କଣ୍ଟିଲୋ : ଜଗନ୍ନାଥଙ୍କ ଆଦିକ୍ଷେତ୍ର କଣ୍ଟିଲୋ ନୀଳମାଧବ ପୀଠରେ ଶୌଚାଳୟ ଓ ପାର୍କିଂ ସାଙ୍ଗକୁ ଆନୁଷଙ୍ଗୀକ ସୁବିଧା ସୁଯୋଗ ମିଳୁ ନ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶୌଚାଳୟ ନ ଥିବାରୁ ପର୍ଯ୍ୟଟକମାନେ ବିଭିନ୍ନ ଘରୋଇ ଯାତ୍ରୀ ନିବାସ ତଥା ଶୌଚ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଣ୍ଟିଲୋ ଡାକବଙ୍ଗଳା ନିକଟରେ ପର୍ଯ୍ୟଟକଙ୍କ ପାଇଁ ଥିବା ଶୌଚାଳୟଟି ପରିତ୍ୟକ୍ତ ଅବସ୍ଥାରେ ଅଚଳ ହୋଇ ପଡ଼ିରହିଛି। ନୀଳମାଧବ ପୀଠକୁ ବର୍ଷତମାମ୍ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏଠାରେ ସ୍ନାନ, ଶୌଚ ନିମନ୍ତେ ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ଯାତ୍ରୀମାନଙ୍କୁ ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼ୁଛି।
en.wikipedia.orgଯାତ୍ରୀ ଭିଡ଼, ଆବଶ୍ୟକତା ଏବଂ ପରିମଳ ବ୍ୟବସ୍ଥାକୁ ଦେଖି ଜିଲ୍ଲା ସ୍ବାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ କଣ୍ଟିଲୋ ଡାକବଙ୍ଗଳା ନିକଟରେ ଶୌଚ ଓ ସ୍ନାନାଗାର ନିର୍ମାଣ କରାଯାଇଥିଲା। କିନ୍ତୁ ତାହା ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡ଼ିରହିଛି। ୨୦୧୩ ମସିହାରେ ଉକ୍ତ ଶୌଚାଳୟ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମାତ୍ର ବର୍ଷକ ପାଇଁ ଖୋଲା ଯାଇଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ନିମ୍ନ ମାନର ନିର୍ମାଣ ଯୋଗୁ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। କଣ୍ଟିଲୋ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଅଧୀନରେ ଥିବା ଏହି ଶୌଚାଳୟଟି ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ି ରହିବା ସହ ନିମ୍ନମାନର କାମ ଯୋଗୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ି ରହିଥିଲେ ମଧ୍ୟ ପୁନରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ କରାଯାଉନାହିଁ।
Follow Us