ମିଳିମିଶି ହାତୀ ମାରୁଛନ୍ତି, ଦାନ୍ତ କାଟି ଦନ୍ତାକୁ ପୋତିଦେଲେ

Advertisment

ଦୁଇ ଫରେଷ୍ଟର ନିଲମ୍ବିତ, ରେଞ୍ଜର ଫେରାର୍‌, ବନ୍ଧା ହେଲେ ତିନି ହାତୀ ସ୍କ୍ବାଡ୍

ଦୁଇ ଫରେଷ୍ଟର ନିଲମ୍ବିତ, ରେଞ୍ଜର ଫେରାର୍‌, ବନ୍ଧା ହେଲେ ତିନି ହାତୀ ସ୍କ୍ବାଡ୍

ମିଳିମିଶି ହାତୀ ମାରୁଛନ୍ତି, ଦାନ୍ତ କାଟି ଦନ୍ତାକୁ ପୋତିଦେଲେ

ଅନୁଗୁଳ : ଶିକାରୀ ଏମିତି ମାତିଛନ୍ତି ଯେ ଯେମିତି ହାତୀ ବଂଶକୁ ଓଡ଼ିଶାରୁ ଲୋପ କରିଦେବେ। ଆଠଗଡ଼ ଭଳି ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରୁ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ପ୍ରାୟ ୧୫/୨୦ବର୍ଷ ବୟସର ଏକ ଦନ୍ତା ହାତୀର ମୂଲ୍ୟବାନ ଦୁଇଟି ଦାନ୍ତ କାଟିନେଇ ମାଟି ତଳେ ପୋତି ଦେଇଛନ୍ତି ଦୁର୍ବୃତ୍ତ। ବର୍ଷକ ତଳେ ଘଞ୍ଚ ଜଙ୍ଗଲ ଭିତରେ କରାଯାଇଥିବା କାରନାମା ଦୁଇ ଦିନ ତଳେ ପଦାକୁ ଆସିଛି। ଘଟଣାରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଦୁଇ ଜଣ ଫରେଷ୍ଟର ଅନୁପମା ସାହୁ ଓ ସହଦେବ ସୋରେନଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ଜିଲିଣ୍ଡା ରେଞ୍ଜର୍‌ ହରିଶ୍ଚନ୍ଦ୍ର ପ୍ରଧାନ ଫେରାର୍‌ ଅଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯାଇଛି। ହାତୀକୁ ପୋତିବା ଘଟଣାରେ ତିନି ଜଣ ହାତୀସ୍କ୍ବାଡ କର୍ମଚାରୀ ଗିରଫ ହୋଇଛନ୍ତି। ସେମାନେ ହେଲେ, ଶିଶୁପଥରର ପ୍ରମୋଦ ବେହେରା(୫୦), ମହର୍ଗା ଅମାତ(୫୫) ଓ ନଖପଡ଼ାର ସୁରେଶ ଚନ୍ଦ୍ର ପ୍ରଧାନ ବୋଲି ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ‘ସମ୍ବାଦକୁ କହିଛନ୍ତି। ଏ ଘଟଣାଟି ବ୍ୟାଘ୍ର ପ୍ରକଳ୍ପ ସୀମା ବାହାରେ ଯଦିଓ ଘଟିଛି, ତଥାପି ସାତକୋଶିଆରେ ଘଟିଥିବା ଏ ପ୍ରକାର ଦୁର୍ଦ୍ଦାନ୍ତ ବନ୍ୟପ୍ରାଣୀ ଅପରାଧ ସମସ୍ତଙ୍କୁ ହତବାକ କରି ଦେଇଛି।

publive-image firstpost.com

ଜଙ୍ଗଲରେ ହାତୀ ମୃତ୍ୟୁ ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ, ମୃତ ହାତୀ ବିଷୟରେ କାହାକୁ କିଛି ନ ଜଣାଇ ପୋତି ଦେବା ଏବଂ କଙ୍କାଳରୁ ମୂଲ୍ୟବାନ ଦାନ୍ତ ଗାଏବ କରିବା ହେଉଛି ଜଘନ୍ୟ ଅପରାଧ। ଆଠଗଡ଼ ବନଖଣ୍ଡରେ ନିକଟରେ ଏ ପ୍ରକାର ସିରିଜ୍‌ ଅପରାଧର ରହସ୍ୟ ଉନ୍ମୋଚନ ହୋଇଛି; ଯାହା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ଆଠଗଡ଼ ଭଳି ଘଟଣା ସାତକୋଶିଆରେ ହୋଇଥିବ ଏମିତି କେହି କେବେ ଆଶା କରି ନଥିଲେ। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ଆଠଗଡ଼ ବନଖଣ୍ଡ ସୀମାନ୍ତ ଜିଲିଣ୍ଡା ରେଞ୍ଜ୍‌ ଯୋଡ଼ୁମ୍‌ ସେକ୍ସନ୍‌ ଜିଲିଣ୍ଡା ବିଟ୍ ସତ୍ୟଜୟପୁର ପତ୍ରା ଜଙ୍ଗଲରେ କିନ୍ତୁ ଏକ ଦନ୍ତା ହାତୀକୁ ପୋତି ଦିଆଯାଇଥିବା ଗତ ୨୩ତାରିଖ ଦିନ ବନ ବିଭାଗକୁ ସୂଚନା ମିଳିଥିଲା। କେହି କିଛି ଜାଣିବା ଆଗରୁ ବନ ବିଭାଗ ଗାଁକୁ ଯାଇ ତନାଘନା କରିଥିଲା। ଯେଉଁମାନେ ହାତୀକୁ ପୋତିଥିଲେ, ସେହି ହାତୀ ସ୍କ୍ବାଡର ପିଲାଙ୍କୁ ଘରୁ ଉଠାଇ ନେଇ ଜେରା କରିବା ପରେ ସବୁ କଥା ପଦାକୁ ଆସିଥିଲା। ସାରା ରାତି କସରତ କରିବା ପରେ ମାଟି ତଳୁ ହାତୀର କଙ୍କାଳକୁ ଉଦ୍ଧାର କରାଯାଇଛି। ଯାହା ଏକ ଦନ୍ତାର ବୋଲି ଡିଏଫ୍‌ଓ କହିଛନ୍ତି। ଜିଲିଣ୍ଡା ରେଞ୍ଜର ଶ୍ରୀ ପ୍ରଧାନ ଏବଂ ମହିଳା ଫରେଷ୍ଟର ଶ୍ରୀମତୀ ସାହୁଙ୍କ ଉପସ୍ଥିତିରେ ଫରେଷ୍ଟର ଶ୍ରୀ ସୋରେନ୍‌ଙ୍କ ଜ୍ଞାତସାରରେ ଏ ସବୁ କାଣ୍ଡ କାରନାମା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଯେଉଁ ହାତୀ ସ୍କ୍ବାଡ୍‌ କର୍ମଚାରୀମାନେ ହାତୀକୁ ପୋତିଥିଲେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଡିଏଫ୍‌ଓ ଶ୍ରୀ ପଣ୍ଡା କହିଛନ୍ତି। ହାତୀର ମୃତ୍ୟୁ କେମିତି ହେଲା, କିଛି ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ପରେ ହାତୀର ହାଡ଼ ନମୁନା ଓୟୁଏଟିକୁ ପଠାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe