Down To Earth
ଟିଟିଲାଗଡ଼: ପେଟ ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ମାଲିକର ନିର୍ଯାତନ ସହି ନପାରି ଲୁଚିଛପି ଘରକୁ ଚାଲି ଆସିଥିଲେ। ଗାଁରେ ପହଞ୍ଚିବା ପରେ ସର୍ଦ୍ଦାରର ନାଲିଆଖି। ନିଜ ଘର ଛାଡ଼ି ପିଲାଛୁଆଙ୍କ ସହିତ ଅନ୍ୟତ୍ର ଲୁଚି ବୁଲୁଛନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଖଲିପତର ଗାଁର ୧୭ ଶ୍ରମିକ ପରିବାର।
ଅଭିଯୋଗ ଅନୁସାରେ, ବେଲପଡ଼ା ଥାନା ବେଲପଡ଼ା ଗାଁର ଦାଦନ ସର୍ଦ୍ଦାର ହଲୁ ସୁନା ଜରିଆରେ ଉକ୍ତ ଶ୍ରମିକମାନେ ଚାରିମାସ ତଳେ ହାଇଦ୍ରାବାଦ ଯାଇଥିଲେ। ସେଠାରେ ମିର୍ଚେଲ ଅଞ୍ଚଳର ନରସିମ୍ହାଁ ନାମକ ଜଣେ ଇଟାଭାଟି ମାଲିକ ପାଖରେ ଇଟା ଗଢୁଥିଲେ। ସେଠାରେ ମାଲିକ ସେମାନଙ୍କୁ ନିର୍ଯାତନା ଦେବା ସହ ଖାଇବା ପିଇବାକୁ ମଧ୍ୟ ଠିକ ଭାବେ ଦେଲା ନାହିଁ। କୌଶଳକ୍ରମେ ସେମାନେ ଇଟାଭାଟିରୁ ଖସିଆସି ଘରେ ପହଞ୍ଚିଥିଲେ। ଖବର ପାଇବା ପରେ ସର୍ଦ୍ଦାର ହଲୁ ସେମାନଙ୍କ ଗାଁକୁ ଯାଇ ପୁଣିଥରେ ଇଟାଭାଟି ମାଲିକ ପାଖକୁ ଫେରିଯିବାକୁ କହି ଧମକଚମକ ଦେଇଥିଲା। ପରିବାର ଲୋକେ ଭୟରେ ଖଲିପତର ଗାଁ ଛାଡ଼ି କୁନିକୁନି ପିଲାମାନଙ୍କୁ ନେଇ ଟିଟିଲାଗଡ଼ ଥାନା ଅନ୍ତର୍ଗତ ସିକେର ଗାଁର ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି।
ରାତିରେ ସର୍ଦ୍ଦାରର ଭୟ ରହୁଥିବାରୁ ନିକଟସ୍ଥ ଜଙ୍ଗଲରେ ରହୁଥିବା ସେମାନେ ପ୍ରକାଶ କରିଛନ୍ତି। ଏହି ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ୍ପି ନିତିନ କୁଶଲକର, ପାଟଣାଗଡ଼ ଏସ୍ଡିପିଇଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏସ୍ପି ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ମଧ୍ୟ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ବେଲପଡ଼ା ଥାନାଧିକାରୀ ବୁଲୁ ମୁଣ୍ଡାଙ୍କୁ ପଚରାଯିବାରୁ ଶ୍ରମିକମାନଙ୍କୁ ନିଜ ଗାଁକୁ ଫେରିଆସିବାକୁ କହାଯାଇଛି, ସମ୍ପୃକ୍ତ ସର୍ଦ୍ଦାର ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
Follow Us