ଟିପିଓଡବ୍ଲ୍ୟୁଡିଏଲ୍‌ ପଶ୍ଚିମ ଓଡ଼ିଶାରେ ବସାଇବ ଲକ୍ଷେ ସ୍ମାର୍ଟ ମିଟର

ଟିପିଓଡବ୍ଲ୍ୟୁଡିଏଲ୍‌ ପଶ୍ଚିମ ଓଡ଼ିଶାରେ ବସାଇବ ଲକ୍ଷେ ସ୍ମାର୍ଟ ମିଟର

ସମ୍ବଲପୁର : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଦ୍ବାରା ଯୌଥ ଉଦ୍ୟୋଗ ଟିପିଓଡବ୍ଲ୍ୟୁଡିଏଲ୍‌ ୱେଷ୍ଟର୍ଣ୍ଣ ଓଡ଼ିଶା ଲିମିଟେଡ୍‌ ଗ୍ରାହକମାନଙ୍କୁ ସଠିକ୍ ମାସିକ ବିଲ୍ ପ୍ରଦାନ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। କଂପାନି ପକ୍ଷରୁ ଏକ ନୂତନ ବିଲିଂ ସଫ୍‌ଟୱେୟାର ଏବଂ ସ୍ମାର୍ଟ ମିଟର ସ୍ଥାପନ କରିବାକୁ ଯାଉଛି। ଅଗାମୀ ୨ ବର୍ଷ ମଧ୍ୟରେ କଂପାନି ତରଫରୁ ପରୀକ୍ଷାମୂଳକ ଭାବେ ୧ ଲକ୍ଷରୁ ବେଶୀ ସ୍ମାର୍ଟ ମିଟର ପଶ୍ଚିମ ଓଡ଼ିଶାର ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବ। ଏହି ସ୍ମାର୍ଟ ମିଟର ଦ୍ବାରା ଗ୍ରାହକମାନଙ୍କ ଓ କଂପାନିର କାର୍ଯ୍ୟ ପ୍ରଣାଳୀରେ ବିଭିନ୍ନ ଉନ୍ନତି ପରିଲକ୍ଷିତ ହେବ। ଆଉ ଘରକୁ ଘର ବୁଲି ମିଟର ରିଡିଂ ସଂଗ୍ରହ କରି ବିଲ୍‌ କରିବାକୁ ପଡ଼ିବ ନାହଁ। ଗ୍ରାହକମାନେ ସେମାନଙ୍କ ବିଦ୍ୟୁତ ବ୍ୟବହାର ହାର ଯେ କୌଣସି ମୁହୂର୍ତ୍ତରେ ଦେଖିପାରିବେ। ଏହି ମିଟର ମଧ୍ୟରେ ଗତ ୧୨ ମାସର ବିଲ୍ ଏବଂ ବୃଦ୍ଧି ହାରର ବିବରଣୀ ଦେଖିପାରିବେ।

ଯଦି, ଘରର ବିଦ୍ୟୁତ ସଂଯୋଗ ବିଛିନ୍ନ ହୁଏ, ତାହେଲେ କଂପାନି ପାଖରେ ତୁରନ୍ତ ଖବର ପହଂଚିବ ଏବଂ ଏହାର ସମାଧାନ ମଧ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଇପାରିବ। ଗ୍ରାହକମାନ‌େ ମୋଇବାଲ୍‌ ଆପ୍ କିମ୍ବା କଂପାନି‌ ୱେବ୍‌ସାଇଟ୍‌ ମାଧ୍ୟମରେ ନିଜ ବ୍ୟବହାର ୟୁନିଟ୍ ଦର ଓ ବିଲ୍‌ ମୂଲ୍ୟ ଯେ କୌଣସି ସମୟରେ ଦେଖିପାରିବେ। ଏହା ଦ୍ବାରା କାଗଜରେ ଛପା ବିଲ୍‌ର ଆଉ ଆବଶ୍ୟକ ରହିବ ନାହିଁ। ଲକ୍ଷ ଲକ୍ଷ ବିଲ୍‌ ଛାପିବା ଧୀରେ ଧୀ‌ରେ ବନ୍ଦ ହେବା ସହିତ ପରିବେଶ ସୁରକ୍ଷା ମଧ୍ୟ କରାଯାଇପାରିବ। ଆଗାମୀ ଦିନରେ ଏହି ସ୍ମାର୍ଟ ମିଟର ମାଧ୍ୟମରେ ପ୍ରିପେଡ୍‌ ପ୍ରଣାଳୀ ମାଧ୍ୟମରେ ସେବା ଯୋଗାଇ ଦିଆଯାଇପାରିବ। ଅନ୍ୟ ପକ୍ଷରେ ଏହା ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ ବ‌ୋଲି କଂପାନିର ସରକାରୀ ସଂପର୍କ ମୁଖ୍ୟ ଅଧିକାରୀ ମନୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe