ଭିତରକନିକା, ନୃସିଂହନାଥ, ହରିଶଙ୍କରରେ ପର୍ଯ୍ୟଟନ ପ୍ରକଳ୍ପ ତ୍ବରାନ୍ବିତ ହେବ

Advertisment
ଭିତରକନିକା, ନୃସିଂହନାଥ, ହରିଶଙ୍କରରେ ପର୍ଯ୍ୟଟନ ପ୍ରକଳ୍ପ ତ୍ବରାନ୍ବିତ ହେବ

ଭୁବନେଶ୍ୱର : ରାଜ୍ୟର ତିନି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭିତରକନିକା, ନୃସିଂହନାଥ ଓ ହରିଶଙ୍କରରେ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରାଯିବ। ତିନିଟି ପର୍ଯ୍ୟାୟରେ ହେବାକୁ ଥିବା ଭିତରକନିକାର ବିକାଶ ପାଇଁ ପ୍ରାଥମିକ ପର୍ଯ୍ୟାୟ‌ରେ ଖର୍ଚ୍ଚ ହେବ ୪୬.୨୩ କୋଟି ଟଙ୍କା। ନୃସିଂହନାଥ ଓ ହରିଶଙ୍କର ପାଇଁ ମଧ୍ୟ ୪୬ କୋଟିର ବ୍ୟୟବରାଦ କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ତିନିଟି ସ୍ଥାନରେ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ଅଗ୍ରଗତିର ସମୀକ୍ଷା କରି ପୂର୍ତ୍ତ ବିଭାଗ ମାଧ୍ୟମରେ ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଭିତରକନିକାର ୪ ଟି ମୁଖ୍ୟ ଜୋନ୍‌ରେ ପର୍ଯ୍ୟଟନ ସୁବିଧା ସୃଷ୍ଟି କରାଯିବ। ଏଗୁଡିକ ହେଲା ଡାଙ୍ଗମାଳ, ଗୁପ୍ତି, ଖୋଳା ଓ ଚାନ୍ଦବାଲି। ପ୍ରାଥମିକ ଭିତ୍ତିଭୂମି ଭାବେ ଆଗମନ ଓ ଆତିଥ୍ୟ କେନ୍ଦ୍ର, ରହିବା ପାଇଁ କଟେଜ୍, ବନ୍ୟଜନ୍ତୁ ନିରୀକ୍ଷଣ ସୁବିଧା, ବାଖ୍ୟାନ କେନ୍ଦ୍ର, ଶୌଚାଳୟ ଗାଡ଼ି ପାର୍କିଂ ସ୍ଥାନ ଓ ଜେଟି ଆଦି ସ୍ଥାପନ କରାଯିବ। ଗୁପ୍ତି, ଖୋଳା ଏବଂ କସ୍ତୁରୀକଣ ଠାରେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ବିକାଶ କରିବାକୁ ମୁଖ୍ୟ ଶାସନ ସଚିବ ଇଡ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଏବଂ ରାଜନଗର ବନଖଣ୍ଡ ଅଧିକାରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ତଥ୍ୟ ସହ ଉପଯୁକ୍ତ ଭିତ୍ତିଭୂମି ସମ୍ପର୍କିତ ପରାମର୍ଶ ଦେଇଥିଲେ। ସେହିପରି ଚନ୍ଦ୍ରଭାଗାଠାରେ ବୋଟିଂ ଏବଂ ବେଳାଭୂମି ପର୍ଯ୍ୟଟନ ଭିତ୍ତିଭୂମି ନିମନ୍ତେ ପ୍ରାୟ ୪୨ କୋଟି ଟଙ୍କା ବିନିଯୋଗ ହେବ। ବରଗଡ଼ ଜିଲ୍ଲାର ନୃସିଂହନାଥ ଏବଂ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠରେ ପର୍ଯ୍ୟଟନ ଭିତ୍ତିଭୂମି କାମ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଥିଲା।

ପ୍ରକଳ୍ପଗୁଡ଼ିକର ଟେଣ୍ଡର ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା। ଭିତରକନିକାରେ ସୃଷ୍ଟି କରାଯାଉଥିବା ପର୍ଯ୍ୟଟନ ସମ୍ପତ୍ତିର ରକ୍ଷଣାବେକ୍ଷଣ ଏବଂ ନିରନ୍ତର ପରିଚାଳନା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ମହାପାତ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ସ୍ଥାନୀୟ କମିଟି ଗଠନ କରାହେବ। ଏହି କାର୍ଯ୍ୟରେ ଯଥାସମ୍ଭବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ମୁଖ୍ୟ ଶାସନ ସଚିବ କହିଥିଲେ। ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ମାଧ୍ୟମରେ ସଂପୃକ୍ତ ଅଞ୍ଚଳରେ ନୂତନ ଜୀବିକା ନିର୍ବାହ ଓ ରୋଜଗାର ପନ୍ଥା ସୃଷ୍ଟି ହେବ।

ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ ଓ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe