ଧର୍ମଗଡ଼: ନିଜ ଚୋରି ଟ୍ରାକ୍ଟର ଟ୍ରଲିକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଦୁଇଜଣ ଗାଡ଼ି ମାଲିକଙ୍କୁ ଚୋରମାନେ ଟ୍ରାକ୍ଟର ଚଢ଼ାଇ ମାରିଦେବା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଧର୍ମଗଡ଼ ଥାନା ମେରଘରା ଗାଁର ହରିଶଙ୍କର ଭଏସାଲ (୪୩) ଓ ସତ୍ୟମ ଭଏସାଲ (୨୩। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ମେରଘରା ଗାଁର ଲାଲୁ ଭଏସାଲ ତାଙ୍କ ଟ୍ରାକ୍ଟର ଟ୍ରଲି (ଓଡି୦୮କ୍ୟୁ-୯୭୫୩)କୁ ନିଜ ଘରେ ରଖିଥିଲେ। ସୋମବାର ରାତିରେ କିଛି ଚୋର ଏକ ଟ୍ରାକ୍ଟର ସାହାଯ୍ୟରେ ଲାଲୁଙ୍କ ଟ୍ରାକ୍ଟର ଟ୍ରଲିକୁ ଚୋରି କରି ନେବାବେଳେ ସେହି ସମୟରେ ପରିସ୍ରା କରିବା ପାଇଁ ପଦାକୁ ବାହାରିଥିଲେ ହରିଶଙ୍କର ଭଏସାଲ। ଆଖି ଆଗରେ ତାଙ୍କ କକାଙ୍କ ଟ୍ରଲିକୁ ଚୋରମାନେ ନେଇ ଯାଉଥିବା ଦେଖି ସେ ଟ୍ରାକ୍ଟର ମାଲିକ ଲାଲୁଙ୍କ ସାନପୁଅ ସତ୍ୟମ ଭଏସାଲଙ୍କୁ ଡାକିଥିଲେ।
ଦୁହେଁ ଏକ ବାଇକ୍ (ଓଡି୦୮ଏନ୍-୬୫୨୨) ଯୋଗେ ପିଛା କରି ତେନ୍ତୁଳିଆପଡ଼ା ଛକ ନିକଟରେ ଟ୍ରାକ୍ଟରକୁ ଅଟକାଇବାକୁ ଉଦ୍ୟମ କଲାବେଳେ ଚୋରମାନେ ସେମାନଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଚାଲିଯାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିଲା ପରେ ଉଭୟଙ୍କୁ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ଓ ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଭବାନୀପାଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟଜଣଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିବାବେଳେ ବାଟରେ କେସିଙ୍ଗା ନିକଟରେ ମୃତ୍ୟୁ ହୋଇଥିଲା।
ମୃତକଙ୍କ ପରିବାର ଲୋକେ ଧର୍ମଗଡ଼ ଥାନାରେ ଏତଲା ଦେଲା ପରେ ପୁଲିସ କେସ୍ ନଂ ୩୨୭/୨୫ରେ ଏକ ମାମଲା ରୁଜୁ କରିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳକୁ ନେଇ ପୁଲିସ ଦୁର୍ଘଟଣାସ୍ଥଳରେ ସରଜମିନ ତଦନ୍ତ କରିଛି। ମଙ୍ଗଳବାର ଭବାନୀପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି। ସନ୍ଧ୍ୟାରେ ଚୋରମାନଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦାବିରେ ପରିବାର ଲୋକ ଶବ ରଖି ଜାତୀୟ ରାଜପଥ ୧୩୦ ‘ସି’କୁ ଅବରୋଧ କରିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି, ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଏସ୍ଡିପିଓ ଡୋଳାମଣି ଭୋଇ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଉଭୟ ପରିବାରକୁ ରେଡ୍କ୍ରସ, ହରିଶ୍ଚନ୍ଦ୍ର ଯୋଜନା ଓ ସରକାରଙ୍କ ଅନ୍ୟ ଯୋଜନାରୁ ନିୟମ ଅନୁଯାୟୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
Follow Us