ବିଶ୍ବ ପର୍ଯ୍ୟଟନ ଦିବସ ଆଜି: ପର୍ଯ୍ୟଟନସ୍ଥଳୀରେ ମୌଳିକ ସୁବିଧା ନାହିଁ

କାଗଜପତ୍ରରେ ଚାଲିଛି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ

ବିଶ୍ବ ପର୍ଯ୍ୟଟନ ଦିବସ ଆଜି: ପର୍ଯ୍ୟଟନସ୍ଥଳୀରେ ମୌଳିକ ସୁବିଧା ନାହିଁ

ନୟାଗଡ଼ : ସେପ୍ଟେମ୍ବର ୨୭କୁ ପ୍ରତିବର୍ଷ ବିଶ୍ବ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା, ପ୍ରଚାର ପ୍ରସାର କରାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ନୟାଗଡ଼ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଏଥିରେ ବ୍ୟତୀକ୍ରମ ସାଜିଛି। ଜିଲ୍ଲାର ୮ଟି ବ୍ଲକ୍‌ରେ ୧୪ରୁ ଅଧିକ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ସ୍ଥାନ ଥିବା ବେଳେ ଏଗୁଡ଼ିକ ନାନା ସମସ୍ୟାରେ ବୁଡ଼ିରହିଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ କେବଳ କାଗଜପତ୍ରରେ ଚାଲିଥିବା ଅନୁଭବ ହେଉଥିବା ବେଳେ ପର୍ଯ୍ୟଟନ ଅଧିକାରୀଙ୍କ ଦେଖା ମିଳୁନି। କେବଳ ପର୍ଯ୍ୟଟନ ଦିବସରେ ଶୋଭାଯାତ୍ରା, ବିଭିନ୍ନ ପ୍ରତିଯୋଗିତା କରିବାରେ ନୟାଗଡ଼ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସୀମିତ। ପର୍ଯ୍ୟଟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଦେଖିବାକୁ ମିଳୁ ନ ଥିବା ବେଳେ ଫୋନ୍‌ କଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ୍‌ ସେ ଉଠାଉ ନାହାନ୍ତି।

ବଣପାହାଡ଼ ଘେରା ନୟାଗଡ଼କୁ ସହଜରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରନ୍ତା। ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାରପ୍ରସାର ନେଇ ମଧ୍ୟ କାହାରି ନିଘା ନାହିଁ। ରଣପୁରର ଖିଲାମୁଣ୍ଡା ପୀଠ, ଅସୁରକୁମାରୀ ପୀଠ, ଜଗନ୍ନାଥ ମନ୍ଦିର, ମା ମଣିନାଗ ପୀଠ ଆଦି ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଛି। କିନ୍ତୁ ଏଗୁଡ଼ିକରେ କେଉଁଠି ପାନୀୟ ଜଳ ତ ଆଉ କେଉଁଠି ବିଦ୍ୟୁତ, ରାସ୍ତା ଭଳି ସମସ୍ୟା ଲାଗି ରହିଛି। କଣ୍ଟିଲୋ ନୀଳମାଧବ ପୀଠରେ ଥିବା ପାନ୍ଥଶାଳାଠାରୁ ଆରମ୍ଭ କରି ଶରଣକୁଳ ପାନ୍ଥଶାଳା ଅଚଳ ପଡ଼ିଛି। ଦାଶିଆ ଅଜା ସଂଗ୍ରହାଳୟ, ସାତକୋଶିଆ ସ୍ୟାଣ୍ଡ୍ ରିସର୍ଟ, କୁଆଁରିଆ ହରିଣ ପାର୍କ ସମେତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ବହୁସ୍ଥାନ ରହିଥିବା ବେଳେ, ଏହା ରାଜ୍ୟ ତଥା ଦେଶ, ବିଦେଶ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି। ଜିଲ୍ଲାକୁ ବିଦେଶୀ ପର୍ଯ୍ୟଟକଙ୍କ ପାଦ ପଡ଼ୁ ନଥିବା ଦେଖାଯାଇଛି। ଜିଲ୍ଲାର ଅନେକ ସ୍ଥାନ ଏବେବି ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପକ୍ଷୋରେ ରହିଛି।

ବଲାଙ୍ଗୀ ପାର୍କ ନୂଆ ଆଶା
ନୟାଗଡ଼ : ଜିଲ୍ଲା ସଦର ମହକୁମାରେ ଅତ୍ୟାଧୁନିକ ବଲାଙ୍ଗୀ ପାର୍କ ଏବେ ନିର୍ମାଣାଧୀନ ଅବସ୍ଥାରେ ରହିଛି। କିଛି ବର୍ଷ ତଳେ ଜଙ୍ଗଲ ସଦୃଶ ଥିବା ଏହି ଅଞ୍ଚଳ କ୍ରମେ ସଜେଇ ହେଉଛି। ଏହାକୁ ରାଜ୍ୟ ତଥା ଦେଶରେ ଏକ ପ୍ରମୁଖ ପାର୍କ କରିବାକୁ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ଉଦ୍ୟମ ଜାରି ରଖିଛନ୍ତି। ଏହା ନୟାଗଡ଼ର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି। ପାହାଡ଼ ଉପରେ କଟେଜ୍‌(କୁଡ଼ିଆ) ଠାରୁ ନେଇ ବୋଟିଂ ଆଦି ହେବାର ଯୋଜନା ହୋଇଥିବା ବେଳେ ବିଭିନ୍ନ ଔଷଧୀୟ ବୃକ୍ଷରୋପଣ ମଧ୍ୟ କରାଯାଉଛି। ପାର୍କ ପୂର୍ଣ୍ଣାଙ୍ଗ ରୂପ ନେବା ପରେ ଏହା ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହେବାର ସମ୍ଭାବନା ସୃଷ୍ଟି କରୁଛି। ଓଟିଡିସିଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ବିଭାଗ ପାର୍କ ନିମନ୍ତେ ଅନୁଦାନ ଦେଇଛନ୍ତି।

publive-image

ପରିତ୍ୟକ୍ତ ଅବସ୍ଥାରେ ପର୍ଯ୍ୟଟନ କୋଠା
ନୟାଗଡ଼ : ନୟାଗଡ଼ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପଠାଣୀ ସାମନ୍ତ ପ୍ରେକ୍ଷାଳୟର ଏକ କୋଣରେ ଅସ୍ଥାୟୀ ଭାବେ ଚାଲିଛି। ୨୦୧୯ ମସିହାରେ ପିଟିଏସ୍‌ ରୋଡ୍‌ରେ କାର୍ଯ୍ୟାଳୟର ନୂତନ କୋଠା ଉଦ୍‌ଘାଟିତ ହୋଇଥିଲା। ଏହି କୋଠା ଗୋରୁ ଗୁହାଳ ସଦୃଶ ପାଲଟିଲାଣି। ଏହା ମଧ୍ୟରେ ଅନାବନା ଗଛ ଉଠିଯାଇଥିବା ବେଳେ ଗେଟ୍‌ରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଏହି କୋଠାର ବିଭିନ୍ନ ସ୍ଥାନରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପର୍ଯ୍ୟଟନ ବିଭାଗ ନିଜ କାର୍ଯ୍ୟାଳୟ କଥା ମଧ୍ୟ ବୁଝି ପାରୁନାହିଁ। କାର୍ଯ୍ୟାଳୟର ଏଭଳି ଅବସ୍ଥା ହୋଇଥିବା ବେଳେ ପର୍ଯ୍ୟଟନସ୍ଥଳୀର ଅବସ୍ଥା ଅନୁମେୟ।

publive-image

ପାନ୍ଥନିବାସ ପାଲଟିଛି ଭୂତକୋଠି, ୩୦ ବର୍ଷ ପାଇଁ ଲିଜ୍‌ ନେଇ ଠିକା ସଂସ୍ଥା ଛୁ 
ନୟାଗଡ଼ : ସାରା ଓଡ଼ିଶ‌ାରେ ପ୍ରସିଦ୍ଧ ନୟାଗଡ଼ ଜିଲ୍ଲା ଶରଣକୁଳର ଲଡ଼ୁବାବାଙ୍କ ପୀଠ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପାନ୍ଥନିବାସ ସ୍ଥାପନ କରାଯାଇଥିଲା। ନବେ ଦଶକରେ ଏହି ପାନ୍ଥନିବାସ କରାଯାଇଥିବାବେଳେ ପ୍ରାୟ ଦୁଇ ଦଶନ୍ଧି ଧରି ଏହା ଭୂତକୋଠି ପାଲଟିଛି। ୨୦୧୬ରେ ଏହି ପାନ୍ଥନିବାସକୁ କାର୍ଯ୍ୟକ୍ଷମ କରିବାକୁ ସତ୍ୟରଞ୍ଜନ ମହାନ୍ତି( ରେନ୍‌ ଦ କ୍ଲବ୍‌)କୁ ଲିଜ୍‌ ସୂତ୍ରରେ ୩୦ ବର୍ଷ ନିମନ୍ତେ ଦିଆଯାଇଥିଲା। ତେବେ ଲିଜ୍‌ ନେଇଥିବା ବ୍ୟକ୍ତି ଲିଜ୍‌ ନେବା ପରେ ଏହାକୁ ଭୁଲିଯାଇଛନ୍ତି। ପାନ୍ଥନିବାସର ମରାମତି ତଥା କାର୍ଯ୍ୟକ୍ଷମ ଏବେବି ହୋଇପାରିନାହିଁ। ଏନେଇ ନୟାଗଡ଼ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ମଧ୍ୟ ନିଦାବିଷ୍ଣୁ ପାଲଟିଛି। ଏହି ପାନ୍ଥଶାଳା ଲିଜ୍‌ ସୂତ୍ରରେ ଘରୋଇ ବ୍ୟକ୍ତି ନେବା ପରେ କାହିଁକି କାର୍ଯ୍ୟକ୍ଷମ ହେଉନାହିଁ, ସେ ନେଇ ସଭିଏଁ ନୀରବ। ସତ୍ୟରଞ୍ଜନ ମହାନ୍ତିଙ୍କୁ ଏହା ୩୦ ବର୍ଷ ନିମନ୍ତେ ଲିଜ୍‌ରେ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe