ଆସିଲାଣି ପର୍ଯ୍ୟଟନ ଋତୁ: ‘ବରବରା’ ଜଙ୍ଗଲ ସଫାରି ବନ୍ଦ

ଆସୁଛି ପର୍ଯ୍ୟଟନ ଋତୁ। ଚଳଚଞ୍ଚଳ ହୋଇଉଠିଲାଣି ଚିଲିକା। ଚିଲିକାକୁ ଲାଗିଥିବା ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶାଗୁଆନ ଜଙ୍ଗଲ ‘ବରବରା’କୁ ବି ପର୍ଯ୍ୟଟକ ଛୁଟିଲେଣି। କିନ୍ତୁ, ଏମିତି ଏକ ସମୟରେ ‘ବରବରା’ ଜଙ୍ଗଲ ସଫାରି ସେବା ବନ୍ଦ ହୋଇଯାଇଛି।

sfdhfhhfsfh

ଖୋର୍ଦ୍ଧା: ଆସୁଛି ପର୍ଯ୍ୟଟନ ଋତୁ। ଚଳଚଞ୍ଚଳ ହୋଇଉଠିଲାଣି ଚିଲିକା। ଚିଲିକାକୁ ଲାଗିଥିବା ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶାଗୁଆନ ଜଙ୍ଗଲ ‘ବରବରା’କୁ ବି ପର୍ଯ୍ୟଟକ ଛୁଟିଲେଣି। କିନ୍ତୁ, ଏମିତି ଏକ ସମୟରେ ‘ବରବରା’ ଜଙ୍ଗଲ ସଫାରି ସେବା ବନ୍ଦ ହୋଇଯାଇଛି। ଘଞ୍ଚ ଜଙ୍ଗଲ ଭିତରେ ନେଚର୍‌ କ୍ୟାମ୍ପ୍‌ରେ ପର୍ଯ୍ୟଟକ ସିନା ରହି ପାରୁଛନ୍ତି, କିନ୍ତୁ ସଫାରି ସେବା ନ ପାଇ ନିରାଶ ହେବାକୁ ପଡ଼ୁଛି। ଜଙ୍ଗଲ ସଫାରି ସେବା ବନ୍ଦ ରହିବାର କାରଣ ହେଉଛି, ୧୪ ସିଟ୍‌ ବିଶିଷ୍ଟ ଗାଡ଼ିର ଯନ୍ତ୍ରାଂଶ ଖରାପ।

ବରବରା ଜଙ୍ଗଲ ସହିତ ପର୍ଯ୍ୟଟକଙ୍କୁ ଯୋଡ଼ିବା ପାଇଁ କିଛି ବର୍ଷ ତଳୁ ଏଠାରେ ନେଚର୍‌ କ୍ୟାମ୍ପ୍‌ ଆରମ୍ଭ କରାଯାଇଛି। ତିନିଟି ନେଚର୍‌ କ୍ୟାମ୍ପ୍‌ ସହିତ ଚାରିଟି ଟେଣ୍ଟ୍‌ ବ୍ୟବସ୍ଥା ହୋଇଛି। ଗୋଟିଏ ରାତି ଓ ଗୋଟିଏ ଦିନକୁ ପ୍ରାୟ ସାଢ଼େ ତିନି ହଜାରରୁ ଅଧିକ ଟଙ୍କା ପୈଠ କରିବାକୁ ପଡ଼ୁଛି। ଏତେ ଟଙ୍କା ସତ୍ତ୍ବେ ଓଡ଼ିଶା ସମେତ ବାହାର ରାଜ୍ୟରୁ ବି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ବାଲୁଗାଁ ରେଞ୍ଜ୍‌ ଅନ୍ତର୍ଗତ ଏହି ଜଙ୍ଗଲକୁ ବୁଲିବାକୁ ଆସୁଛନ୍ତି। 

ପ୍ରକୃତି କୋଳରେ ସମୟ ଅତିବାହିତ କରିବାର ମଜା ସହିତ ଘଞ୍ଚ ଜଙ୍ଗଲ ବୁଲାଇବା ପାଇଁ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ସଫାରି ଯୋଜନା ହୋଇଥିଲା। ଯେଉଁଥିପାଇଁ ୧୪ସିଟ୍‌ ବିଶିଷ୍ଟ ଗାଡ଼ି କିଣି ଜଙ୍ଗଲ ଭିତରେ ରଖାଯାଇଥିଲା। ଜଙ୍ଗଲ ସଫାରି ପାଇଁ ବୁକିଂ ବ୍ୟବସ୍ଥା ଥିଲା ଭିନ୍ନ। ଗୋଟିଏ ଟ୍ରିପ୍‌ରେ ପ୍ରାୟ ଅଢ଼େଇ ହଜାର ଟଙ୍କା ପୈଠ କରିବାକୁ ବିଭାଗ ଯୋଜନା କଲା। ଯୋଜନା ମୁତାବକ, ପର୍ଯ୍ୟଟକଙ୍କୁ ଘଞ୍ଚ ଜଙ୍ଗଲର ୧୨କିଲୋମିଟର ରାସ୍ତା ବୁଲିବାକୁ ସୁଯୋଗ ଦିଆଯିବ। ଏଠାରେ ସର୍ବାଧିକ ୧୭ଫୁଟ ଗୋଲେଇ ବିଶିଷ୍ଟ ଶତାଧିକ ବର୍ଷର ବିରାଟକାୟ ଶାଗୁଆନ ଗଛକୁ ଦେଖିବାକୁ ସୁଯୋଗ ମିଳିବ।

କେବଳ ସେତିକି ନୁହେଁ, ଜଙ୍ଗଲ ଭିତରେ ଥିବା ଛୋଟ ଜଳପ୍ରପାତକୁ ବି ଦର୍ଶକ ଦେଖି ମଜା ଉଠାଇ ପାରିବେ। ତା’ସହିତ ଜଙ୍ଗଲ ଜନ୍ତୁ ଏବଂ ପରିବେଶର ମଜା ନେଇ ପାରିବେ। କିନ୍ତୁ, ଗାଡ଼ି ଅଚଳ ହୋଇପଡ଼ିଥିବାରୁ ପର୍ଯ୍ୟଟନ ଋତୁ ଆରମ୍ଭରୁ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡ଼ିଛି। ସୂତ୍ର ମୁତାବକ, ଗାଡ଼ି ସଜାଡ଼ିବା ପାଇଁ ଡିଏଫ୍‌ଓ ଚିଠି କରିଛନ୍ତି। ଗାଡ଼ି ଠିକ୍‌ ହୋଇ ଆସିଲା ପରେ ସଫାରି ସେବା ଆରମ୍ଭ ହୋଇପାରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe