୧୦ ପାନ୍ଥନିବାସରୁ ସ୍ଥାନାନ୍ତର ହେଲେ ପର୍ଯ୍ୟଟକ, ୫ ଯାଏଁ ବୁକିଂ ବାତିଲ୍‌

୧୦ ପାନ୍ଥନିବାସରୁ ସ୍ଥାନାନ୍ତର ହେଲେ ପର୍ଯ୍ୟଟକ, ୫ ଯାଏଁ ବୁକିଂ ବାତିଲ୍‌

ଭୁବନେଶ୍ବର : ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାତ୍ୟା ‘ଫନି’ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ବିଶେଷକରି ଉପକୂଳବର୍ତୀ ଏବଂ ନଦୀ/ ହ୍ରଦ ସଂଲଗ୍ନ ଅଞ୍ଚଳ ନିକଟସ୍ଥ ପାନ୍ଥ ନିବାସରେ ରହିଥିବା ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ବୁକିଂ ବାତିଲ୍‌ କରାଯାଇଛି। ଯେଉଁ ପର୍ଯ୍ୟଟକମାନେ ଆଡ୍‌ଭାନ୍‌ସ ବୁକିଂ କରିଥିଲେ ସେମାନଙ୍କ ସହ ଯୋଗାଯୋଗ କରି ବୁକିଂ ବାତିଲ୍‌ କରାଯାଇଛି ନଚେତ୍‌ ପର୍ଯ୍ୟଟକଙ୍କ ସହମତିରେ ଘୁଞ୍ଚାଯାଇଛି। ‌ଏଥିସହ ସମସ୍ତ ସାଇଟ୍‌ସିଙ୍ଗ୍‌, ପ୍ୟାକେଜ୍‌ ଟୁର୍‌ ବାତିଲ୍‌ ହୋଇଛି। ଚିଲିକା, ବରକୂଲ, ସାତପଡ଼ା, ରମ୍ଭା, ଭିତରକନିକାରେ ମଧ୍ୟ ବୋଟିଂ ସୁବିଧା ମିଳିବ ନାହିଁ ବୋଲି ସୂଚନା ଦିଆଯାଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ପୁରୀ, ସାତପଡ଼ା, ଗୋପାଳପୁର, ବରକୂଲ, ରମ୍ଭା, କୋଣାର୍କ, ଚାନ୍ଦିପୁର, ଚାନ୍ଦବାଲି, ଚନ୍ଦନେଶ୍ବର, ପାରାଦୀପରେ ଥିବା ପାନ୍ଥନିବାସ କ୍ଷେତ୍ରରେ ବାତ୍ୟାକାଳୀନ ସତର୍କତା ସହ ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର କରାଯାଇଛି।

publive-image

ପୁରୀ ଓ କୋଣାର୍କ ପାନ୍ଥନିବାସରେ ରହୁଥିବା ପର୍ଯ୍ୟଟକଙ୍କୁ ଭୁବନେଶ୍ବର ପାନ୍ଥନିବାସକୁ ସ୍ଥାନାନ୍ତର କରାଯାଇଛି। ୨ରୁ ୫ ତାରିଖ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ବୁକିଂ ବନ୍ଦ ରହିବ ବୋଲି ଓଟିଡିସିର ମାର୍କେଟିଙ୍ଗ୍‌ ମ୍ୟାନେଜର ଡ. ଆଲୋକ ରଞ୍ଜନ ମିଶ୍ର କହିଛନ୍ତି। ଭୁବନେଶ୍ବରକୁ ଆସିବାକୁ ଥିବା ଟ୍ରେନ୍‌ ବାତିଲ୍‌ ସୂଚନା ପାଇବା ପରେ ଉକ୍ତ ପାନ୍ଥନିବାସରେ ରହିବା ପାଇଁ ବୁକିଂ କରିଥିବା ପର୍ଯ୍ୟଟକମାନେ ସ୍ବତଃ ବୁକିଂ ବାତିଲ୍‌ କରିଛନ୍ତି। ତେବେ ୩ରୁ ୫ ମଧ୍ୟରେ ବୁକିଂ କରିଥିବା ୮୦ ପ୍ରତିଶତ ପର୍ଯ୍ୟଟକ ବୁକିଂ ସମୟସୀମାକୁ ୧୦ କିମ୍ବା ୧୨ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ୩ରୁ ୫ ମଧ୍ୟରେ ପୁରୀ ପାନ୍ଥନିବାସର ସମସ୍ତ ରୁମ୍‌ ବୁକିଂ ରହିଥିଲେ ହେଁ ସେଗୁଡ଼ିକ ବାତିଲ୍‌ କରାଯାଇଛି। ଆଗରୁ ବୁକିଂ କରି ଏବେ ବାତିଲ୍‌ କରୁଥିବା ପର୍ଯ୍ୟଟକଙ୍କୁ ସେମାନଙ୍କ ଅର୍ଥରାଶି ଫେରସ୍ତ କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ଯଦି ବି କେହି ପର୍ଯ୍ୟଟକ ରହିଯିବେ ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣର ଖାଦ୍ୟ, ପାନୀୟ, ଜରୁରିକାଳୀନ ଆଲୁଅ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସହ ଆବଶ୍ୟକସ୍ଥଳେ ଡାକ୍ତରଙ୍କୁ ଡାକିବାର ସୁବିଧା କରାଯାଇଛି। ଏଥିସହ ଉକ୍ତ ପାନ୍ଥନିବାସରେ ୟୁନିଟ୍‌ ମ୍ୟାନେଜରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌ ହେବା ସହ ୨୪ ଘଣ୍ଟା ରହିବାକୁ ନିର୍ଦେଶ ଦିଆଯାଇଛି। ବରିଷ୍ଠ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟ ସହ ପ୍ରତି ଘଣ୍ଟାଏ ଲେଖାଏଁ ଅନ୍ତରରେ ଯୋଗାଯୋଗ କରି ସ୍ଥିତି ସମ୍ପର୍କରେ ଅବଗତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe