ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ସମାରୋହ ଆଜି

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ସମାରୋହ ଆଜି

ରାଇରଙ୍ଗପୁର: ସୋମବାର ପବିତ୍ର ବୁଦ୍ଧ ଜୟନ୍ତୀ ଓ ଚନ୍ଦନ ପୂର୍ଣ୍ଣିମା। ଏହି ଦିନରେ ସାନ୍ତାଳୀ ଲିପି ‘ଅଲ୍‌ଚିକି’ର ସ୍ରଷ୍ଟା ଗୁରୁ ଗମକେ ରଘୁନାଥ ମୁର୍ମୁଙ୍କର ଜନ୍ମ ଜୟନ୍ତୀ। ପୈତୃକ ଗାଁ ରାଇରଙ୍ଗପୁର ନିକଟ ଦାଣ୍ତବୋଷ ଡାହାରଡ଼ିହ ଗ୍ରାମରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୮ତମ ଜୟନ୍ତୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ଗାଁ’ର ମହିଳାମାନେ ନିଜ ନିଜ ଘରଗୁଡ଼ିକୁ ଲିପାପୋଛା କରି ସେମାନଙ୍କ କାନ୍ଥଗୁଡ଼ିକୁ ନାନାଦି ଚିତ୍ରରେ ସଜାଇଛନ୍ତି। ସ୍ବର୍ଗତ ରଘୁନାଥ ମୁର୍ମୁଙ୍କ ନାତି ‘ପାସିର୍ ସିଙ୍ଗ୍ ଚାନ୍ଦ ଗୁରୁ ଗମକେ ପଣ୍ତିତ ରଘୁନାଥ ମୁର୍ମୁ ମେମୋରିଆଲ୍ ମାଣ୍ତୱା’ର ସଭାପତି ଭୀମୱାର ମୁର୍ମୁ ଦାଣ୍ତବୋଷର କାପିବୁରୁରେ ଥିବା ଗୁରୁ ଗମକେଙ୍କ ସାହିତ୍ୟ ସାଧନାପୀଠ, ବିଦ୍ୟା ଦେବଦେବୀ ବିଦୁଚନ୍ଦନଙ୍କ ଆସ୍ଥାନ, ସମାଧିସ୍ଥଳ ଆଦିଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ହାତକୁ ନେଇଛନ୍ତି।

କରୋନା ମହାମାରୀ ପାଇଁ ଗତ ଦୁଇ ବର୍ଷ ଧରି ଜୟନ୍ତୀ ଉତ୍ସବ ପାଳନ ଫିକା ପଡ଼ିଥିଲା। ଚଳିତବର୍ଷ ଦାଣ୍ତବୋଷସ୍ଥିତ ପଣ୍ତିତ ରଘୁନାଥ ମୁର୍ମୁ ମେମୋରିଆଲ୍ କ୍ଲବ ପକ୍ଷରୁ ଜୟନ୍ତୀ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କ୍ଲବର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦା ସୂଚନା ଦେଇଛନ୍ତି। ଜୟନ୍ତୀ ଅବସରରେ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୋମବାର ରାତିରେ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଓ ମଙ୍ଗଳବାର ରାତିରେ ‘ଭଞ୍ଜ ଦୁଲକାୱ’ ସାନ୍ତାଳୀ ନୃତ୍ୟ ପରିବେଷଣ କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାପଡ଼ିଛି। ସେହିପରି ପଣ୍ତିତ ରଘୁନାଥ ମୁର୍ମୁଙ୍କ ଦ୍ବାରା ପ୍ରତିଷ୍ଠିତ ସାମାଜିକ ସଂସ୍ଥା ‘ଆସେକା’ର ସମସ୍ତ ଶାଖା ଓ ଅଲଚିକି ଶିକ୍ଷା କେନ୍ଦ୍ରଗୁଡ଼ିକରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ କରାଯିବ ବୋଲି ସଂସ୍ଥାର ସଭାପତି ମନୋରଞ୍ଜନ ମୁର୍ମୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe