ପୁରୀ/ଗୋପ: ପରିବେଶକୁ ନେଇ ଆଉ ସଚେତନତାର ଆବଶ୍ୟକତା ନାହିଁ। ଆମେ ସିଧାସଳଖ ବିପର୍ଯ୍ୟସ୍ତ ପରିବେଶର କୁପ୍ରଭାବ ଅନୁଭବ କଲେଣି। ଏବେଠୁ ସାବଧାନ ନହେଲେ ଆଗକୁ ସମସ୍ତେ ଅକ୍ସିଜେନ୍ ସିଲିଣ୍ଡର ପିଠିରେ ବୋହି ବୁଲିବେ। ଆଜିର ଏହି ଛୋଟିଆ ପ୍ରୟାସ ଭବିଷ୍ୟତର ଜୀବନ ହେବ। ମୁଁ ଯାହା ଭାବୁଥିଲି, ତୃଣମୂଳସ୍ତରରେ କିଭଳି ପରିବେଶକୁ ନେଇ ସଚେତନତା ବଢ଼ିବ, ସବୁସ୍ତରର ଲୋକ ଏଥିରେ ସାମିଲ ହେବେ, ଆଜି ଏହି ସ୍ବପ୍ନ ‘ପରିବେଶ ପଞ୍ଚାୟତ’ ଜରିଆରେ ସଫଳ ହୋଇଛି। ଆସନ୍ତା ୧୭ ତାରିଖରେ ‘ଏକ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମ ଜରିଆରେ ସମସ୍ତେ ଅନ୍ତତଃ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଗୋପ ବଜାରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପରିଡ଼ା ଏହି କାର୍ଯ୍ୟକ୍ରମକୁ ଏକ ଆନ୍ଦୋଳନ ବୋଲି କହିଛନ୍ତି।
ଏଥିରେ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ କହିଥିଲେ, ପରିବେଶ ଯେଭଳି ଖରାପ ହେବାରେ ଲାଗିଛି ତାହା ଆଗାମୀ ପିଢ଼ି ପାଇଁ ବିପଦ। ଅନ୍ତତଃ ଆମ ପରପିଢ଼ିଙ୍କ ପାଇଁ ଏକ ସୁସ୍ଥ ପରିବେଶ ଛାଡ଼ି ଯିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ସୁଶାନ୍ତ ସ୍ବାଇଁ, ସମାଜସେବୀ ରାଜଲକ୍ଷ୍ମୀ ଦାଶ, ଉପମୁଖ୍ୟମନ୍ତ୍ରୀଙ୍କ ଗୋପ ବ୍ଲକ୍ ପ୍ରତିନିଧି ଜୟଦେବ ମିଶ୍ର ପ୍ରମୁଖ ପରିବେଶକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ପରିବେଶ ରକ୍ଷା କରିବାରେ ଥିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟକୁ ମନେ ପକାଇ ଦେଇଥିଲେ। ଏହି ଅବସରରେ ପରିବେଶବିତ୍ ‘ଉତ୍ସର୍ଗ’ ପରିବାରର ମୁଖ୍ୟ ବିଷ୍ଣୁଚରଣ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସମ୍ବାଦ-କନକ ନ୍ୟୁଜ୍ ଗୋପ ପ୍ରତିନିଧି ଅଜୟ କୁମାର ନାୟକ। ପ୍ରାରମ୍ଭିକ ସୂଚନା ଦେଇଥିଲେ କନକ ନ୍ୟୁଜ୍ ଜିଲ୍ଲା ପ୍ରତିନିଧି ସୀମାଞ୍ଚଳ ପାଢ଼ୀ। ପରିଚାଳନାରେ ସହଯୋଗ କରିଥିଲେ କନକ ନ୍ୟୁଜ୍ ଭିଡିଓ ଜର୍ଣ୍ଣାଲିଷ୍ଟ୍ ପବିତ୍ର ପୃଷ୍ଟି।
Follow Us