ଆଜିଠୁ ବର୍ଷା ଆହୁରି ବଢ଼ିବ: ମହାନଦୀ, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା

Advertisment

ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦେଶ

ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦେଶ

୧୯ରୁ ପ୍ରବଳ ବର୍ଷା: ବର୍ଷା ଆଣିପାରେ ବିପର୍ଯ୍ୟୟ; ଗଞ୍ଜାମ, ଗଜପତିରେ ବନ୍ୟା ଓ ଅତଡ଼ା ଧସିବା ଆଶଙ୍କା

MetWeather

ଭୁବନେଶ୍ବର: ଗତକାଲି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ସକାଳେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଫଳରେ ଆଜି ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ସାରା ଓଡ଼ିଶାରେ ବର୍ଷା ହୋଇଥିବା ବେଳେ ଉତ୍ତର ଓ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ଥିଲା। ଉପକୂଳରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷିଥିବା ସୂଚନା ମିଳିଛି। ତେବେ ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିବ। ବିଶେଷକରି ଉତ୍ତର ଓ ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ଏହି ଲଘୁଚାପଜନିତ ବର୍ଷା ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର୍‌ ବିଶ୍ବାସ କହିଛନ୍ତି ଯେ ଆସନ୍ତାକାଲି ରାଜ୍ୟର ୯ ଜିଲ୍ଲା‌ରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଉକ୍ତ ଜିଲ୍ଲାଗୁଡ଼ିକ ହେଲା: ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ଏହି ସବୁ ଜିଲ୍ଲ‌‌ାରେ ବର୍ଷା ଯୋଗୁଁ ଭୂସ୍ଖଳନ, ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିଯିବାର ଆଶଙ୍କା ରହିଛି। ତେଣୁ ଏନେଇ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ କୁହାଯିବା ସହ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଅନୁଗୁଳ, ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୨୭ ତାରିଖ ଦିନ ବର୍ଷାର ପରିମାଣ କମିବ। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ଭାରୀ ବର୍ଷାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପକୂଳରେ ଏହି ସମୟରେ ପବନର ବେଗ ୪୫ରୁ ୫୫ କିମି ବେଗରେ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଆଜି ତଳମୁଣ୍ଡରେ ବର୍ଷା ହୋଇଥିଲା। ବୁଧବାରଠାରୁ ଉପରମୁଣ୍ଡରେ ବର୍ଷାର ପରିମାଣ ବଢ଼ିବ। ଅନ୍ୟପଟେ ଛତିଶଗଡ଼ରେ ଆସନ୍ତାକାଲିଠାରୁ ଅଧିକ ବର୍ଷା ହେବାକୁ ଥିବାରୁ ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି କହିଛନ୍ତି କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ। ଏହି ଲଘୁଚାପ ବର୍ଷା ଯୋଗୁଁ ମହାନଦୀ, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢ଼ିବ ଓ ବନ୍ୟା ପରିସ୍ଥିତି ହୋଇପାରେ ବୋଲି ସେ କହିଛନ୍ତି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଆଜି ଉତ୍ତର ସୀମାନ୍ତ ଅଞ୍ଚଳ ଅର୍ଥାତ ବାଲେଶ୍ବରଠାରୁ ସୁନ୍ଦରଗଡ଼ ଓ ପଶ୍ଚିମରେ ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ଲାଗି ରହିଥିଲା। ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିବ। ବିଶେଷକରି ଉତ୍ତର ଓ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ଭାରୀ ବର୍ଷା ହେବ। କେନ୍ଦ୍ରୀୟ ଓ ଦକ୍ଷିଣରେ ବର୍ଷା କମିଯିବ। ୨୭ ତାରିଖ ଦିନ ମଧ୍ୟ ବର୍ଷା ଜାରି ରହିବ। ପଶ୍ଚିମ ସୀମାନ୍ତରେ ବର୍ଷାର ପରିମାଣ ଅଧିକ ରହିବ। ୨୮ ତାରିଖ ଦିନ ବର୍ଷାର ପରିମାଣ କମି ଯାଇଥିବ। ଯେହେତୁ ୨ରୁ ୩ ଦିନ ଧରି ଛତିଶଗଡ଼ରେ ଭୀଷଣ ବର୍ଷାର ସମ୍ଭାବନା ରହିଛି, ୨୭ତାରିଖ ବେଳକୁ ମହାନଦୀ ଫୁଲିବାର ଆଶଙ୍କା ରହିଛି। ଯଦିଓ ତଳମୁଣ୍ଡରେ ବର୍ଷା ନାହିଁ କିନ୍ତୁ ଉପକୂଳରେ ବର୍ଷା ଯୋଗୁଁ ନଦୀର ଶାଖାଗୁଡ଼ିକ ଫୁଲିବା ଆଶଙ୍କାକୁ ଏଡ଼ା ଯାଇନପାରେ। ଅନ୍ୟପଟେ ସୁନ୍ଦରଗଡ଼ରେ ଭାରୀ ବର୍ଷାର ସମ୍ଭାବନା ଥିବାରୁ ବ୍ରାହ୍ମଣୀ ନଦୀ ଫୁଲିବାର ଆଶଙ୍କା କରାଯାଉଛି। ଝାଡ଼ଖଣ୍ଡରେ ବର୍ଷା ବି‌ଶେଷ ନଥିବାରୁ ସୁବର୍ଣ୍ଣରେଖାରେ ବନ୍ୟା ହେବାର ଆଶଙ୍କା ଖୁବ୍‌ କମ୍‌।

ଅନ୍ୟପକ୍ଷରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଆଜି ପୁଣି ଥରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ବିଡ଼ିଓ, ତହସିଲଦାରଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ଶ୍ରୀ ଜେନା କହିଛନ୍ତି, ବର୍ଷା ପରିମାଣ ବଢିବା ସହିତ ଆକସ୍ମିକ ବନ୍ୟା, ଭୂସ୍ଖଳନ ସମ୍ଭାବନା ବଢିବ। ଏଣୁ ପ୍ରଶାସନ ଓ ଲୋକ ସତର୍କ ରହିବା ଦରକାର। ସବୁଠାରୁ ବଡ଼ କଥା ହେଲା, କିଛି ସ୍ଥାନରେ କମ୍ ଉଚ୍ଚତାରେ ଥିବା ପୋଲ ବା ରାସ୍ତା ଉପରେ ପାଣି ଚାଲିପାରେ। ଏହି ସମୟରେ କେହି ଯେପରି ସେ ବାଟେ ନ ଯିବେ, ତାହାକୁ ନିଶ୍ଚିତ କରିବାକୁ ହେବ। ତେବେ ଜଳଭଣ୍ଡାର ସ୍ଥିତି ଦେଖି ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟରେ ବଡ଼ ଧରଣର ବନ୍ୟା ସମ୍ଭାବନା ନାହିଁ। ସୂଚନା ମୁତାବକ, ଆଜି ସଂଧ୍ୟା ସାଢ଼େ ୫ ସୁଦ୍ଧା ପାରାଦୀପରେ ୮୯ ମିମି, ବୌଦ୍ଧରେ ୮୮.୨ ମିମି, ଭଦ୍ରକ ଜିଲ୍ଲା ବାସୁଦେବପୁରରେ ୮୩ ମିମି, ଚାନ୍ଦବାଲିରେ ୬୫.୬ ମିମି ଓ ବାଙ୍କିରେ ୫୭ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ଭୁବନେଶ୍ବରରେ ସଂଧ୍ୟା ସାଢ଼େ ୭ ସୁଦ୍ଧା ୩୯ ମିମି ବ‌ର୍ଷା ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe