କ’ଣ ପଖାଳ ପ୍ର୍ରସ୍ତୁତ ହେଉଛି। ପଖାଳ ସହିତ ଆମିଷ ଖାଇବାର ସ୍ବାଦ କିଛି ନିଆରା। ପଖାଳ ଦିବସ ସୋମବାର ପଡୁଥିବାରୁ ଆଜି କିଛି ସଙ୍ଗଠନ ପଖାଳ ଦିବସ ପାଳନ କରିଛନ୍ତି। ସହରର କିଛି ‌ହୋଟେଲ ଓ ରେସ୍ତୋରାଁରେ ବିଭିନ୍ନ ସଙ୍ଗଠନ ପଖାଳ ଦିବସ ପାଳିବା ସହ ‌ଓଡ଼ିଆଙ୍କ ପଖାଳ କଂସାର ବେଶ୍‌ ମଜା ଉଠାଇଛନ୍ତି। ପଖାଳ କଂସା ସହ ଆମିଷରେ ପୋହଳା ମାଛ, ଚିଙ୍ଗୁଡି ଛେଚା,ରୋହି ମାଛ, ଚିକେନ କସା, ଚୁନା ମାଛ ଭଜା, ମାଂସ କସା, ମାଛ ବେସର, ମାଛ ଭଜା, ଅଣ୍ଡା ଆମ୍‌ଲେଟ୍‌ ଆଦି ଆଇଟମ୍‌ ରହିଛି। ନିରାମିଶରେ ଆମିଷ ଠାରୁ ଢ଼େର ଆଇଟମ୍‌ ରହିଛନ୍ତି। ‌ସେଗୁଡ଼ିକ ମଧ୍ୟରେ ଶାଗ ଭଜା, ବଡ଼ି ଚୁରା, ଆଳୁ ଭର୍ତ୍ତା, ଧରିଆ ଓ ପୋଦିନାପତ୍ର ଚଟଣି, କଲରା ଚିପ୍ପ, ସଜନା ଛୁଇଁ ଆଳୁ ବେସର, ବାଇଗଣ ଭଜା,  ଆଚାର, ପାମ୍ପଡ, କାକୁଡି ସାଲାଡ଼ ଆଦି ରହିଛି। ରାସ୍ତା ପାର୍ଶ୍ବ ହୋଟେଲରେ ଆମିଷ ପଖାଳ କଂସା ୭୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ନିରାମିଶ ପଖାଳ କଂସା ୫୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।  ହୋଟେଲରେ ୩୦୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତି। ନିରାମିଶ ପାଖଳ କଂସା ୨୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ଜଣେ ହୋଟେଲ କର୍ମଚାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe