କଇଁଛ ଦେହରେ ସାଟେଲାଇଟ୍‌ ଲଗାଇ ଗତିବିଧି ନିରୀକ୍ଷଣ

ଗହୀରମଥା ସମୁଦ୍ର ଉପକୂଳରୁ  ଶ୍ରୀଲଙ୍କା ଉପକୂଳ ଯାଏଁ ୧ ହଜାର କିଲୋମିଟରରୁ ଅଧିକ ଦୂର ଯାତ୍ରା କରିଛି ଅଲିଭ୍ ରିଡ୍‌ଲେ ସାମୁଦ୍ରିକ କଇଁଛ। ଶ୍ରୀଲଙ୍କା ଉପକୂଳ ଯାଏଁ ଯିବା ପରେ ସେପ୍ଟେମ୍ବର...

Untitled-20

ରାଜନଗର: ଗହୀରମଥା ସମୁଦ୍ର ଉପକୂଳରୁ  ଶ୍ରୀଲଙ୍କା ଉପକୂଳ ଯାଏଁ ୧ ହଜାର କିଲୋମିଟରରୁ ଅଧିକ ଦୂର ଯାତ୍ରା କରିଛି ଅଲିଭ୍ ରିଡ୍‌ଲେ ସାମୁଦ୍ରିକ କଇଁଛ। ଶ୍ରୀଲଙ୍କା ଉପକୂଳ ଯାଏଁ ଯିବା ପରେ ସେପ୍ଟେମ୍ବର ମାସରୁ ଏକ ସାଟେଲାଇଟ୍-ଟ୍ୟାଗିଂ ଅଲିଭ୍ ରିଡ୍‌ଲେ କଇଁଛ ସଙ୍କେତ ଦେବା ବନ୍ଦ କରି ଦେଇଛି। ଫଳରେ କଇଁଛଟିର ମୃତ୍ୟୁ ଘଟିଛି ନା ଟ୍ରାନ୍ସମିଟର ଖସିଯାଇଛି କିମ୍ବା ଟ୍ରାନ୍ସମିଟରର ବ୍ୟାଟେରି ସରିଯାଇଛି, ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନାହିଁ। ଗହୀରମଥାର ବାବୁବାଲିରୁ ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିବା ସାଟେଲାଇଟ୍‌ ଟ୍ୟାଗିଂ ଅଲିଭ୍‌ ରିଡ୍‌ଲେ କଇଁଛ ଗହୀରମଥାରୁ ପୁରୀ, ବ୍ରହ୍ମପୁର, ଆନ୍ଧ୍ରପ୍ରଦେଶ, ତିରୁପତି, ଚେନ୍ନାଇ, ପୁଡୁଚେରି ଦେଇ ତାମିଲନାଡୁ ନିକଟ ଗଭୀର ସମୁଦ୍ରରେ ଶ୍ରୀଲଙ୍କା ଉପକୂଳରେ ପହଞ୍ଚିଥିବା ଜଣାପଡ଼ିଛି। ଡେରାଡୁନର ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପକ୍ଷରୁ କଇଁଛ ଦେହରେ ସାଟେଲାଇଟ୍‌ ଟ୍ୟାଗିଂ କରାଯିବା ସହ ତାର ଗତିବିଧି ଅନୁଧ୍ୟାନ କରାଯାଉଥିଲା। ୧୩ ମାର୍ଚ୍ଚ ୨୦୨୫ ରେ ଗହୀରମଥାରେ ଅଣ୍ଡା ଦେବାକୁ ଉପରକୁ ଉଠିଥିବା ଦୁଇଟି ମା’ କଇଁଛ ଦେହରେ ସାଟେଲାଇଟ୍‌ ଟ୍ୟାଗିଂ କରାଯାଇଥିଲା। ଦୁଇଟି ସାଟେଲାଇଟ୍‌ ଟ୍ୟାଗିଂ କଇଁଛଙ୍କ ମଧ୍ୟରୁ ଗୋଟିଏ କଇଁଛ ଗଭୀର ସମୁଦ୍ରରେ ଯାତ୍ରା କରି ଶ୍ରୀଲଙ୍କା ଉପକୂଳରେ ପହଞ୍ଚି ଥିବା ବେଳେ ଅନ୍ୟ ଏକ କଇଁଛର ଅବସ୍ଥିତି ଜଣାପଡ଼ି ନାହିଁ।  

ପୂର୍ବରୁ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ୨୦୨୧ରେ ଗହୀରମଥାରେ ଅଣ୍ଡା ଦେଉଥିବା କଇଁଛଙ୍କ ଗୋଡ଼ରେ ଧାତବ ଫଳକରେ ନମ୍ବର ଲେଖି ଲଗାଯାଇଥିଲା। ସେହି ଧାତବ ଫଳକ ଲଗାଯାଇଥିବା ଅଲିଭ୍‌ରିଡ୍‌ଲେ କଇଁଛ ମହାରାଷ୍ଟ୍ର ଉପକୂଳରେ ଚଳିତ ବର୍ଷ ଗଣ ଅଣ୍ଡାଦାନ ବେଳେ ଚିହ୍ନଟ କରାଯାଇଥିଲା। ପୂର୍ବରୁ ପିଠିରେ ଟ୍ରାନ୍ସମିଟର ଲଗାଯାଇଥିବା କଇଁଛ ଶ୍ରୀଲଙ୍କାର ଜାଫ୍‌ନା ଉପକୂଳରୁ ମିଳିଥିଲା। ଶ୍ରୀଲଙ୍କାର ଜାଫ୍‌ନା ଉପକୂଳରୁ ଆନ୍ଧ୍ର ଓ ଆଣ୍ଡାମାନ ଉପକୂଳ ଦେଇ ଗହୀରମଥାକୁ ଅଣ୍ଡା ଦେବାକୁ ଆସିଥାନ୍ତି ବୋଲି ଜଣାପଡ଼ିଥିଲା। ଏବେ ଧାତବ ଫଳକ ଟ୍ୟାଗିଂ କଇଁଛ ମହାରାଷ୍ଟ୍ର ଓ ସାଟେଲାଇଟ୍‌ ଟ୍ୟାଗିଂ କଇଁଛ ଶ୍ରୀଲଙ୍କା ଉପକୂଳ ଯାଏଁ ଯିବା ସ୍ପଷ୍ଟ ହୋଇଛି। ପରିବେଶ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗତିବିଧି ଓ ଜୀବନଶୈଳୀ ଏବେ ବି ରହସ୍ୟାବୃତ ହୋଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe