ତାଳଚେରରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମୁକାବିଲା: ବ୍ରଜ-କାଳନ୍ଦୀ ଚତୁର୍ଥ ଲଢ଼େଇ

ତାଳଚେରରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମୁକାବିଲା: ବ୍ରଜ-କାଳନ୍ଦୀ ଚତୁର୍ଥ ଲଢ଼େଇ

ଅନୁଗୁଳ: ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ତାଳଚେର। ଏହି ଆସନ ଲାଗି ଉଭୟ ବିଜେଡି ଓ ବିଜେପି ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ଲଗାତାର ୩ ଥର ହେଲା ବିଧାୟକ ଭାବେ ଜିତି ଆସୁଥିବା ବ୍ରଜ କିଶୋର ପ୍ରଧାନଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିଛି। ଏପଟେ ଗତ ୩ ଥର ଯାକ ଲଢ଼େଇ କରି ପରାସ୍ତ ହୋଇଥିବା କାଳନ୍ଦୀ ସାମଲଙ୍କ ଉପରେ ବିଜେପି ପୁଣି ଭରସା କରିଛି। ତେଣୁ ଲଗାତାର ଚତୁର୍ଥ ଥର ପାଇଁ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ଭିତରେ ମୁକାବିଲା ହେବା ନିଶ୍ଚିତ ହୋଇଯାଇଛି।

ଅନୁଗୁଳ ଜିଲ୍ଲାର ତାଳଚେର ସହର ସମେତ ତାଳଚେର ବ୍ଲକ୍‌ ଓ କଣିହାଁ ବ୍ଲକ୍‌ର ୭ଟି ପଞ୍ଚାୟତକୁ ନେଇ ଗଠିତ ତାଳଚେର ବିଧାନସଭା କ୍ଷେତ୍ରରେ ଗତ ଦୁଇ ପାଳି ହେଲା ବିଜେଡି ସହଜରେ ବିଜୟ ହାସଲ କରିଛି। ଏକଦା ବିଜେପିର ଦୁର୍ଗ ଥିବା ତାଳଚେରରେ ୨୦୧୯ରେ ବ୍ରଜକିଶୋର ପ୍ରଧାନ ୭୦,୦୪୪ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲ ୪୫,୯୪୨ ଖଣ୍ଡ ଭୋଟ ପାଇଥିଲେ। ବ୍ରଜ ୨୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ୨୦୧୪ରେ ଏହି ବ୍ୟବଧାନ ପ୍ରାୟ ୧୪ ହଜାର ରହିଥିଲା। ଏହି ବର୍ଦ୍ଧିତ ଭୋଟ ହାର ନେଇ ବିଜେଡି କର୍ମୀ ଉତ୍ସାହିତ ଥିଲାବେଳେ ଗତକାଲି ପ୍ରାର୍ଥୀ ଘୋଷଣା ପରେ ପରେ ଦଳୀୟ ଶିବିର ଚଳଚଞ୍ଚଳ ହୋଇଛି। ରାଜ୍ୟ ସରକାରଙ୍କ ବିକାଶମୂଳକ କାମ, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ବ୍ରଜଙ୍କ ଲୋକପ୍ରିୟତା ଦଳର ମୁଖ୍ୟ ସଂପତ୍ତି ପାଲଟିଛି। ପ୍ରଚାରକୁ ଓହ୍ଲାଇବା ପୂର୍ବରୁ ବ୍ରଜକିଶୋର ପ୍ରଧାନ କହିଛନ୍ତି, ବିକାଶ ହିଁ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହେବ। ଗତ ୧୫ ବର୍ଷ ହେବ ଚାଲିଥିବା ବିକାଶମୂଳକ କାମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ସେ ଲୋକଙ୍କ ସହଯୋଗ ଲୋଡ଼ିବେ। ଏହାସହିତ ତାଳଚେରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ, ଅନୁଗୁଳ-ତାଳଚେର ନୂଆ ରେଳ ଲାଇନ, ବେକାରୀ ଯୁବକଙ୍କୁ ନିଯୁକ୍ତି, ଠିକା ଶ୍ରମିକଙ୍କ ସୁବିଧା, ଜମିହରାଙ୍କ ଉପଯୁକ୍ତ ଥଇଥାନ ପ୍ରସଙ୍ଗ ନେଇ ସେ ଲୋକଙ୍କ ପାଖକୁ ଯିବେ। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଓ ସେ କରିଥିବା କାମକୁ ଲୋକେ ନିଶ୍ଚିତ ସମର୍ଥନ ଦେବେ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି।

ଅପରପକ୍ଷରେ ମୋଦୀ ଗ୍ୟାରେଣ୍ଟି ସହ ନିର୍ବାଚନକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି କାଳନ୍ଦୀ। ମୋଦୀ ଲହର ଏଥର ତାଳଚେରରେ ପଡ଼ିବ ବୋଲି ସେ ଆଶା ରଖିଛନ୍ତି। କହିଛନ୍ତି ଯେ ଏକ ବିକଶିତ ତାଳଚେର ପାଇଁ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ପାଇଁ ‌ଯେଉଁ ସ୍ବପ୍ନ ଦେଖୁଛନ୍ତି, ତା’କୁ ପୂରଣ କରିବା ପାଇଁ ସେ ଲୋକଙ୍କୁ ଭୋଟ ମାଗିବେ। ସେହିପରି ତାଳଚେରର ସ୍ବାଭିମାନ ରକ୍ଷା ତଥା ତାଳଚେରର ସମସ୍ୟାକୁ ବିଧାନସଭାରେ ଉଠାଇବା ତାଙ୍କ ପ୍ରାଥମିକତା ହେବ।
ଏପଟେ ଗତ ନିର୍ବାଚନରେ ୫ ହଜାରରୁ କମ୍‌ ଭୋଟ ପାଇଥିବା କଂଗ୍ରେସ ଏପର୍ଯ୍ୟନ୍ତ ନିଜ ପ୍ରାର୍ଥୀ ଘୋଷଣା କରିପାରିନି। ଏହା ଦଳକୁ ଅଧିକ କ୍ଷତି ପହଞ୍ଚାଉଥିଲା ବେଳେ ଦଳୀୟ କର୍ମୀ ନେତୃତ୍ବ ଅଭାବରୁ ଅନ୍ୟ ଦଳମୁହାଁ ହେଉଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ଅନ୍ୟ ଦଳର ପ୍ରଭାବ ବିଶେଷ ନ ଥିବାବେଳେ ସ୍ବାଧୀନ ପ୍ରାର୍ଥୀଙ୍କ ସମ୍ଭାବନା ଏପର୍ଯ୍ୟନ୍ତ ସୃଷ୍ଟି ହୋଇନି। ତେଣୁ ତାଳଚେର ପୁରୁଣା ପ୍ରତିଦ୍ବନ୍ଦୀଙ୍କ ଭିତରେ ଏକ ନୂଆ ଲଢ଼େଇ ହେବାକୁ ଯାଉଥିଲା ବେଳେ ଏହା ବେଶ୍‌ ରୋଚକ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe