ପଟେଲଙ୍କ ଦୃଢ଼ ସଙ୍କଳ୍ପ ବଳରେ ଆଜି ଭାରତକୁ ‘ଏକ’ ଦେଖୁଛୁ: ମୁଖ୍ୟମନ୍ତ୍ରୀ

ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ ଶକ୍ତି। ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହି ଆତ୍ମବୋଧ ଆମକୁ ଏକଜୁଟ୍‌ ରଖେ ଓ ଦେଶକୁ ଶକ୍ତିଶାଳୀ କରେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏଭଳି ମହାନ୍‌ ନେତା ଥିଲେ....

ssfxcxcxcxc

Photograph: (Ommcom News)

ଭୁବନେଶ୍ୱର: ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ ଶକ୍ତି। ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହି ଆତ୍ମବୋଧ ଆମକୁ ଏକଜୁଟ୍‌ ରଖେ ଓ ଦେଶକୁ ଶକ୍ତିଶାଳୀ କରେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏଭଳି ମହାନ୍‌ ନେତା ଥିଲେ, ଯିଏ ଶତାଧିକ ରାଜାରାଜୁଡ଼ାଙ୍କୁ ଏକତା ସୂତ୍ରରେ ବାନ୍ଧି ଅଖଣ୍ଡ ଭାରତ ଗଢ଼ିଥିଲେ। ତାଙ୍କରି ଦୃଢ଼ ସଙ୍କଳ୍ପ ଓ ଦୂରଦୃଷ୍ଟି ଯୋଗୁ ଆମେ ଆଜି  ଭାରତକୁ ‘ଏକ’ ଭାବରେ ଦେଖିପାରୁଛୁ। ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏକତା ଦୌଡ଼କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏଭଳି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଲେ ଯେ ସମସ୍ତେ ମିଳିମିଶି, ସଂଘବଦ୍ଧ ଭାବେ କାମ କଲେ ଖୁବ୍‌ଶୀଘ୍ର ବିକଶିତ ଭାରତର ସ୍ୱପ୍ନକୁ ସାକାର କରିପାରିବା। ଏହି ଦୌଡ଼ ହେଉଛି ସେହି ଏକତା, ସମନ୍ୱୟ ଓ ଦେଶପ୍ରେମର ପ୍ରତୀକ। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରନ୍ ଫର୍‌ ୟୁନିଟି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ୨୦୧୮ ମସିହାରେ ଗୁଜରାଟର କେଭାଡିଆରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଅନାବରଣ ହୋଇଥିଲା। ଏହି ପ୍ରତିମା ଭାରତୀୟ ଗୌରବର ପ୍ରତୀକ ଭାବେ ଉଭ‌ା ହୋଇଛି। ଏକତା ଦୌଡ଼ ଆମକୁ ମନେପକାଇ ଦେଉଛି ଯେ ଏକଜୁଟ ରହିବା ହେଉଛି ଆମର ସାମୂହିକ ଇଚ୍ଛା ଓ ଆମର ଶକ୍ତି। ସର୍ଦ୍ଦାର ପଟେଲଙ୍କ ଜୀବନରୁ ପ୍ରେରିତ ହୋଇ ଭାଇଚାରା, ଶାନ୍ତି ଓ ସମୃଦ୍ଧିର ବନ୍ଧନକୁ ସୁଦୃଢ଼ କରିବା ପାଇଁ ଏକଜୁଟ ହେବା ଆବଶ୍ୟକ।
କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱାଗତ ଭାଷଣରେ କହିଲେ ଯେ ଏହି ଦୌଡ଼ ମାଧ୍ୟମରେ ଆମେ ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା। ଏକ ସଶକ୍ତ ଭାରତ ଗଢ଼ିବାରେ ନିରନ୍ତର ଅଗ୍ରସର ହେବା ଆମ ସମସ୍ତଙ୍କ ଦାୟିତ୍ୱ। ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଧନ୍ୟବାଦ ଦେଇଥିଲେ। ଏହି ଗଣଦୌଡ଼, କଳିଙ୍ଗ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇ ପାୱାର୍‌ ହାଉସ୍‌ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ରନ୍‌ ଫର୍‌ ୟୁନିଟି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ଖେଳାଳି ଓ ସହସ୍ରାଧିକ ନାଗରିକ ଅଂଶଗ୍ରହଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe