ପର୍ଯ୍ୟଟନ, ସଂସ୍କୃତି ବିଭାଗର ୧୦୦ କୋଟି କ୍ଷତି : ସଂଗ୍ରହାଳୟ, ପାନ୍ଥନିବାସ ସବୁ ଛାରଖାର, ୨ଟି ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ନଷ୍ଟ ହୋଇଗଲା

Advertisment
ପର୍ଯ୍ୟଟନ, ସଂସ୍କୃତି ବିଭାଗର ୧୦୦ କୋଟି କ୍ଷତି : ସଂଗ୍ରହାଳୟ, ପାନ୍ଥନିବାସ ସବୁ ଛାରଖାର, ୨ଟି ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ନଷ୍ଟ ହୋଇଗଲା

ଭୁବ‌େନଶ୍ବର : ପୁରୀ, ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାରେ ପର୍ଯ୍ୟଟନ ଓ ସଂସ୍କୃତିର ଭିତ୍ତିଭୂମି ଦୋହଲି ଯାଇଛି। ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିବା ସଂଗ୍ରହାଳୟ, ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ଠାରୁ ଆରମ୍ଭ କରି ପାନ୍ଥ ନିବାସ ପର୍ଯ୍ୟନ୍ତ ସବୁ ଛାରଖାର ହୋଇଯାଇଛି। ଉଭୟ ବିଭାଗର ଥିବା ଭିତ୍ତିଭୂମି ବାବଦରେ ୧୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡିଛି। ବର୍ଷ ବର୍ଷ ଧରି ନିର୍ମାଣ ହୋଇଥିବା ଏହି ଭିତ୍ତିଭୂମି କେବେ ଠିକ୍ ହେବ ଓ ପର୍ଯ୍ୟଟକଙ୍କୁ ପୁଣି କେବେ ଆକୃଷ୍ଟ କରିବ, ତାହା ଏବେ ବିରାଟ ପ୍ରଶ୍ନବାଚୀ।

‘ସଂସ୍କୃତି ବିଭାଗର କ୍ଷତି ୭୨.୭୪ କୋଟି ଟଙ୍କା ହୋଇଥିଲା ବେଳେ ପର୍ଯ୍ୟଟନ ବିଭାଗର କ୍ଷତି ୧୯.୧୭ କୋଟି ଟଙ୍କା ହୋଇଛି। ଚୂଡ଼ାନ୍ତ ଆକଳନରେ ଏହି କ୍ଷତିର ପରିମାଣ ଆହୁରି ବଢ଼ିପାରେ।

ଆଜି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦୁଇଟି ବିଭାଗ କ୍ଷୟକ୍ଷତି ନେଇ ଦୁଇଟି ପୃଥକ ସମୀକ୍ଷା ବୈଠକ କରିଥିଲେ। ପର୍ଯ୍ୟଟନ ଭବନରେ ପର୍ଯ୍ୟଟନ ବିଭାଗର ସମୀକ୍ଷା ବୈଠକ ହୋଇଥିଲା ବେଳେ ସଚିବାଳୟରେ ଓଡ଼ିଆ ଭା‌ଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ବିଭାଗର ସଚିବ, ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ଉଭୟ ବିଭାଗର ପ୍ରମୁଖ ପ୍ରକଳ୍ପଗୁଡ଼ିକ କ୍ଷତି ହୋଇଥିବାରୁ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଭୀଷଣ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ତୁରନ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏତିକି କ୍ଷୟକ୍ଷତି ଆକଳନ କରାଯାଇଛି। ୧୨ ତାରିଖରେ କେନ୍ଦ୍ରୀୟ ଟିମ୍ ଆସିବାକୁ ଥିବାରୁ ସେମାନଙ୍କ ସାମ୍ନାରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଉପସ୍ଥାପନ କରାଯିବ। କେବଳ ବିଭାଗ ପକ୍ଷରୁ ସିଧାସଳଖ ହୋଇଥିବା ଭିତ୍ତିଭୂମିରେ ଯେଉଁ କ୍ଷୟକ୍ଷତି ହୋଇଛି, ତାହାର ଆକଳନ କରାଯାଇଛି। କିନ୍ତୁ ପର୍ଯ୍ୟଟନ ଶିଳ୍ପ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଅନ୍ୟ ଶିଳ୍ପ ଓ ଭିତ୍ତିଭୂମି ଭୀଷଣ ଭାବେ ପ୍ରଭାବିତ ହୋଇଛି। ସେଗୁଡ଼ିକର ଆକଳନ ବି ପରବର୍ତ୍ତୀ ସମୟରେ କରାଯିବ। ରାଜ୍ୟ ପର୍ଯ୍ୟଟନର ଭିତ୍ତିଭୂମିକୁ ତୁରନ୍ତ ସଜାଡ଼ିବା ପାଇଁ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦ‌େକ୍ଷପ ନେବ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କ୍ଷୟକ୍ଷତି ମଧ୍ୟରେ ଅଛି ସଂସ୍କୃତି ଭବନର ୧୫ କୋଟି, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ୩ କୋଟି, ରାଜ୍ୟ ସଂଗ୍ରହାଳୟ ଓ୧୨ଟି ଶାଖା ସଂଗ୍ରହାଳୟର ୧୫ କୋଟି, ବି କେ ଆର୍ଟ କଲେଜର ୪ କୋଟି, ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ୩ କୋଟି, ଓଡ଼ିଶା ରାଜ୍ୟ ଅଭିଲେଖାଗାରର ୧ କୋଟି, ଓଡ଼ିଶା ଗବେଷଣା କେନ୍ଦ୍ରର ୨ କୋଟି, ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଓ ଉତ୍କଳ ମଣ୍ଡପର ୨ କୋଟି, ଓଡ଼ିଶା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମାରିଟାଇମ୍ ସାଉଥ୍‌ ଇଷ୍ଟ ଏସିଆନ୍ ଷ୍ଟଡିଜ୍‌ର ୫୦ ଲକ୍ଷ, ରାଜ୍ୟ ପ୍ରତ୍ନତତ୍ତ୍ବର ୧୦ କୋଟି, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୧୨ କୋଟି, କଟକର ଆନନ୍ଦ ଭବନର ୫୦ ଲକ୍ଷ, ନେତାଜୀ ଜନ୍ମ ସଂଗ୍ରହାଳୟର ୫୦ ଲକ୍ଷ, ମଧୁସ୍ମୃତିର ୫୦ ଲକ୍ଷ, ସ୍ବରାଜ ଆଶ୍ରମ ଓ ଜିଲ୍ଲା ପାଠାଗାରର ୫୦ ଲକ୍ଷ, ବିଭିନ୍ନ ପ୍ରତିମୂର୍ତ୍ତି ଓ ସ୍ମାରକୀର ୧ କୋଟି, ପୁରୀ ଜିଲ୍ଲା ପାଠାଗାରର ୧ କୋଟି, ନେତାଜୀ ସ୍ମାରକୀ ସଂଗ୍ରହାଳୟର ୧ କୋଟି ଏବଂ ‌େଢଙ୍କାନାଳ ସଂସ୍କୃତି ଭବନ ଓ ଜିଲ୍ଲା ପାଠାଗରର ୨୪ ଲକ୍ଷ ଟଙ୍କାର କ୍ଷତି।

ପର୍ଯ୍ୟଟନ ବିଭାଗ ଅଧୀନରେ ପୁରୀ ଜିଲ୍ଲାରେ ପାନ୍ଥନିବାସର ୨.୬୫ କୋଟି, ପର୍ଯ୍ୟଟନ କାର୍ଯ୍ୟାଳୟର ୨୦ ଲକ୍ଷ, କୋଣାର୍କ ଯାତ୍ରୀନିବାସର ୭୦ ଲକ୍ଷ, କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟର ୧୫ ଲକ୍ଷ, ସାତପଡ଼ା ପାନ୍ଥନିବାସର ୧.୮୦ କୋଟି, ସାତପଡ଼ାରେ ଜେଟି, ଡଙ୍ଗା ଓ ଅନ୍ୟାନ୍ୟ ସୁବିଧାସୁଯୋଗରେ ୧.୨୫ କୋଟି, ସାକ୍ଷୀଗୋପାଳ ପିସିସି‌ର ୨୫ ଲକ୍ଷ, କୋଣାର୍କ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ର ୨.୬୩ କୋଟି ଏବଂ ପୁରୀ ଜଗନ୍ନାଥ ବଲ୍ଲଭ ମଠର ଯାତ୍ରୀ ବିଶ୍ରାମଗାରର ୪୦ ଲକ୍ଷ ଟଙ୍କା କ୍ଷତି ହୋଇଛି। ଗଞ୍ଜାମ ଜିଲ୍ଲାରେ ରମ୍ଭା ପାନ୍ଥନିବାସ, ଗୋପାଳପୁର ପାନ୍ଥନିବାସ ଓ ଟାମ୍ପରା ପିସିସିରେ ୯୦ ଲକ୍ଷ ଟଙ୍କା କ୍ଷତି ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ପର୍ଯ୍ୟଟନ ଭବନରେ ୩୫ ଲକ୍ଷ, ଧଉଳି ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’, ଷ୍ଟ୍ରିଟ୍‌ ଲାଇଟିଂ ଓ ପର୍ଯ୍ୟଟନ ସୁବିଧା‌ସୁଯୋଗ ଭିତ୍ତିଭୂମିରେ ୩.୨୪ କୋଟି ଟଙ୍କା, ବରକୂଳ ପାନ୍ଥନିବାସରେ ୫୫ ଲକ୍ଷ, ଭୁବନେଶ୍ବର ପାନ୍ଥନିବାସରେ ୧.୦୩ କୋଟି, ଖଣ୍ଡଗିରି ବ୍ୟାଖ୍ୟାନ କେନ୍ଦ୍ରରେ ୨୦ ଲକ୍ଷ ଓ ନନ୍ଦନକାନନ ପର୍ଯ୍ୟଟକ ସୁବିଧାକେନ୍ଦ୍ରରେ ୧୦ ଲକ୍ଷ ଟଙ୍କା କ୍ଷତି ହୋଇଛି। ବାଲେଶ୍ବର ପାନ୍ଥନିବାସ ଓ ଚାନ୍ଦିପୁର ପିସିସିରେ ୭ ଲକ୍ଷ, କଟକ ପାନ୍ଥନିବାସରେ ୩୦ ଲକ୍ଷ, ଭଟ୍ଟାରିକା ପାନ୍ଥଶାଳାରେ ୧୦ ଲକ୍ଷ, ପାରାଦୀପ ପାନ୍ଥନିବାସରେ ୨୫ ଲକ୍ଷ, କେନ୍ଦ୍ରାପଡ଼ା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସୁବିଧା ସୁୂଯୋଗ ଭିତ୍ତିଭୂମିରେ ୨୫ ଲକ୍ଷ ଏବଂ ଚାନ୍ଦବାଲି ଅରଣ୍ୟ ନିବାସରେ ୧୦ ଲକ୍ଷ ଟଙ୍କା କ୍ଷତି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିିଥିବା ପର୍ଯ୍ୟଟନ ବିଭାଗର ସାଇନେଜ୍‌ ନଷ୍ଟ ହୋଇଯିବା ଦ୍ବାରା ୧.୭୦ କୋଟି ଟଙ୍କା କ୍ଷତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe