Photograph: (:: Central University of Kerala- ::)
ଭୁବନେଶ୍ବର: ଦେଶର ୫୦ଟି ସ୍ଥାନକୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ଦେଇଛନ୍ତି। ପର୍ଯ୍ୟଟନ ସହ ସଂପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆହ୍ବାନ କରାଯାଇଥିଲା। ତାହାକୁ ଭିତ୍ତି କରି ହୋଟେଲ ଆଣ୍ଡ୍ ରେଷ୍ଟୁରାଣ୍ଟ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ହାରୋ) ପକ୍ଷରୁ ଏହାର ଅଧ୍ୟକ୍ଷ ଡ. ଜେ କେ ମହାନ୍ତି ଭାରତ ତଥା ଓଡ଼ିଶାରେ ଥିବା ପର୍ଯ୍ୟଟନ ସମ୍ଭାବନା ସମ୍ପର୍କିତ କିଛି ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଆକାରରେ ପ୍ରଦାନ କରିଛନ୍ତି। ହାରୋ କହିଛି, ୨୦୨୪ ମସିହାରେ ପାଖାପାଖି ସାଢ଼େ ୯୯ ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସିଥିଲେ। କିନ୍ତୁ ଭାରତରୁ ୩ କୋଟିରୁ ଅଧିକ ଦେଶୀ ପର୍ଯ୍ୟଟକ ବିଦେଶ ଭ୍ରମଣରେ ଯାଇଥିଲେ। ଯାହାକି ଭାରତ ଭ୍ରମଣରେ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ତୁଳନାରେ ୩ ଗୁଣ ଅଧିକ। ବିଦେଶରେ ଯେଉଁସବୁ ପର୍ଯ୍ୟଟନ ସମ୍ଭାର ଓ ସୁବିଧାସୁଯୋଗ ପାଇବା ପାଇଁ ଭାରତୀୟମାନେ ବିଦେଶ ଭ୍ରମଣରେ ଯାଉଛନ୍ତି, ଯଦି ସେହି ସବୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ଭିତ୍ତିଭୂମି ଭାରତରେ ହିଁ ଉପଲବ୍ଧ କରାଯାଇପାରନ୍ତା, ତେବେ ଭାରତୀୟ ପର୍ଯ୍ୟଟକ ଆମ ଦେଶ ଭିତରେ ହିଁ ଭ୍ରମଣ କରିପାରନ୍ତେ ଏବଂ ବିଦେଶୀ ମୁଦ୍ରା ବିନିମୟ ଯୋଗୁଁ ପ୍ରତିବର୍ଷ ଭାରତ ସହୁଥିବା କ୍ଷତିକୁ ରୋକା ଯାଇପାରନ୍ତା।
ଦେଶରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ନିମନ୍ତେ ହାରୋ ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ଦେଶ ସାରା ୩୦ଟି ଗନ୍ତବ୍ୟସ୍ଥଳର ବିକାଶ କରିବା ପରିବର୍ତ୍ତେ, ଛୋଟ ଛୋଟ ଆଞ୍ଚଳିକ କ୍ଲଷ୍ଟର ବିକଶିତ କରି ତାହାକୁ ବିଶ୍ବସ୍ତରୀୟ ଆକର୍ଷଣୀୟ ଗନ୍ତବ୍ୟସ୍ଥଳରେ ପରିଣତ କରାଯାଉ। ଏହି ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳ ବିକାଶ ପାଇଁ ଓ ଆର୍ଥିକ ସହାୟତା ପାଇଁ ପ୍ରତି ରାଜ୍ୟ ପକ୍ଷରୁ ବିଶ୍ବସ୍ତରୀୟ ମାଷ୍ଟର ଡିଜାଇନର୍ ଓ ପ୍ଲାନର୍ଙ୍କୁ ନିଯୁକ୍ତ କରିବା ଆବଶ୍ୟକ। ସେମାନେ ଏକ ‘ସାମଗ୍ରିକ ପର୍ଯ୍ୟଟନ ବିକାଶ ଯୋଜନା’ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ଦ୍ବାରା ନିୟୋଜିତ କମିଟିକୁ ପ୍ରଦାନ କରିବେ। କମିଟି ଉକ୍ତ ଯୋଜନାର କାର୍ଯ୍ୟକାରିତା, ଡିଜାଇନ୍ର ଉତ୍କର୍ଷ ଓ ବିଶ୍ବମାନ ସମ୍ଭାବନାକୁ ଦେଖି, ପରଖି ସେମାନଙ୍କୁ ବଜେଟ୍ ଆବଣ୍ଟନ କରିବେ। ଘରୋଇ ସେକ୍ଟରରୁ ଅଧିକ ନିବେଶକୁ ଆକର୍ଷିକ କରିବାକୁ ସବ୍ସିଡି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ଯଦି ହୋଟେଲର ଅଭାବ ପରିଲକ୍ଷିତ ହେଉଛି ତିନିରୁ ପାଞ୍ଚ ତାରକା ହୋଟେଲକୁ ମଧ୍ୟ ସବ୍ସିଡି ଦିଆଯାଇପାରେ।
ପର୍ଯ୍ୟଟନ ଭିତ୍ତିଭୂମିକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରତିଟି ରାଜ୍ୟ ନିଜ ରାଜ୍ୟରେ ଅତି କମ୍ରେ ଗୋଟିଏ ମେଗା ପର୍ଯ୍ୟଟନ ବା ରିକ୍ରିଏସନ୍ ପ୍ରକଳ୍ପ ବିକଶିତ କରିବା ଆବଶ୍ୟକ। ଦେଶକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ହବ୍ ଭାବେ ବିକଶିତ କରିବା ପାଇଁ କ୍ରୁଜ୍ ପର୍ଯ୍ୟଟନକୁ ବିକଶିତ କରିବାର ଆବଶ୍ୟକତା ରହିଛି। ଦେଶରେ ୮ହଜାର କିମିର ବେଳାଭୂମି, ନଦୀର ବ୍ୟାପକତା ଓ ଅନ୍ତର୍ଦେଶୀୟ ଜଳମାର୍ଗରେ ସାମୁଦ୍ରିକ କ୍ରୁଜ୍ ଟର୍ମିନାଲ୍, ନଦୀ କ୍ରୁଜ୍ ସର୍କିଟ ଓ ମେରାଇନ୍ ଲେଜର୍ ରୁଟ୍ ପ୍ରତିଷ୍ଠା କରି ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଇପାରେ। କ୍ରୁଜ୍ ପର୍ଯ୍ୟଟନ କେବଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଯୋଡ଼ିବ ନାହିଁ, ଏହା ରୋଜଗାର ସୃଷ୍ଟି, ଘରୋଇ ନିବେଶକୁ ଆକର୍ଷିତ କରିବା ସହ ନିରନ୍ତର ଆଞ୍ଚଳିକ ବିକାଶରେ ବି ସାହାଯ୍ୟ କରିବ।
ବିବାହ, ବୈଠକ, ସମ୍ମିଳନୀ ଓ ପ୍ରଦର୍ଶନୀ ଆଦି ନିମନ୍ତେ ଆକର୍ଷଣୀୟ ଗନ୍ତବ୍ୟସ୍ଥଳର ବିକାଶ କରିବାକୁ ହେବ। ଏଥିପାଇଁ ଘରୋଇ ନିବେଶକୁ ସ୍ବାଗତ କରିବା ସହ ଘରୋଇ ଉଦ୍ୟୋଗ ପାଇଁ ଜମି ଉପଲବ୍ଧ କରାଇବା ଆବଶ୍ୟକ। ସବ୍ସିଡି ବ୍ୟବସ୍ଥା ବି ରହିବା ଜରୁରି। ତେବେ ଯାଇ ସେମାନେ ସମର୍ପିତ କନ୍ଭେନ୍ସନ୍ ସେଣ୍ଟର, ସାମଗ୍ରିକ ଇଭେଣ୍ଟ୍ ଭେନ୍ୟୁ ଓ ଉଚ୍ଚମାନର ବିବାହସ୍ଥଳୀ ନିର୍ମାଣ କରିବେ। ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳର ବିକାଶ ଓ ପରିକଳ୍ପନା ପାଇଁ ଆର୍କିଟେକ୍, ଇଂଜିନିୟର୍, ମାଷ୍ଟର ପ୍ଲାନର୍ ଆଦିଙ୍କୁ ନେଇ ଏକ ଟେକ୍ନିକାଲ୍ ଟିମ୍ ଗଠନର ଆବଶ୍ୟକତା ରହିଛି। ସମସ୍ତ ପର୍ଯ୍ୟଟନ ସ୍ଥଳଗୁଡ଼ିକର ପ୍ରଚାରପ୍ରସାରର ବହୁଳ ଆବଶ୍ୟକତା ରହିଛି।
ତେବେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବି ହାରୋ ପ୍ରସ୍ତାବ ଦେଇଛି। ପୁରୀ ଓଡ଼ିଶାର ପର୍ଯ୍ୟଟନ ରାଜଧାନୀ ହୋଇଥିବା ବେଳେ ଜଗନ୍ନାଥ ଧାମ ସାରା ବିଶ୍ବର ଲୋକଙ୍କୁ ଓଡ଼ିଶାକୁ ଟାଣିଥାଏ। ଏଣୁ ଓଡ଼ିଶାର ସ୍ବର୍ଣ୍ଣିମ ତ୍ରିକୋଣ (ଭୁବନେଶ୍ବର-ପୁରୀ-କୋଣାର୍କ)କୁ ଅନ୍ତର୍ଜାତୀୟ ସ୍ତରର କରିବା ଦିଗରେ ପ୍ରୟାସ କରାଯିବା ଉଚିତ। ପୁରୀଠାରୁ ଏହାର ପ୍ରାରମ୍ଭ ହେବା ଉଚିତ। କାରଣ ପୁରୀ ହେଉଛି ଉଭୟ ତିରୁପତି ଓ ଗୋଆର ସମନ୍ବୟ। କାରଣ ଏଠାରେ ପବିତ୍ର ଧାମ ସହ ସମୁଦ୍ର ବେଳାଭୂମି ରହିଛି। ଏଥିସହ ଏସିଆର ସର୍ବବୃହତ୍ ହ୍ରଦ ଚିଲିକାର ବିକାଶ ବି ଜରୁରି ବୋଲି ପ୍ରସ୍ତାବରେ କୁହାଯାଇଛି।
Follow Us