ଜଙ୍ଗଲରୁ ପଥର ଚୋରାଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର: ଡ୍ରାଇଭର ମୃତ, ଅଳ୍ପେକ ବର୍ତ୍ତିଲେ ଶ୍ରମିକ

ଜଙ୍ଗଲରୁ ପଥର ଚୋରାଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର: ଡ୍ରାଇଭର ମୃତ, ଅଳ୍ପେକ ବର୍ତ୍ତିଲେ ଶ୍ରମିକ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରେ ମାଫିଆଙ୍କ ପ୍ରାଦୂର୍ଭାବ ବଢି ଚାଲିଛି। କେତେବେଳେ କାଠ ତ ପୁଣି କେତେବେଳେ ବନ୍ୟଜନ୍ତୁ ଶିକାରୀଙ୍କ ଗତିବିଧି ଦେଖିବାକୁ ମିଳୁଛି। ବନ କର୍ମଚାରୀଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ଦଶପଲ୍ଲାର ଘଂଚ ଜଙ୍ଗଲ ମାଫିଆଙ୍କ କବ୍‌ଜାରେ ରହି ଆସିଥିବା ବେଳେ ଆଜି ପଥର ଚୋରାଚାଲାଣ ବେଳେ ଟ୍ରାକ୍ଟର ଓଲଟି ଚାପିହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଦଶପଲ୍ଲା ବନାଚଂଳର ଟାକରା ପଂଚାୟତସ୍ଥିତ ବାଙ୍କତଇଳା ଜଙ୍ଗଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଡ୍ରାଇଭର ଜଣକ ‌ହେଲେ ବାଣିଗୋଚ୍ଛା ଥାନା ଅଧୀନସ୍ଥ ଫାଲପାଜୁ ଗ୍ରାମର ରବୀନ୍ଦ୍ର ନାୟକ((୩୦)।

ରବୀନ୍ଦ୍ର କୁଲୁରୁକୁମ୍ପା ଗ୍ରାମର ପ୍ରବୀଣ କୁମାର ସାହୁଙ୍କ (ଓଡି୨୫ଇ-୦୬୮୧) ଟ୍ରାକ୍ଟର ଚଲାଇ ଗୁଜୁରାଣ ମେଣ୍ଟାନ୍ତି। ସବୁଦିନ ଭଳି ସେ ଆଜି ବାଙ୍କତଇଳା ଗ୍ରାମ ନିକଟସ୍ଥ ସାତପୁରୀ ଟୁବୁରୀ ପାହାଡକୁ ପଥର ପାଇଁ ଆସିଥିଲେ। ପାହାଡ଼ ଉପରୁ ପଥର ସଂଗ୍ରହ କରିବା ସମୟରେ ଟ୍ରାକ୍ଟରଟି ଓଲଟି ପଡିଥିଲା। ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଡ୍ରାଇଭର ରବୀନ୍ଦ୍ର ଚାପି ହୋଇଯାଇଥିଲେ।

ଖବରପାଇ ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରାଙ୍କ ସମେତ ଦମକଳ ବାହିନୀର କର୍ମଚାରୀମାନେ ପହଁଚି ଦୀର୍ଘ ସମୟର ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଏପଟେ ଉକ୍ତ ଜଙ୍ଗଲଟି ବନବିଭାଗ ଅଧୀନରେ ଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ଯାହାକି ଦୈନିକ ଏହି ପାହାଡରୁ ପଥର ଚାଲାଣ ହେଉଥିବା ବେଳେ ସ୍ଥାନୀୟ ବନ କର୍ମଚାରୀ ହାତବାନ୍ଧି ବସି ରହିଛନ୍ତି। ଏସଂପର୍କରେ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି ସେହି ସ୍ଥାନକୁ ଜଣେ କର୍ମଚାରୀଙ୍କୁ ପଠାଯାଇଛି। ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe