ଆଜି ଅବପାତ, ଆସନ୍ତାକାଲି ବାତ୍ୟା

Advertisment

୧୦ରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିବ, କେଉଁଠି ସ୍ଥଳଭାଗ ଛୁଇଁବ ‌ଏବେ ବି ଅସ୍ପଷ୍ଟ

୧୦ରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିବ, କେଉଁଠି ସ୍ଥଳଭାଗ ଛୁଇଁବ ‌ଏବେ ବି ଅସ୍ପଷ୍ଟ

ବାତ୍ୟା ସମ୍ଭାବନା ଏଡ଼ାଯାଇ ନ ପାରେ: ଡ. ପଶୁପାଳକ

ଭୁବନେଶ୍ବର : ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶୁକ୍ରବାର ସକାଳୁ ଅଧିକ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ରହିଥିବାବେଳେ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ପରିବ୍ୟାପ୍ତ ରହିଛି। ଧୀରେଧୀରେ ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସହ ଆସନ୍ତାକାଲି ଆଡ଼କୁ ଏକ ଅବପାତର ରୂପନେବ। ଏହା ଆହୁରି ଘନୀଭୂତ ହେବ ଓ ୮ ତାରିଖ ସଂଧ୍ୟା ଆଡ଼କୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ। ଏହା ପୁଣି ଉତ୍ତର-ପଶ୍ଚିମ ଆଡ଼କୁ ଗତି ଜାରି ରଖିବ ଏବଂ ୧୦ ତାରିଖ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ।

publive-image

ତେବେ ଏହି ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ସ୍ଥଳଭାଗ ସ୍ପର୍ଶ କରିବ, ତାହା ଆକଳନ ହୋଇନି। ଆସନ୍ତାକାଲି ଅବପାତରେ ପରିଣତ ହେବା ପରେ ଏନେଇ ଅଧିକ ସ୍ପଷ୍ଟତା ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ତେବେ ୧୦ ତାରିଖ ଦିନ, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର-ଓଡ଼ିଶା ଉପକୂଳଠାରୁ ୨୦୦ରୁ ୩୦୦ କିମି ଦୂରରେ ରହିଥିବ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ଏହା ପ୍ରଭାବରେ ରାଜ୍ୟରେ ୧୦ ତାରିଖ ଦିନ ବର୍ଷା ହେବ। କିନ୍ତୁ ବଡ଼ ଧରଣର ବର୍ଷା, ପବନର ସମ୍ଭାବନା କମ୍‌ ବୋଲି ଆଇଏମ୍‌ଡି କହିଛି।

ଦୁର୍ବଳ ରହିବ; ବଡ଼ ବର୍ଷା, ପବନ ହୋଇନପାରେ

publive-image Sambad English

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୧୦ ତାରିଖ ଆଡ଼କୁ ଓଡ଼ିଶା‌ ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଧା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ବି ହୋଇପାରେ। ଏଥିସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଓ ଉତ୍ତର ଉପକୂଳ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସମ୍ଭାବ୍ୟ ବାତ୍ୟା ପ୍ରଭାବ‌ରେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ଏବେ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି। ଧୀରେଧୀରେ ସମୁଦ୍ର ମଧ୍ୟରେ ପବନର ଗତି ବଢ଼ିବ। ଏଣୁ ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବ‌ଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ଓ ୧୦ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ ନେଇ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ଏଥିସହ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଯଥାଶୀଘ୍ର ଉପକୂଳକୁ ଫେରି ଆସିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଣ୍ଡାମାନ ନିକଟ ବନ୍ଦରଗୁଡ଼ିକୁ ମଧ୍ୟ ହାଇଆର୍ଲଟ୍‌ କରାଯାଇଛି।

ଅପରପକ୍ଷେ, ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟା କେଉଁଠାରେ ସ୍ଥଳ ଭାଗ ଛୁଇଁବ, ଏବେ ବି ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ। କିନ୍ତୁ ଏହି ବାତ୍ୟା ବିଶେଷ ଶକ୍ତିଶାଳୀ ହେବ ନାହିଁ। ଏହା ପ୍ରଭାବରେ ୧୦ ଓ ୧୧ ତାରିଖରେ ସାରା ରାଜ୍ୟରେ ବର୍ଷା ହେବ। ଗଞ୍ଜାମ, ପୁରୀ ଓ ଖୋର୍ଧାରେ ୧୦ ତାରିଖରେ ଓ ଉତ୍ତର ଆଭ୍ୟନ୍ତରରେ ୧୧ ତାରିଖରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଦକ୍ଷିଣ ଉପକୂଳରେ ସମୁଦାୟ ବର୍ଷା ପ୍ରାୟ ୧୦୦ମିମି ହେବ। ବାୟୁମଣ୍ଡଳ‌ର ସ୍ଥିତିରେ ପରିବର୍ତ୍ତନ ହେତୁ ଆସନ୍ତାକାଲି ବାତ୍ୟାର ସ୍ପଷ୍ଟ ଚିତ୍ର ଆସିବ ବୋଲି ସେ କହିଛନ୍ତି। ତେବେ ୧୦ ତାରିଖରେ ଓଡ଼ିଶା ଉପକୂଳ ଆସିବା ପରେ ପୁଣି ଦିଗ ପରିବର୍ତ୍ତନ କରି ସମ୍ଭାବ୍ୟ ବାତ୍ୟା ଅଧିକ ସକ୍ରିୟ ହେବ। ଆହୁରି ଘନୀଭୂତ ହୋଇ ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇବ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe