TPSODL is trying to please the authorities by providing reports and photos without doing any work. Photograph: (sambad.in )
ଘୁ.ଉଦୟଗିରି: ମିଛ ତଥ୍ୟ ଏବଂ ଫଟୋ ଦେଇ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ଖୁସି କରୁଛି ଟିପିଏସଡ଼ିଏଲ।ସାଧାରଣ ନିରୀହ ଜନତାଙ୍କୁ ଦିନରେ ତାରା ଦେଖେଇଲା ଭଳି କାର୍ଯ୍ୟ କରିଛି ବିଦ୍ୟୁତ ବିଭାଗ।
ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ଅଡୁନାଜୁରେ। ଅଡୁନାଜୁ ନିକଟରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡ଼ିରହିଥିବା ନେଇ ନଭେମ୍ବର ୨୪ ତାରିଖରେ ସମ୍ବାଦରେ ଖବର ପ୍ରକାଶ ପରେ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ଶକ୍ତିମନ୍ତ୍ରୀ,ଜିଲ୍ଲାପାଳ କନ୍ଧମାଳ ଏବଂ ଟିପିଏସଡ଼ିଏଲର ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦାଖଲ କରି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ।
କିନ୍ତୁ ଟିପିଏସଡ଼ିଏଲ ପକ୍ଷରୁ ଆଶ୍ଚର୍ଯ୍ୟ କଲା ଭଳି ପ୍ରତିଉତ୍ତର ଆସିଛି ଅଭିଯୋଗକାରୀଙ୍କ ପାଖକୁ। ଉଲ୍ଲେଖ କରାଯାଇଛି ଖୁସି ଖବର କାର୍ଯ୍ୟଟି ସମାପ୍ତ ହୋଇଯାଇଛି। କାର୍ଯ୍ୟର ଫଟୋ ମଧ୍ୟ ଲୋଡ଼ କରାଯାଇଛି। ପ୍ରକୃତରେ ସେଠାରେ କୌଣସି କାର୍ଯ୍ୟ ବିଦ୍ୟୁତ ବିଭାଗ କରିନାହିଁ। ଆଜି ବି ସେମିତି ମୁକୁଳା ପଡିଛି ଟ୍ରାନ୍ସଫର୍ମର। ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏହା ଦେଖୁଥିଲେ ମଧ୍ୟ କିଛି ପ୍ରତିକାର କରୁ ନାହାନ୍ତି।
ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରାଯାଉଛି ଅଥଚ ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ବାଡ଼ ଦିଆଯାଉ ନାହିଁ। ଲୋକ ଯିବା ଆସିବା ରାସ୍ତା ପାର୍ଶ୍ବ ନିକଟରେ ଟ୍ରାନ୍ସଫର୍ମର ଥିବାରୁ ଲୋକ ଓ ଗାଈ ଗୋରୁଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି।
କିଛି ଅଘଟଣ ଘଟିବା ପୂର୍ବରୁ ଯଥା ଶୀଘ୍ର ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ବାଡ଼ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସମସ୍ୟାର ସମାଧାନ ନ ହୋଇ ମିଥ୍ୟା ରିପୋର୍ଟ ପ୍ରଦାନ କରିଛନ୍ତି ବିଦ୍ୟୁତ ବିଭାଗ। ଉପରିସ୍ଥ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ନିରୀହ ଜନ ସାଧାରଣଙ୍କ ଜୀବନ ସହିତ ଖେଳ ଖେଳାଯାଉଛି।
ଅଧିକ ପଢ଼ନ୍ତୁ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ: ୨ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଏହି ତଥ୍ୟରୁ ଏବଂ ଫଟୋରୁ ସ୍ପଷ୍ଟ ବାରି ହେଉଛି କିଭଳି ଶାସନ ବ୍ୟବସ୍ଥା ଚାଲିଛି । ମିଛ ରିପୋର୍ଟ ଏବଂ ମିଛ ଫଟୋ ଦେଇ ଦିନ ଦ୍ୱିପ୍ରହରରେ ସାଧାରଣ ଲୋକଙ୍କୁ ଠକିବାକୁ ପ୍ରୟାସ କରାଯାଉଛି।ଏହିଭଳି ମିଛ ତଥ୍ୟ ଏବଂ ଫଟୋ ପ୍ରଦାନ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଏହି କାର୍ଯ୍ୟ ସମାପନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ: ଟ୍ରକ୍କୁ ପଛପଟୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍
Kandhamal
Follow Us