ମହଙ୍ଗା ପଡ଼ିଲା ବଟି : ଟ୍ରାଫିକ କନେଷ୍ଟବଳ ନିଲମ୍ବିତ

ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ମହଙ୍ଗା ପଡ଼ିଲା ବଟି : ଟ୍ରାଫିକ କନେଷ୍ଟବଳ ନିଲମ୍ବିତ

କଟକ : ଜଣେ ଗାଡ଼ି ଚାଳକଙ୍କ ଠାରୁ ବଟି ନେଉଥିବା ବେଳେ ଧରା ପଡିଯାଇଛନ୍ତି ଟ୍ରାଫିକ୍‌ କନେଷ୍ଟବଳ। କଟକର ଶିଖରପୁର ଛକରେ ଟ୍ରାଫିକ୍‌ ପୁଲିସର ଏହି ବଟି ଆଦାୟ ଘଟଣାକୁ ଗାଡ଼ି ଚାଳକଙ୍କ ସହଯୋଗୀ ମୋବାଇଲ୍‌ ଫୋନ୍‌ କ୍ୟାମେରାରେ ରେକର୍ଡିଂ କରି ସୋସିଆଲ୍‌ ମିଡିଆରେ ଛାଡି ଦେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଭିଡିଓ ଭାଇରାଲ୍‌ ହେବାପରେ ଡିସିପି ଅଖିଳେଶ୍ୱର ସିଂହ ଟ୍ରାଫିକ କନେଷ୍ଟବଳ ବଳରାମ ସେଠୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।

ସୂଚନା ଅନୁଯାୟୀ ଗଲା ମଙ୍ଗଳାବର ଦିନ ପ୍ରାୟ ଦୁଇଟା ବେଳେ କଟକ ଟ୍ରାଫିକ ପୁଲିସର କନେଷ୍ଟବଳ ବଳରାମ ସେଠୀ ଶିଖରପୁର ଛକରେ ଡ୍ୟୁଟି କରୁଥିଲେ । ଏହି ସମୟରେ ଜଣେ ଟାଟା ଏସି ଚାଳକ ନିୟମ ଖିଲାପ କରି ଖସିଯାଉଥିଲେ । ତୁରନ୍ତ ବଳରାମ ଗାଡ଼ିକୁ ଅଟକାଇ ସେଥିରେ ବସିଯାଇଥିଲେ। ଭିତରେ ଡ୍ରାଇଭର୍‌ ଏବଂ ସହଯୋଗୀ ସିଟ୍‌ ବେଲ୍‌ଟ ପିନ୍ଧିନଥିବାରୁ ଡ୍ରାଇଭର୍‌ଙ୍କୁ ୧ ହଜାର ଟଙ୍କା ମାଗିଥିଲେ। ତାଙ୍କ ପାଖରେ ଏତେ ଟଙ୍କା ନାହିଁ ବୋଲି ଡ୍ରାଇଭର ଜଣକ କହିବାରୁ କନେଷ୍ଟବଳ ଜଣକ ତାଙ୍କ ସହ ମୂଲଚାଲ ଆରମ୍ଭ କରି ଦେଇଥିଲେ। କହିଥିଲେ, ‘ହଜାର ଟଙ୍କାରୁ ୩୦୦ କହିଲି... ଛାଡ଼ ଛାଡ଼... ଆମେ ଚାରି ଜଣ ଅଛୁ। ପୁଣି ସମସ୍ତଙ୍କୁ ବୁଝେଇବି ନା ନାହିଁ... ।’ କିଛି ସମୟର ଏଭଳି ମୂଲଚାଲ ପରେ ଡ୍ରାଇଭର ସଂପୃକ୍ତ କନେଷ୍ଟବଳଙ୍କୁ ୩ଶହ ଟଙ୍କା ଦେଇଥିଲେ। ଏସବୁର ଦୃଶ୍ୟ ମୋବାଇଲ୍‌ କ୍ୟାମେରାରେ ରେକର୍ଡିଂ ହୋଇଯାଇଥିଲା।

ଏ ସଂପର୍କରେ ଟ୍ରାଫିକ ଏସିପି ପ୍ରଦୀପ ଦଳେଇ କହିଛନ୍ତି ଯେ, ଏମ୍‌ଭି ଆକ୍ଟ କିମ୍ବା ଓୟୁପି ଆକ୍ଟରେ କନେଷ୍ଟବଳଙ୍କର ଚେକିଂ କରିବା ଅଧିକାର ନାହିଁ। ଅଫିସର୍‌ଙ୍କ ଉପସ୍ଥିତିରେ କନେଷ୍ଟବଳ ତାଙ୍କୁ ଚେକିଂରେ ସହଯୋଗ କରିପାରିବେ। ବଳରାମଙ୍କୁ ଶିଖରପୁର ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଭିଡିଓରେ ଦେଖାଯାଉଥିବା ଚିତ୍ର ଅନୁଯାୟୀ, ଟାଟା ଏସି ଚାଳକ ସିଟ୍‌ ବେଲଟ ପିନ୍ଧି ନଥିବାରୁ ତାଙ୍କୁ ପ୍ରଥମେ ହଜାର ଟଙ୍କା ଲାଞ୍ଚ ମାଗିବା ଏବଂ ପରେ ୩୦୦ ଟଙ୍କା ନେବା ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରାଯାଇଛି। ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଡିସିପିଙ୍କ ନିକଟକୁ ପଠାଯାଇଛି । ଅନ୍ୟପଟେ ସମ୍ପୃକ୍ତ ଟାଟା ଏସି ଚାଳକଙ୍କୁ ଠାବ କରିବାକୁ ଉଦ୍ୟମ କରାଯାଉଥିବା ଶ୍ରୀ ଦଳେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe