ଢେଙ୍କାନାଳ ସହରରେ ବଢୁଛି ଟ୍ରାଫିକ୍ ସମସ୍ୟା

Advertisment

୧୦ ବର୍ଷ ହେଲା ଟ୍ରାଫିକ୍ ସିଗ୍‌ନାଲ୍‌ ଅଚଳ, ଟ୍ରାଫିକ୍ ଛକରେ ଭିଡ଼ ନିୟନ୍ତ୍ରଣ ବାହାରେ

୧୦ ବର୍ଷ ହେଲା ଟ୍ରାଫିକ୍ ସିଗ୍‌ନାଲ୍‌ ଅଚଳ, ଟ୍ରାଫିକ୍ ଛକରେ ଭିଡ଼ ନିୟନ୍ତ୍ରଣ ବାହାରେ

ଢେଙ୍କାନାଳ ସହରରେ ବଢୁଛି ଟ୍ରାଫିକ୍ ସମସ୍ୟା

Pinterest

ଢେଙ୍କାନାଳ : ସହରରେ ଯାନବାହାନ ଚଳାଚଳ ସମସ୍ୟା ବୃଦ୍ଧି ପାଇବା ସହ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ବଢିବାକୁ ଲାଗିଛି। ଟ୍ରାଫିକ୍ ସମସ୍ୟାର ନିୟନ୍ତ୍ରଣ ପାଇଁ ସ୍ଥାନୀୟ ଶିଳ୍ପାନୁଷ୍ଠାନମାନଙ୍କ ସହାୟତାରେ ଦୀର୍ଘ ୧୦ ବର୍ଷ ତଳୁ ସହରର ପ୍ରମୁଖ ଛକ ସ୍ଥାନମାନଙ୍କରେ ଆଲୋକ ସିଗ୍‌ନାଲ୍‌ ବ୍ୟବସ୍ଥା କରାଯାଇଥିଲା। କିଛି ଦିନ ଚାଲିବା ପରେ ତାହା ବାଟବଣା ହୋଇ ଦୀର୍ଘବର୍ଷ ଧରି ଅଚଳ ହୋଇପଡିରହିଛି। ପ୍ରଶାସନର ଆନ୍ତରିକତା ଅଭାବରୁ ସେଗୁଡିକ ସଜଡ଼ା ଯାଇପାରୁ ନାହିଁ। ଫଳରେ ଟ୍ରାଫିକ୍ ଛକଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି।

ଟ୍ରାଫିକ୍ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ପ୍ରଶାସନ ଉଦ୍ୟମରେ ଗତ ୨୦୧୦–୧୧ ମସିହାରେ ଏନ୍‌ଟିପିସି ଓ ଲାନ୍କୋ ଆଦି ସ୍ଥାନୀୟ ଶିଳ୍ପସଂସ୍ଥାମାନେ ଆର୍ଥିକ ସହାୟତା ଦେଇଥିଲେ। ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ସହରର ଗୁରୁତ୍ବପୂର୍ଣ୍ଣ ଛକ ସ୍ଥାନଗୁଡିକରେ ଆଲୋକଚାଳିତ ଟ୍ରାଫିକ୍ ସିଗ୍‌ନାଲ୍‌ ବ୍ୟବସ୍ଥା କରାଯାଇଥିଲା। ସହରର ବସ୍‌ଷ୍ଟାଣ୍ତ–ଷ୍ଟାଡିୟମ୍ ଗୋଲେଇ ଛକ, ଗଣେଶ ବଜାର ଛକ, ମହାବୀର ବଜାର ଛକ, ପୁରୁଣା ବସ୍‌ଷ୍ଟାଣ୍ତ ଛକ, ବାଜିଚୌକ ଛକ, ଚନ୍ଦନ ବଜାର ଛକ ଆଦି ସ୍ଥାନରେ ଆଲୋକଚାଳିତ ଟ୍ରାଫିକ୍ ସିଗ୍‌ନାଲ୍‌ ପୋଷ୍ଟ ନିର୍ମାଣ କରାଯାଇଥିଲା। ଏହି ଟ୍ରାଫିକ୍ ସିଗ୍‌ନାଲ୍‌ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଭଲ ଭାବେ ଚାଲିବା ପରେ ଆସ୍ତେ ଆସ୍ତେ ଗୋଟିଏ ପରେ ଗୋଟିଏ ଅଚଳ ହୋଇ ସହରର ସମସ୍ତ ସିଗ୍‌ନାଲ୍‌ ପୋଷ୍ଟ ଅକାମୀ ହୋଇଯାଇଥିଲା। କେରଳର ଏକ କମ୍ପାନି କୋଲକତାସ୍ଥିତ ତା'ର ଜୋନାଲ୍ ଅଫିସ୍‌ ମାଧ୍ୟମରେ ଭୁବନେଶ୍ବରର ଏକ ଫ୍ରାଞ୍ଚାଇଜ୍ ଅନୁଷ୍ଠାନ ଦ୍ବାରା ଏହି ଆଲୋକଚାଳିତ ଟ୍ରାଫିକ୍ ସିଗ୍ନାଲ ଲଗାଇଥିଲେ। ଏହି ସିଗ୍ନାଲ୍ ପୋଷ୍ଟଗୁଡିକୁ ବିଦ୍ୟୁତ୍ ଯୋଗାଇବା ଏବଂ ଏହାର ମେଣ୍ଟେନାନ୍ସ ଦାୟିତ୍ବ ମ୍ୟୁନିସିପାଲଟି ଉପରେ ନ୍ୟସ୍ତ ଥିଲା। ଆର୍ଥିକ ସହାୟତା ଅଭାବରୁ ଏହାର ରକ୍ଷଣାବେକ୍ଷଣ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ସିଗ୍‌ନାଲ୍‌ ବ୍ୟବସ୍ଥା ଅକାମୀ ହେବା ବେଳକୁ ସଂପୃକ୍ତ କମ୍ପାନିର ଚୁକ୍ତି ସମୟ ସରିଯାଇଥିଲା। ପୁନର୍ବାର ତାହାକୁ କାର୍ଯ୍ୟକାରୀ କରାଇବା ପାଇଁ ଆର୍ଥିକ ସହାୟତାର ଆବଶ୍ୟକ ପଡିଥିଲା। ଏଥିପାଇଁ ତିନ ସେଣାରେ ପାଣି ଉଠାଇବା ପରି କାର୍ଯ୍ୟ କରିବାକୁ ପ୍ରଶାସନିକ ଅଧିକାରୀମାନେ ଇଚ୍ଛା ପ୍ରକାଶ କଲେନାହିଁ। ଯାହାଫଳରେ ଦୀର୍ଘ ୧୦ବର୍ଷ ଧରି ଟ୍ରାଫିକ୍ ସିଗ୍‌ନାଲ୍‌ ଅଚଳ ହୋଇ ପଡିରହିଛି।

publive-image

କର୍ମଚାରୀମାନେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ବେଳେ ବିଭିନ୍ନ ଛକର ଟ୍ରାଫିକ୍ ପୋଷ୍ଟରେ ଦିନ ୧୨ଟା ପରେ ଅପରାହ୍ଣ ପର୍ଯ୍ୟନ୍ତ ଟ୍ରାଫିକ୍ କର୍ମଚାରୀ ରହୁନାହାନ୍ତି। ଯେଉଁଥିପାଇଁ ସେହି ସ୍ଥାନମାନଙ୍କରେ ଗାଡ଼ି ଚାଳକମାନେ ଟ୍ରାଫିକ୍ ନିୟମ ନମାନି ମନଇଚ୍ଛା ଯାତାୟାତ କରୁଛନ୍ତି। ଫଳରେ ବିଭନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାଗୁଡିକୁ ଏଡ଼ାଇ ଦିଆଯାଇପାରୁ ନାହିଁ। ସେହିପରି ବିଭିନ୍ନ ଟ୍ରାଫିକ୍ ପୋଷ୍ଟଗୁଡିକରେ ଅନଭିଜ୍ଞ ଏବଂ ଅଣତାଲିମ୍ ପ୍ରାପ୍ତ କର୍ମଚାରୀ ରହୁଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ୍ ନିୟନ୍ତ୍ରଣରେ ଅବ୍ୟବସ୍ଥା ଦେଖାଯାଉଛି। ଟ୍ରାଫିକ୍ ନିୟମ ସଂପର୍କରେ କିଛି ଜାଣିନଥିବା କେତେକ କର୍ମଚାରୀଙ୍କର ଟ୍ରାଫିକ୍ ପୋଷ୍ଟରେ ଡିୟୁଟି ପଡୁଥିବାରୁ ସେମାନେ ବେଳେ ବେଳେ ଠିଆହୋଇ ରହୁଛନ୍ତି କିମ୍ବା ଭୁଲ୍ ସିଗ୍‌ନାଲ୍‌ ଦେଇ ନିଜର ଦାୟିତ୍ବ ସଂପନ୍ନ କରୁଥିବା ଦେଖାଯାଉଛି। ଏହା ମଧ୍ୟରେ ସହରର ଲୋକସଂଖ୍ୟା ସହ ଦୋକାନ ବଜାର ବୃଦ୍ଧି ପାଇଛି। ଟ୍ରାଫିକ୍ ସମସ୍ୟା କିନ୍ତୁ ସୁଧୁରିପାରି ନାହିଁ। ରାସ୍ତା ସଂପ୍ରସାରଣ ଏବଂ ଜବରଦଖଲ ଯୋଗୁଁ କେତେକ ସ୍ଥାନରେ ସିଗ୍‌ନାଲ୍‌ ପୋଷ୍ଟଗୁଡିକ ଲୁଚି ଯାଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଅଧିକାଂଶ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଏପରି କ୍ଷେତ୍ରରେ ଅଚଳ ହୋଇ ପଡିଥିବା ଆଲୋକଚାଳିତ ଟ୍ରାଫିକ୍ ସିଗ୍‌ନାଲ୍‌ଗୁଡିକୁ ସଜଡା ଯିବା ସହିତ ତାଲିମପ୍ରାପ୍ତ ଟ୍ରାଫିକ୍ କର୍ମଚାରୀଙ୍କୁ ନିୟୋଜିତ କରି ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏ ସଂପର୍କରେ ଏସ୍‌ପି କେ.ଶିବା ସୁବ୍ରମଣି କୁହନ୍ତି ଯେ, ଟ୍ରାଫିକ୍ ସିଗ୍ନାଲକୁ ଖୁବ୍ ଶୀଘ୍ର ସଜଡ଼ାଯିବ। ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe